ବାବା ସିଦ୍ଦିକି ହତ୍ୟାକାଣ୍ଡର ବଡ଼ ଖୁଲାସା, ୬୫ ଗୁଳି ନେଇ ମାରିବାକୁ ଆସିଥିଲେ ସୁଟର୍

ମର୍ଡର କରିବା ପରେ କିଭଳି ଖସି ପଳାଇବେ ସେ ନେଇ ମଧ୍ୟ ଆଗୁଆ ପ୍ରସ୍ତୁତ ହୋଇଥିଲା ଯୋଜନା । ୬୫ ଗୁଳି ସହ ବାବା ସିଦ୍ଦିକିଙ୍କୁ ମାରିବାକୁ ଆସିଥିଲେ ହତ୍ୟାକାରୀ ।

Baba Siddique

ଏନସିପି ନେତା ବାବା ସିଦ୍ଦିକି ହତ୍ୟାକାଣ୍ଡରେ ବଡ଼ ଖୁଲାସା । କେମତି ବାବା ସିଦ୍ଦିକିଙ୍କୁ ମର୍ଡର କରିବା ଲାଗି ହୋଇଥିଲା ପ୍ଲାନ୍ । ତଦନ୍ତରୁ ଧୀରେ ଧୀରେ ସାମ୍ନାକୁ ଆସୁଛି ସଂଘାତିକ ତଥ୍ୟ । ମର୍ଡର ଅପରେସନ୍ ପଛରେ ଥିବା ଷଡ଼ଯନ୍ତ୍ରର ବଡ଼ ଖୁଲାସା ହୋଇଛି । ବାବା ସିଦ୍ଦିକିଙ୍କୁ ମାରିବାକୁ ପୁରା ପ୍ରସ୍ତୁତ ହୋଇ ଆସିଥିଲେ ସୁଟର୍ । ସିଦ୍ଦିକିଙ୍କ ଉପରକୁ ଫାୟାରିଂ ବେଳେ ଯେଭଳି କୌଣସି ବି ସୁଟରଙ୍କ ନିକଟରେ ଗୁଳିର ଅଭାବ ନପଡେ ସେଥିପାଇଁ ସେମାନଙ୍କୁ ଦିଆଯାଇଥିଲା ପର୍ଯ୍ୟାପ୍ତ ପରିମାଣର ବୁଲେଟ୍ । ଏପରିକି ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା ଲାଗି ୟୁଟ୍ୟୁବରେ ଦିଆଯାଇଥିଲା ତାଲିମ ।

ଆହୁରି ମଧ୍ୟ ମର୍ଡର କରିବା ପରେ କିଭଳି ଖସି ପଳାଇବେ ସେ ନେଇ ମଧ୍ୟ ଆଗୁଆ ପ୍ରସ୍ତୁତ ହୋଇଥିଲା ଯୋଜନା । ୬୫ ଗୁଳି ସହ ବାବା ସିଦ୍ଦିକିଙ୍କୁ ମାରିବାକୁ ଆସିଥିଲେ ହତ୍ୟାକାରୀ । ଏ ପର୍ଯ୍ୟନ୍ତ ଏହି ମାମଲାରେ ମୁମ୍ବାଇ ପୋଲିସ ୪ ଜଣଙ୍କୁ ଗିରଫ କରିସାରିଛି । ପୋଲିସର ସୂଚନା ଅନୁସାରେ ଦୁଇ ଅଭିଯୁକ୍ତ ଧନରାଜ କାଶ୍ୟପ ଏବଂ ଗୁରୁମୈଲ ସିଂଙ୍କ ନିକଟରେ ଥିଲା ୬୫ଟି ବୁଲେଟ । ଏଥିମଧ୍ୟରୁ ଦୁଇ ଜଣ ୬ଟି ଗୁଳି ବାବା ସିଦ୍ଦିକିଙ୍କ ଉପରକୁ ଚଳାଇଥିଲେ ।

ସୂଚନା ଅନୁସାରେ ଗତ ୧୨ ତାରିଖ ରାତିରେ ସିଦ୍ଦିକିଙ୍କୁ ବାନ୍ଦ୍ରା ସ୍ଥିତ ତାଙ୍କ ପୁଅଙ୍କ ଅଫିସ ଆଗରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ହତ୍ୟାକାଣ୍ଡ ସ୍ଥଳରେ ଦୁଇ ଅଭିଯୁକ୍ତ ବ୍ୟବହାର କରିଥିବା ଅଷ୍ଟ୍ରିଆ ନିର୍ମିତ ପିସ୍ତଲ ଏବଂ ଦେଶୀ ପିସ୍ତଲ ଜବତ କରିଥିଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ ବେଳେ ସେମାନଙ୍କ ଠାରୁ ୨୮ଟି ଜୀବନ୍ତ ଗୁଳି ଜବତ କରିଛି । ଏଥିସହିତ ଘଟଣାସ୍ଥଳରୁ ଏକ କଳା ବ୍ୟାଗ ମିଳିଥିଲା । ସେଥିରେ ଗୋଟିଏ ତୁର୍କୀ ନିର୍ମିତ ପିସ୍ତଲ ଏବଂ ୩୦ଟି ଜୀବନ୍ତ ଗୁଳି ଥିଲା । ଏଥିସହିତ ଆଧାର କାର୍ଡ ମଧ୍ୟ ବ୍ୟାଗରେ ଥିଲା ।

ଅଭିଯୁକ୍ତମାନେ ପ୍ରଥମେ ମୋଟର ବାଇକରେ ଆସି ଗୁଳି କରି ଫେରାର ମାରିବାକୁ ଯୋଜନା କରିଥିଲେ । ତେବେ ଦୁଇ ସନ୍ଦିଗ୍ଧଙ୍କୁ ନେଇ ଏକ ଦୁର୍ଘଟଣା ଘଟିବାରୁ ଏହି ଯୋଜନାକୁ ସେମାନେ ସ୍ଥଗିତ ରଖିଥିଲେ । ବରଂ ଅଟୋ ରିକ୍ସାରେ ଘଟଣାସ୍ଥଳକୁ ଯାଇ ହତ୍ୟା ପାଇଁ ଯୋଜନା କରିଥିଲେ । ହତ୍ୟା ପରେ ଧରା ପଡିବାରୁ ବଞ୍ଚିବା ଲାଗି ସେମାନେ ତୁରନ୍ତ ନିଜର ପୋଷାକ ମଧ୍ୟ ବଦଳେଇ ଦେଇଥିଲେ ।