Advertisment

ଗୁଳି କରି ହତ୍ୟା କରିବା ବେଳେ ନିଜକୁ ବିଜେଡି ନେତା କହିଲା ଅଭିଯୁକ୍ତ !

ବଚସା ମଧ୍ୟରେ ଏକ ଶିକାରୀ ବନ୍ଧୁକରୁ ଦଳେଇକୁ ଗୁଳି କରି ହତ୍ୟା କରିଥିଲା ନୃପତ୍ତି।

undefined

Poll Violence

Advertisment

ବର୍ଷ ବର୍ଷ ଧରି କୁହୁଳୁଥିଲା ପାରିବାରିକ ବିବାଦର ନିଆଁ। ରାଜନୈତିକ ଶତ୍ରୁତାର ସୀମା ଟପିଗଲା ପରେ ରକ୍ତ ବୁହାଇଲେ ରକ୍ତ ସମ୍ପର୍କୀୟ। କିଏ କାହା ମୁଣ୍ଡ ଗଡ଼ାଇଦେଲା ତ ଆଉ କିଏ ଜାଳିଦେଲା ବାସଘର। ଏଭଳି ଭୟଙ୍କର ହିଂସା ପରେ କାନ୍ଦ ବୋବାଳିରେ ଫାଟିପଡୁଛି ଦାଣ୍ଡ ଦୁଆର ନା କାହାକୁ କିଏ ଶାନ୍ତ୍ୱନା ଦେଇପାରୁଛି, ନା କାହା ଆଖିର ଲୁହ ପୋଛିବାକୁ ଆଉ କିଏ ଅଛି। କାରଣ ସମ୍ପର୍କିୟ ଦୁଇ ଭାଇ ଭିତରେ ସଂଘଟିତ ଅପରାଧରେ ଉଭୟ ପରିବାର ଏବେ କ୍ଷତିଗ୍ରସ୍ତ।

Advertisment

ଢେଙ୍କାନାଳ କନ୍ଧପାଳ ଗାଁର ଦଳେଇ ନାଏକ ଓ ନୃପତ୍ତି ନାଏକଙ୍କ ମଧ୍ୟରେ ହୋଇଥିବା ଆକ୍ରମଣ ପ୍ରତି ଆକ୍ରମଣରେ ଦଳେଇଙ୍କ ମୃତ୍ୟୁ ହୋଇଥିବାବେଳେ ନୃପତ୍ତିଙ୍କ ପତ୍ନୀ ଓ ୩ ବର୍ଷର ପୁଅ ମରଣାନ୍ତକ ଆକ୍ରମଣର ଶୀକାର ହୋଇଛନ୍ତି। ଦଳେଇଙ୍କୁ ହତ୍ୟା ପରେ ତାଙ୍କ ସମ୍ପର୍କୀୟ ଆସି ନୃପତ୍ତିଙ୍କ ଭାଇ ନିରଞ୍ଜନଙ୍କ ଘରକୁ ବି ଜାଳିଦେଇଛନ୍ତି। 

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘବର୍ଷ ହେଲା କ୍ରମାଗତ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇ ଆସୁଥିବା ଦଳେଇ ଏଥର ପୁତ୍ରବଧୂଙ୍କୁ ଛିଡ଼ା କରାଇଥିଲେ ଓ୍ବାର୍ଡ ସଭ୍ୟା ଭାବେ। ତାସହ ବାଜି ବି ମାରିଥିଲେ। ତାଙ୍କ ପୁତ୍ରବଧୂଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ନୃପତ୍ତି ନାଏକଙ୍କ ଭାଇ ବୋହୂ। ଏହି ରାଜନୈତିକ ବିବାଦ କ୍ରମେ ଦଳେଇ ଓ ନୃପତ୍ତିଙ୍କ ମଧ୍ୟରେ ଉଗ୍ର ହୋଇଥିଲା। ଏଭଳି ସ୍ଥିତିରେ ଏକ ପୋଖରୀ ଖୋଳାକୁ ନେଇ ଆଜି ସକାଳେ ଦଳେଇ ଓ ନୃପତ୍ତି ମଧ୍ୟରେ ଆରମ୍ଭ ହୋଇଥିଲା ବଚସା।

Advertisment

ସେହି ବଚସା ମଧ୍ୟରେ ଏକ ଶିକାରୀ ବନ୍ଧୁକରୁ ଦଳେଇକୁ ଗୁଳି କରି ହତ୍ୟା କରିଥିଲା ନୃପତ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ତେଜୁଥିବା ଦେଖି ନୃପତ୍ତିଙ୍କ ପତ୍ନୀ ନିଜର ୩ ବର୍ଷର ପୁଅକୁ ଧରି ବିଲ ରାସ୍ତା ଦେଇ ଖସି ପଳାଉଥିଲେ। ଏହି ସମୟରେ ଦଳେଇଙ୍କ ସମ୍ପର୍କୀୟ ଆସି ବିଲ ମଝିରେ ମରଣାନ୍ତକ ଆକ୍ରମଣ କରିଥିଲେ ମା, ପୁଅଙ୍କୁ। 

କେବଳ ଏତିକି ନୁହେଁ, ନୃପତ୍ତିଙ୍କ ଭାଇ ନିରଂଜନଙ୍କ ୪ ବଖରା ଘରକୁ ବି ନିଆଁରେ ଏଭଳି ଜାଳିଦେଇଛନ୍ତି। ଗୁଳି କରିବା ବେଳେ ନିଜକୁ ବିଜେଡି ନେତା ଦର୍ଶାଇବା ସହ ଆମର ବିଜେଡି ଶାସନ ଚାଲିଛି, ତମେ କିଏ ପାଟି ଫିଟାଉଛ ବୋଲି ନୃପତ୍ତି କହିଥିବା ଅଭିଯୋଗ କରିଛନ୍ତି ଦଳେଇଙ୍କ ପୁଅ।  ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। 

Advertisment

ବର୍ତ୍ତମାନ ନୃପତ୍ତିଙ୍କ ପତ୍ନୀ ଓ ତାଙ୍କ ପୁଅ ମେଡ଼ିକାଲରେ ଚିକିତ୍ସାଧିନ ଥିବାବେଳେ ଦଳେଇଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ନୃପତ୍ତିଙ୍କ ପରିବାରର ଜଣଙ୍କୁ ଅଟକ ରଖିଛି। ତାସହ ଫେରାର୍ ଥିବା ନୃପତ୍ତି ଓ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ଚାପା ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ରିପୋର୍ଟ: ରାଜଶ୍ରୀ ଶତପଥୀ

Poll Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ