Man allegedly shoots estranged wife lover in sambalpur
ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ୱାମୀ। ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହୁଥିଲେ। ଘଟଣା ପରେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବଡନୂଆପଡ଼ାର କ୍ଷେତିନାଳି ଗାଁରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ୧୦ ବର୍ଷ ପୂର୍ବେ ଚାରମାଳ ଥାନା ଝାଙ୍କରପଡା ଗାଁର ସ୍ୱାଧୀନ ପ୍ରଧାନ ସେହି ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି ସନ୍ତାନ ଅଛି। ୨ ବର୍ଷ ପୂର୍ବେ କ୍ଷେତିନାଳି ଗାଁର ଅଟୋ ଚାଳକ ପଙ୍କଜ ଦେହୁରୀଙ୍କ ସହ ମହିଳାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଉଭୟ ଫେରାର ହୋଇଯାଇଥିଲେ।
୨ ବର୍ଷ ହେବ ପଙ୍କଜ ଓ ସମ୍ପୃକ୍ତ ମହିଳା ଉଭୟ ବାହାରେ ରହୁଥିଲେ। ଗତକାଲି କୌଣସି କାମରେ ଉଭୟ କ୍ଷେତିନାଳିକୁ ଯାଇଥିଲେ। ରାତିରେ ଖାଇ ସାରି ଘର ଅଗଣାରେ ହାତ ଧୋଇବା ବେଳେ ମହିଳାଙ୍କ ସ୍ୱାମୀ ସ୍ୱାଧୀନ, ପଙ୍କଜଙ୍କ ଉପରକୁ ୩/୪ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। ଏହାପରେ ସ୍ୱାଧୀନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପଙ୍କଜଙ୍କୁ ପ୍ରଥମେ ଚାରମାଳ ମେଡିକାଲ ଓ ପରେ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ପଙ୍କଜଙ୍କ ଦେହରେ ଗୁଳି ବାଜିଛି। ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚଳାଇଛି।