ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ । ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ୫ ବର୍ଷର ସାବତ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି । ହତ୍ୟା କରିବା ପରେ ମୃତଦେହକୁ ଆରବ ସାଗରରେ ଫିଙ୍ଗି ଦେଇଛି । ଅଭିଯୁକ୍ତ ଇମ୍ରାନ ଶେଖକୁ ଗିରଫ କରିଛି ମୁମ୍ବାଇ ପୋଲିସ୍ । ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସକାଳେ ଦକ୍ଷିଣ ମୁମ୍ବାଇର ସସୁନ ଡାକ ପାଖ ସମୁଦ୍ରରେ କୋଲାବା ପୋଲିସ୍ ଏକ ଛୋଟ ପିଲାଟିର ମୃତଦେହ ଠାବ କରିଥିଲା । କିନ୍ତୁ ଏହି ହତ୍ୟାର କାରଣ ସ୍ପଷ୍ଟ ହୋଇ ପାରିନଥିଲା ।
ପୋଲିସ୍ ଅଧିକାରୀ କହିଛନ୍ତି, ମଧ୍ୟ ମୁମ୍ବାଇର ଆଣ୍ଟପ ହିଲ୍ ଅଞ୍ଚଳର ଏକ ଝିଅ ନିଖୋଜ ହୋଇ ଯାଇଥିଲା । ଏ ନେଇ ଉକ୍ତ ଝିଅର ସାବତ ବାପା ଶେଖ ଓ ମାଆ ନାଜିଆ ଆଣ୍ଟପ ହିଲ୍ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ନାଜିଆ ଘରୋଇ ସହାୟିକା ଭାବରେ କାମ କରନ୍ତି । ଛୋଟ ଝିଅଟି ଶେଖକୁ ବାପା ବୋଲି ଡାକେ, ଯାହା ଶୁଣିବାକୁ ଚାହୁଁନଥିଲା ଶେଖ୍ । ତେଣୁ ସେ ଝିଅକୁ ହତ୍ୟା କରିଥିଲା । ସିସିଟିଭି ଫୁଟେଜ୍ରେ ଶେଷ ଥର ପାଇଁ ଝିଅକୁ ଶେଖଙ୍କ ସହିତ ହିଁ ଦେଖାଦେବାର ଜଣା ପଡିଛି ।
ଗିରଫଦାରୀ ପରେ ପୋଲିସକୁ ଅଭିଯୁକ୍ତ କହିଛି ଯେ, ଝିଅ ତାଙ୍କ ସହିତ ଖେଳିବାକୁ ଚେଷ୍ଟା କରିବା ଓ ତାଙ୍କୁ ବାପା ବୋଲି ଡାକିବା ସେ ପସନ୍ଦ କରୁନଥିଲେ । ଏପରିକି ସେ ତାଙ୍କ ମାଆ ନାଜିଆଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବା ପସନ୍ଦ କରୁନଥିଲେ । ତେଣୁ ସେ ତଣ୍ଟି ଚିପି ହତ୍ୟା କରିଛନ୍ତି ।
Also Read
ଅଧିକ ପଢନ୍ତୁ: ଅଧ୍ୟାପକଙ୍କ ଫାଶରେ କଲେଜ ଛାତ୍ରୀ, ଦୁଷ୍କର୍ମ ପରେ ଭିଡିଓ ଭାଇରାଲ କରିଦେବାର ଧମକ; ୩ ଗିରଫ