• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପେନସନ ପାଇଁ ଟେନସନ୍‌ । ସରକାରୀ ଚାକିରି କରିଥିଲେ, ଅବସର ନେବା ପରେ ପେନସନ୍‌ ଟିକକ ପାଇବେ । ଶାନ୍ତିରେ ବଞ୍ଚିବେ ବୋଲି ଭାବିଥିଲେ । ହେଲେ ସେଇ ପେନସନ ଜୀବନରେ ଆଣିଦେଲା ବିରାଟ ଟେନସନ୍‌ । ସ୍ଥିତି ଏମିତି ହେଲାଣି ଯେ ପେନସନ୍‌ ଗଣ୍ଡାକ ପାଇବା ଆଶାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ବି ହୋଇଗଲା କିନ୍ତୁ ଟଙ୍କା ପାଇଲେନି । ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲୁଗାଁରୁ ।

ବାଲୁଗାଁ ମହାବିଦ୍ୟାଳୟର ତିନିଜଣ କର୍ମଚାରୀଙ୍କ ଅବସ୍ଥା ଶୁଣିଲେ ଆଖିରେ ଜକେଇ ଆସିବ ଲୁହ । ସ୍ୱର୍ଗତ ସୁକାନ୍ତ କୁମାର ନାୟକ, ରାମ ଚନ୍ଦ୍ର ପଣ୍ଡା ଓ ତ୍ରିବିକ୍ରମ ପଣ୍ଡା । ଏମାନେ ସମସ୍ତେ ସରକାରୀ ଚାକିରି କରିଥିଲେ, ଅବଧି କାଳ ସରିବା ପରେ ଅବସର ନେଲେ । ହେଲେ ପେନସନ୍‌ ପାଇଲେନି । ସୁକାନ୍ତଙ୍କ ପେନସନ ଲାଗି ପତ୍ନୀ ଗୋଲାପ କଲେଜ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଭେଟିବା ପରେ ବି ଫଳ କିଛି ମିଳିଲାନି । ଆର୍ଥିକ ସଂକଟ ଦେଇ ପରିବାର ଗତି କରୁଛି ସତ କିନ୍ତୁ ପେନସନ ପାଉନାହାନ୍ତି ।

ରାମ ଚନ୍ଦ୍ର ପଣ୍ଡା । ୩୧.୦୩.୨୦୧୯ ରେ ଅର୍ଥାତ ୪ ବର୍ଷ ହେଲା ଅବସର ନେଲେଣି କିନ୍ତୁ ପେନସନ ପାଇଲେନି । ବର୍ତ୍ତମାନ ପକ୍ଷାଘାତ ରୋଗରେ ସେ ଶିକାର ହୋଇଛନ୍ତି । ସରକାରୀ ଚାକିରି କରିଥିଲେ ତେଣୁ ପେନସନ ଟଙ୍କାରେ ଚିକିତ୍ସା କରାଇବେ ବୋଲି ସ୍ନପ୍ନ ଦେଖୁଥିଲେ । କିନ୍ତୁ ସବୁ ଚୁରମାର ହୋଇଯାଇଛି । ରୋଗ ଶଯ୍ୟାରେ ସେ ଘାଂଟି ହେଉଛନ୍ତି ସତ ହେଲେ ପେନସନ ପାଇଲେନି । ପରିବାର ଲୋକେ ବାରମ୍ବାର ଭେଟି ପେନସନ କରାଇବା ଲାଗି କଲେଜ କର୍ତ୍ତୃପକ୍ଷଙ୍କୁ ନେହୁରା ହୋଇଛନ୍ତି । କିନ୍ତୁ ଫଳ ଶୂନ । କୋର୍ଟରେ କେସ୍‌ ହେବା ପରେ ବି ମିଳୁନି ପେନସନ୍‌ ଟଙ୍କା ।

ଦିନେ କଲେଜର ଯିଏ ବଡବାବୁ ଅର୍ଥାତ ହେଡ କ୍ଲର୍କ ଥିଲେ, ତାଙ୍କର ୨ ବର୍ଷ ହେଲାଣି ଚାକିରି ସରିଲାଣି କିନ୍ତୁ ତାଙ୍କୁ ବି ମିଳିପାରିନି ପେନସନ । କୋର୍ଟଠୁ ବ୍ୟାଙ୍କ...କଲେଜଠୁ ଅଫିସ୍‌,ସବୁ ଆଡ଼େ ବୁଲୁଛନ୍ତି ହେଲେ ଟଙ୍କା ତ ପାଉନାହାନ୍ତି ବରଂ ପାଉଛନ୍ତି କେବଳ ଚିଠିର ଆଶ୍ୱସନା ।

ତେବେ ସମସ୍ତଙ୍କର ପେନସନ୍‌ ବନ୍ଦ ହେବାର କାରଣ ଜାଣିଲେ ମୁଣ୍ଡ ଝାଇଁ ଝାଇଁ କରିଦେବ । କାରଣ ୨୦୦୦ ମସିହାରେ ଓଡିଶା ରୁରାଲ ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନରୁ ଗୃହ ଋଣ ନେଇଥିଲେ । ଓଏଚଆରଡିସିଙ୍କ ନିର୍ଦ୍ଦେଶ ଅନୁଯାୟୀ କଲେଜ କର୍ତ୍ତୃପକ୍ଷ କର୍ମଚାରୀଙ୍କ ଠାରୁ ଋଣର ଫାଇନାଲ କିସ୍ତି ବାବଦକୁ ଦୁଇ ଲକ୍ଷ ତିନି ହଜାର ଆଠଶହ ଦୁଇ ଟଙ୍କା ନେଇ ଆନ୍ଧ୍ରା ବ୍ୟାଙ୍କ ବାଲୁଗାଁ ଶାଖାରେ ଚାଲାଣ ନଂ ୨୩ରେ ଜମା କରିଥିଲେ । କିନ୍ତୁ ତତ୍କାଳୀନ ବ୍ୟାଙ୍କ ଅଧିକାରୀ ଓଆରଏଚଡିସିଙ୍କ ଆକାଉଣ୍ଟ ବଦଳରେ କଲେଜ ନାଁରେ ସଂଚୟ ଖାତା କରି ଟଙ୍କା ଜମା କରିଦେଇଥିଲେ । ପରେ ସଂପୃକ୍ତ ସଂସ୍ଥା ୧୪.୦୧.୨୦୦୮ ରେ ଚିଠି ନଂ ୧୪୪ ରେ ଋଣମୁକ୍ତ ପ୍ରମାଣ ଦେଇଲେ ।

୨୦୦୮ ମସିହାରେ ଇପିଏଫ କର୍ତ୍ତୃପକ୍ଷ କଲେଜର ଥିବା ଇପିଏଫ ବକେୟା ଟଙ୍କା ବାବଦକୁ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟରୁ ପ୍ରାୟ ୬ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ଯେଉଁଥିରେ ଗୃହ ଋଣ ବାବଦକୁ ଚାଲାଣ ନଂ ୨୩ ରେ ଜମା ହୋଇଥିବା ଟଙ୍କା ସାମିଲ ଥିଲା ବୋଲି ଜଣାପଡ଼ିଥିଲା । ପରେ ଋଣ ପରିଶୋଧ ପାଇଁ କଲେଜର ପରିଚାଳନା କମିଟି ପକ୍ଷରୁ ୨୦୧୩ ଓ ୨୦୧୪ ରେ ଦୁଇଟି ରେଜୁଲେସନ କରି ଲୋନ ଟଙ୍କା କଲେଜରୁ ପୈଠ କରିବା ଏବଂ ବ୍ୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଟଙ୍କା ସୁଝା ଯାଇନଥିଲା । ଯାହା ଧିରେ ଧୀରେ ବଢି ୧୮ ଲକ୍ଷ ହେଲାଣି । ଏହାରି ମଧ୍ୟରେ ୩ ବର୍ଷ ପାର ହୋଇଗଲାଣି । ହେଲେ ନିଜର ଭୁଲ ନଥାଇ ପେନସନରୁ ବଂଚିତ ୩ ପରିବାର ।

ସେପଟେ ଅଧ୍ୟକ୍ଷ କହୁଛନ୍ତି, ବିଭାଗକୁ ଚିଠି କରିଛୁ । ସବୁ ଜଣାଇ ଦେଇଛୁ...ଲୋନ୍‌ ପରିଶୋଧ ପରେ ବି ସେମାନେ ଅର୍ଥଦଣ୍ଡ ଭୋଗୁଛନ୍ତି । ଏ ଘଟଣା ସମ୍ପର୍କରେ ଆନ୍ଧ୍ରା ବ୍ୟାଙ୍କ ଶାଖା ପ୍ରବନ୍ଧକଙ୍କ ସହ ସାକ୍ଷାତ କରିଥିଲେ ଓଟିଭି ପ୍ରତିନିଧୀ । ତେବେ କ୍ୟାମେରା ସାମ୍ନାରେ କିଛି କହିନଥିଲେ ବି ସମସ୍ୟା କଣ ହୋଇଛି ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ।

(ବାଲୁଗାଁରୁ ଶକ୍ତି ପ୍ରସାଦ ମହାପାତ୍ରଙ୍କ ରିପୋର୍ଟ)