• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଭିଯୁକ୍ତକୁ ଧରିଲା କୁକୁର । ଇଏ କୌଣସି ସାଧାରଣ କୁକୁର ନୁହେଁ । ପୋଲିସ କୁକୁର । ଯିଏ ଖଣ୍ଡିଏ ରୁମାଲ ଶୁଙ୍ଘି ବି ଅଭିଯୁକ୍ତ ପାଖରେ ପହଞ୍ଚିଯାଏ । ସେଥିପାଇଁ ଏହାକୁ ଇଂରାଜୀରେ ସ୍ନିଫର ଡଗ୍‌ ବୋଲି କହନ୍ତି । ଏହି ସବୁ ଘଟଣା ବା କାହାଣୀ ଆପଣ ଫିଲ୍ମରେ ଦେଖିଥିବେ । କିନ୍ତୁ ଠିକ୍‌ ଏମିତି ଏକ କାହାଣୀ ଆମେ ଆପଣଙ୍କୁ କହିବୁ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ପୋଲିସ କୁକୁର ସାହାଯ୍ୟରେ ୟୁପି ପୋଲିସ ଏକ ବଡ଼ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି । ୬୨ ବର୍ଷିୟ ଜଣେ ମହିଳା ସାବିତ୍ରୀ ଦେବୀଙ୍କୁ ହତ୍ୟା କରାଯାଇଥିଲା । ଆଉ ତାଙ୍କୁ ହତ୍ୟା କରିଥିଲା ତାଙ୍କରି ନିଜ ପୁତୁରା ସାଗର ସିଂହ । ଯାହାର ବୟସ ମାତ୍ର ୨୨ । ଏହି ଘଟଣା ଘଟିଛି ବୁଲନ୍ଦସହର ଜିଲ୍ଲାର ଆକବରପୁର ରାଇନା ଗାଁରେ । ଏହି ହତ୍ୟକାଣ୍ଡରେ ପୋଲିସ ଦୋଷୀକୁ ଧରିବା ପାଇଁ ଟେର ପାଉନଥିଲା । କିନ୍ତୁ କୁକୁର ଧରାଇଦେଲା ପ୍ରକୃତ ଦୋଷୀକୁ । ଆଉ ଦୋଷୀକୁ ଧରିବା ପରେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପଛର କାରଣ ।

ହତ୍ୟାକାଣ୍ଡର କାରଣ ଯିଏ ବି ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ୨୨ ବର୍ଷିୟ ସାଗର ଗର୍ଲ ଫ୍ରେଣ୍ଡ ସହ ଲଦାକ୍ ଟ୍ରିପ୍‌ରେ ଯିବା ପାଇଁ ସାବିତ୍ରୀ ଦେବୀଙ୍କୁ କିଛି ଟଙ୍କା ଏବଂ କାର ଚାବି ମାଗିଥିଲା । ହେଲେ ସାବିତ୍ରୀ ଦେବୀ ସାଗର କଥା ଶୁଣିନଥିଲେ । କିମ୍ବା ସାଗରକୁ ଟଙ୍କା ଆଉ କାର ଚାବି ଦେଇନଥିଲେ । ଯାହାକୁ ନେଇ ସାଗର ଉତ୍‌କ୍ଷିପ୍ତ ହୋଇଥିଲା । ଆଉ ରାଗି ଯାଇ ଏକ ହାତୁଡ଼ିରେ ସାବିତ୍ରୀ ଦେବୀଙ୍କ ମୁଣ୍ଡକୁ ଆଘାତ ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସାବିତ୍ରୀ ଦେବୀ ଟଳି ପଡ଼ିଥିଲେ । ସାଗର ତାଙ୍କୁ ସେଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାଡ଼ି ଚମ୍ପଟ ମାରିଥିଲା । 

ସାବିତ୍ରୀ ଦେବୀଙ୍କ ହତ୍ୟା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ତାଙ୍କ ସ୍ୱାମୀ ଗଜବୀର ସିଂହ (୬୫) ଘରକୁ ଫେରିଥିଲେ । ସେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାହାରେ ଥିଲେ । ଶୁକ୍ରବାର ସେ ଘରକୁ ଫେରି ଦେଖିଥିଲେ ଯେ, ତାଙ୍କ ପତ୍ନୀଙ୍କ ମରଶରୀର ପୁଲ୍‌ରେ ପଡ଼ିଛି । ପୁଲ୍ ସାରା ରକ୍ତ । ତାଙ୍କ ମୁଣ୍ଡରେ ଏକାଧିକ କ୍ଷତ ଚିହ୍ନ ରହିଛି । ଏହି ଘଟଣା ନେଇ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଳିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାସହ ଏକ ହତ୍ୟା ମାମଲା ମଧ୍ୟ ରୁଜୁ କରିଥିଲା ପୋଲିସ । 

ମିଳିଥିବା ସୂଚନା ଅନୁଯାୟୀ ସାଗର କିଛି ଦିନ ମର୍ଚ୍ଚ୍ୟାଣ୍ଟ ମ୍ୟାରିନ୍‌ରେ କାମ କରୁଥିଲା । ସେ ପ୍ରାୟ ବର୍ଷେ ପରେ ଘରକୁ ଫେରିଥିଲା ।

ହେଲେ ହତ୍ୟାକାଣ୍ଡ ପରେ ସାଗରର ଟେର ମିଳିନଥିଲା ।  ଶେଷରେ ସ୍ନିଫର ଡଗ୍‌ର ସାହାଯ୍ୟ ନେଇଥିଲା ପୋଲିସ । ସାଗର ନିଜ ଘର ଛାତ ଉପରେ ଥିବା ଏକ ସିଙ୍ଗ୍‌ଲ ରୁମ୍‌ରେ ଲୁଚି ରହିଥିଲା । କୁକୁର କ୍ରାଇମ୍ ସିନ୍‌ରୁ ସୁଙ୍ଘି ସୁଙ୍ଘି ଯାଇ ସେଠାରେ ପହଞ୍ଚିଥିଲା । ପରେ ପୋଲିସ ସାଗରକୁ ଗିରଫ କରିଥିଲା । ଆଉ ସାଗର ହତ୍ୟାକାଣ୍ଡର ପୁରା କାହାଣୀ ପୋଲିସ ଆଗରେ ବଖାଣିଥିଲା ।

ତେବେ ପୋଲିସ ଏହା ମଧ୍ୟ କହିଛି ଯେ, ସାଗର ପ୍ରଥମେ ଘଟଣାର ମୋଡ଼ ବଦଳାଇବାକୁ ଚେଷ୍ଟା କରିଥିଲା । ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ଘଟଣାରେ ମିଛରେ ଫସାଇବା ପାଇଁ ଚେଷ୍ଟା କରୁଥିଲା । କିନ୍ତୁ ପୋଲିସ ସାଗର ସାର୍ଟରେ ଲାଗିଥିବା ରକ୍ତ ଛିଟାରୁ ସବୁ କିଛି ସ୍ପଷ୍ଟ ବାରି ପାରିଥିଲା ।