ଇଏ କି ଠକେଇ ? ହଠାତ୍‌ କଲ ଆସିବ ଆଉ ସେପଟୁ ଟଙ୍କା ପଠାଇଛି କହିବ, ତାପରେ ଫେରସ୍ତ ମାଗିବ..!

ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ ।

Cyber Crime

ହଠାତ ଆପଣଙ୍କ ମୋବାଇଲ କୁ କଲ ଆସିବ । ଆଉ କେହି ଜଣେ ଅଜଣା ଲୋକ ନିଜର ଭାବି କଥା ହେବ । ଆପଣଙ୍କ ସମ୍ପର୍କିୟ ବନ୍ଧୁ ପରିଜନଙ୍କ ପରିଚୟ ଦେବ । ଖାଲି ସେତିକି ନୁହଁ । ଫୋନ କଲ ପରେ ଟଙ୍କା ପଠାଇଥିବାର ମେସେଜ ଆସିବ । ଅନୁରୋଧ କରିବ କିଛି ଟଙ୍କା ପଠାଇଲି ମୋର ଜଣେ ବନ୍ଧୁଙ୍କୁ ଦେଇଦେବେ । ଟଙ୍କା ପଠାଇବାର ବି ମେସେଜ ଆସିବ । କିନ୍ତୁ ଟଙ୍କା ଆସିନଥିବ ଖାଲି ମିଥ୍ୟା ମେସେଜ ଆସିବ । ତାପରେ ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ ।

ଏତେ ସଚେତନତା ପରେ ବି ସାଇବର ଠକଙ୍କ ଶିକାର ହୋଇଛନ୍ତି ଯାଜପୁରର ଜଣେ ଓକିଲ । ସେ ଠକାମିର ଶିକାର ହେବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗ ପରେ ଟଙ୍କା ଲୁଟୁଥିବା ସାଇବର ଠକକୁ ଗିରଫ କରି କୋର୍ଟ ପଠାଇଛି ଯାଜପୁର ପୋଲିସ । ଠକ ଜଣକ ହେଉଛି ନୟାଗଡ ଜିଲ୍ଲାର କାର୍ତିକ ରାଉତରାୟ । ତାକୁ କଟକ ବାଙ୍କି ଅଂଚଳରୁ ଗିରଫ କରିଛି ପୋଲିସ । ତା ନିକଟରୁ ୬ଟି ବ୍ୟାଙ୍କ ଖାତା ଓ ୪ଟି ମୋବାଇଲ ଜବତ ହୋଇଛି ।

ସୁଚନା ଅନୁସାରେ ଯାଜପୁର ଟାଉନ ଅଂଚଳର ଜଣେ ଓକିଲଙ୍କୁ ଠକ ଜଣକ ପ୍ରଥମେ କଲ କରି ଜଣକୁ ସାହାଯ୍ୟ କରିବା ଲାଗି ୧୦ ହଜାର ପଠାଇଥିବାର ମିଥ୍ୟା ମେସେଜ ପଠାଇ ପୁଣି ଟଙ୍କା ଫେରାଇ ଦେବାକୁ କହି ଟଙ୍କା ଠକି ନେଇଥିଲା । ଏନେଇ ଯାଜପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ପୁର୍ବରୁ ଏହି ଅଭିଯୁକ୍ତ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୧୦ରୁ ଉର୍ଦ୍ଧ ମାମଲା ରହିଛି ।

ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏହି ଠକାମିରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଠାବ କରାଯିବ ବୋଲି ଯାଜପୁର ଏସଡିପିଓ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ।