• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସଂପତ୍ତି ଲୋଭରେ ମାକୁ ମାରିଲା ପୁଅ । କେବଳ ମାରିଲା ନାହିଁ ହତ୍ୟା ପରେ ପୁଅ ଓ ସଂପର୍କୀୟ ଜ୍ୱାଇଁ ମୃତ ଦେହକୁ ପୋଡ଼ିଦେଲେ । କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ମାମଲାରେ ମୃତ ମହିଳାଙ୍କ ପୁଅ ଓ ଜ୍ୟାଇଁଙ୍କୁ ଗିରଫ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳ କାନପୁର ଗାଁର ଦୌପଦୀ ବାରିକଙ୍କ ସ୍ୱାମୀଙ୍କ ନାଁରେ ଥିବା ବମ୍ବେ ଓ ଭୁବନେଶ୍ୱରରେ ଥିବା ଜମିକୁ ବିକ୍ରି କରିବା ପାଇଁ ତାଙ୍କ ପୁଅ ସଞ୍ଜୀତ ବାରିକ ଦୀର୍ଘ ଦିନ ଧରି ବାଧ୍ୟ କରିଆସୁଥିଲେ । ହେଲେ ଏଥିପାଇଁ ଦ୍ରୌପଦୀ ଅରାଜି ଥିଲେ । ଗତ ୯ ତାରିଖ ଦିନ ଘରକୁ ଫେରି ସଂପତ୍ତି ବିକ୍ରି କରିବା ପାଇଁ ଦ୍ରୌପଦୀଙ୍କ ପାଖରେ ଜିଦ୍ ଧରିଥିଲା । ହେଲେ ସେ ରାଜି ନ ହେବାରୁ ସଞ୍ଜୀତ ଉତକ୍ଷିପ୍ତ ହୋଇ ବେଲ୍ଟରେ ନିର୍ଧୁମ ପିଟି ହତ୍ୟା କରିଥିଲା ।

ପ୍ରମାଣ ନଷ୍ଟ କରିବା ପାଇଁ ସଂପର୍କୀୟ ଭେଣେଇଙ୍କ ସହଯୋଗରେ ମାଆଙ୍କ ମୃତଦେହକୁ ପୋଡ଼ି ଦେଇଥିଲା । ଏନେଇ ରାଜକନିକା ଥାନାରେ ଅଭିଯୋଗ ହେବା ପରେ ପୁଅ ଓ ସଂପର୍କୀୟ ଜ୍ୱାଇଁ ନିରାକାର ନାୟକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ଜଣେ ପୁଅ ସମ୍ପତ୍ତି ପାଇଁ ଜନ୍ମଦେଇଥିବା ମାଆକୁ ଜୀବନରୁ ମାରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତ୍ରୀବ ନିନ୍ଦା କରାଯାଉଥିବାର ଦେଖିବାକୁ ମିଳିଛି ।