• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସହ୍ୟ ହେଲାନି କି ପ୍ରେମିକ ଆତ୍ମହତ୍ୟା କରିବାର ଦୁଃଖ ? ମାତ୍ର କିଛି ଘଣ୍ଟା ପରେ ନିଜ ଜୀବନ ହାରିଦେଲେ ପ୍ରେମିକା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜରଡା ଥାନା ସାମନ୍ତରାପୁର ଗାଁରେ । ପାରିବାରିକ ସହମତି ନଥିବାରୁ ପ୍ରେମି ଯୁଗଳ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । କୋରାପୁଟ୍ ନାରାୟଣପାଟଣା ଡୁମୁଶିଲ ଗାଁରେ ମଧ୍ୟ ସମାନ ଘଟଣା ଘଟିଛି । ଏଣେ ପ୍ରେମରେ ବିଫଳ ଯୁବଗୋଷ୍ଠୀ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି ସାମାଜିକ ବିଜ୍ଞାନୀ ।

ଆଗେ ଆଗେ ପ୍ରେମିକ, ପଛେ ପଛେ ପ୍ରେମିକା । ପରସ୍ପରକୁ ନିବିଡ଼ ଭାବେ ଭଲ ପାଉଥିଲେ, ହେଲେ ଜଣେ ଜଣକୁ ଅଧା ରାସ୍ତାରେ ଛାଡ଼ି ଚାଲିଯିବାରୁ ଆର ଜଣକ ମଧ୍ୟ ବାଛିନେଲେ ସମାନ ରାସ୍ତା । ଗଞ୍ଜାମ ଜରଡ଼ା ଥାନା ସାମନ୍ତରାପୁର ଗାଁର ସୋନୁ ବେହେରା ଓ ସୁନୀତା ପ୍ରଧାନ ଉଭୟଙ୍କୁ ଦୀର୍ଘ ଦିନରୁ ପ୍ରେମ କରି ଆସୁଥିଲେ । ହେଲେ ବିବାହ ପାଇଁ ଉଭୟଙ୍କ ପରିବାରର ସ୍ୱୀକୃତି ମିଳିନଥିଲା । ତେଣୁ ପ୍ରେମରେ ନିରାଶ ଓ ନିରୁପାୟ ହୋଇ ସୋନୁ ଆଜି ଭୋରରୁ ଘରଠୁ କିଛି ଦୂର ଏକ ଆମ୍ବତୋଟାରେ ବେକରେ ରଶି ଲଗାଇ ଝୁଲି ଯାଇଥିଲେ । ଘରଲୋକେ ଖବର ପାଇ ପହଞ୍ଚିବା ବେଳକୁ ଦୁନିଆ ଛାଡ଼ି ସାରିଥିଲେ ସୋନୁ ।

ଏପଟେ ସୋନୁଙ୍କୁ ପ୍ରାଣ ଭରି ଭଲ ପାଉଥିବା ସୁନୀତା ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ । ସୋନୁଙ୍କ ଅନୁପସ୍ଥିତି ତାଙ୍କୁ ଅସହ୍ୟ ହୋଇଥିଲା । ଐଉ ଏହାର କିଛି ସମୟ ପରେ ହିଁ ଗାଁର ଏକ ସ୍ଥାନରୁ ତାଙ୍କ ଝୁଲନ୍ତା ମୃତଦେହକୁ ଗାଁ ଲୋକେ ଉଦ୍ଧାର କରିଥିଲେ ।

କୋରାପୁଟ ଜିଲ୍ଲା ନାୟରାୟଣପାଟଣାରେ ବି ଘଟିଛି ଅନୁରୂପ ଘଟଣା । ସ୍ଥାନୀୟ ଡୁମୁଶିଲ ଗାଁ ନିକଟରୁ ଦୁଇ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ବାମଣ ୱାଡ଼େକା ବିବାହିତ ହୋଇଥିବା ବେଳେ ତାଙ୍କ ଘର ଡୁମୁସିଲ ଗାଁରେ । ମୃତ ଯୁବତୀଙ୍କ ଘର ନିକଟସ୍ଥ ଭାଲିଆପୁଟ ଗାଁରେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଉଛି ।

ଘଟଣାସ୍ଥଳରେ ଏକ କୀଟନାଶକ ବୋତଲ ମିଳିଥିବାରୁ ଏମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ହେଲେ ଏହା ହତ୍ୟା ନାଁ ଆତ୍ମହତ୍ୟା, ତାହା ସ୍ପଷ୍ଟ ହୋଇନି । ପ୍ରେମରେ ଅସଫଳ ପରେ ମୂଲ୍ୟବାନ ଜୀବନ ହାରିଦେବା ମାନସିକତା ଯୁବଗୋଷ୍ଠୀଙ୍କ ମଧ୍ୟରେ କାହିଁକି ବଢୁଛି ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମନସ୍ତତ୍ୱବିତ ।

ଏହାପୂର୍ବରୁ ଗତ ୨୦ ତାରିଖରେ ଖୋର୍ଦ୍ଧା କାଇପଦର-ଧଉଳିମୁହାଁ ଷ୍ଟେସନ୍ ମଧ୍ୟବର୍ତ୍ତୀ ଅଞ୍ଚଳର ରେଳ ଧାରଣା କଡ଼ରୁ ଜଣେ ଯୁବକ ସୌମ୍ୟରଞ୍ଜନ ପରିଡାଙ୍କ ମୃତଦେହ ମିଳିଥିଲା । ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ସେ ନିଜ ହାତ କାଟିବା ସହ ପ୍ରେମରେ ଧୋକା ଖାଇଥିବା କହିଥିଲେ । ସେହିଭଳି କିଛି ଦିନ ତଳେ ଗଂଜାମର ହିଞ୍ଜିଳିକାଟୁ ଥାନା ଖଣ୍ଡରା ଗାଁରେ ମଧ୍ୟ ଦୁଇ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।