Advertisment

କେଉଁ କାରଣ ପାଇଁ ଉଗ୍ର ରୂପ ନେଲା ଆନ୍ଦୋଳନ ?

ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣର ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ହେଡକ୍ୱାର୍ଟରକୁ ବଦଳି କରାଯାଇଛି। ସେହିପରି ଥାନା ପୋଡ଼ି ମାମଲାରେ ୩୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରାଯିବା ସହ ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରାଯାଇଛି।

 IIC transferred to headquarters after mob vandalises police station in Kandhamal

IIC transferred to headquarters after mob vandalises police station in Kandhamal

Advertisment

ପୋଲିସ ବିରୋଧରେ ଥିବା ଲୋକଙ୍କ ସ୍ବତଃସ୍ଫୃତ ଅସନ୍ତୋଷ ନା ଗଞ୍ଜେଇ ମାଫିଆଙ୍କ ଉସୁକାଣ। ଗତକାଲି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଓ ଭଙ୍ଗାରୁଜା ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ। କେଉଁ କାରଣ ପାଇଁ ଏଭଳି ଉଗ୍ର ରୂପ ନେଲା ଆନ୍ଦୋଳନ ତାକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ, ପୋଲିସ୍ ୩୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିବା ସହ ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରି ତନାଘନା କରୁଛି। ସେପଟେ ଗଞ୍ଜେଇ ଚାଲାଣ ଅଭିଯୋଗ ଥିବା ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସହ ଥାନା ଆଇଆଇଆସିଙ୍କୁ ମଧ୍ୟ ବଦଳି କରାଯାଇଛି।

Advertisment

ଗଞ୍ଜେଇ ଓ ଆକ୍ରୋଶର ନିଆଁରେ ଥାନା ଜଳିଲା, ମାଲଖାନା ଜଳିଲା। ଆଇନଶୃଙ୍ଖଳା ବ୍ୟବସ୍ଥାର ଧଜିଆ ଉଡ଼ାଇ ଥାନା ଭିତରେ ଗତକାଲି ଆନ୍ଦୋଳନକାରୀଙ୍କ ପାଖାପାଖି ଦେଢ଼ଘଣ୍ଟାର ଉଗ୍ରତାଣ୍ଡବ। ଥାନା ଭିତରେ ଆଉ କିଛି ବାକି ନାହିଁ। ଟେବୁଲ ଚୌକି, ଆସବାବ ପାଖାପାଖି ୮୦ ପ୍ରତିଶତ ଅଙ୍ଗାର। ଯେଉଁ ଗଞ୍ଜେଇ ପାଇଁ ଏତେବଡ଼ କାଣ୍ଡ, ମାଲଖାନାରେ ଜବତ ସେଇ ଗଞ୍ଜେଇରୁ ଆଜି ସକାଳ ଯାଏଁ ବି ଲିଭିନଥିଲା ଧୂଆଁ। ସେ ଭିତରେ ଥାନାକୁ ପୁଣି କାର୍ଯ୍ୟକ୍ଷମ କରାଇବାର ପ୍ରୟାସ ସାଙ୍ଗକୁ କାଲିର ଘଟଣା ପାଇଁ କାର୍ଯ୍ୟାନୁଷ୍ଠାନ ନେବା ବି ଆରମ୍ଭ କରିଛି ପୋଲିସ୍।

ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣର ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ହେଡକ୍ୱାର୍ଟରକୁ ବଦଳି କରାଯାଇଛି। ସେହିପରି ଥାନା ପୋଡ଼ି ମାମଲାରେ ୩୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରାଯିବା ସହ ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଭାଇରାଲ୍ ଭିଡିଓର ସତ୍ୟତା ଯାଞ୍ଚ ସହ ଗଞ୍ଜେଇ ଚାଲାଣ ଅଭିଯୋଗର ବି ତଦନ୍ତ ହେବ ବୋଲି ଏସପି କହିଛନ୍ତି।

Advertisment

ହେଲେ ସାଧାରଣ ଲୋକେ କିନ୍ତୁ ପୋଲିସ ବିରୋଧରେ ଥିବା ଗଞ୍ଜେଇ ଚାଲାଣ ଅଭିଯୋଗ ପ୍ରତି ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ବର୍ଷିଛନ୍ତି। କାଲିର ଲଙ୍କାକାଣ୍ଡ ପରେ ଆଜି ବଜାର ପୂରା ଶୂନଶାନ୍। ଉତ୍ତେଜନା ପ୍ରଶମିତ ହୋଇଥିଲେ ବି ଭୟ ପାଇଁ ଆଜି ଦୋକାନ ବଜାର ବନ୍ଦ ରଖିଛି ବ୍ୟବସାୟୀ ସଂଘ। ଆଉ ଏପଟେ ଗଣ୍ଡଗୋଳ ଘଟଣାରେ ପୋଲିସ କିଛି ଲୋକଙ୍କୁ ଉଠାଇ ନେବା ପରେ ତାକୁ ନେଇ ବି ଅସନ୍ତୋଷ। ଥାନା ପୋଡ଼ି ଘଟଣାରେ ଦୋଷୀଙ୍କୁ ଛାଡ଼ି ପୋଲିସ ନିର୍ଦ୍ଦୋଷ ପୁଅକୁ ଉଠାଇ ନେଇଥିବା କହି ଥାନା ଆଗରେ ପ୍ରତିବାଦ କରିଛନ୍ତି ଜଣେ ମହିଳା।

ଭାଇରାଲ ହେଉଥିବା ଏ ଭିଡିଓ ପାଇଁ ହିଁ ଘଟିଥିଲା ଏତେବଡ଼ କାଣ୍ଡ। ଅଭିଯୋଗ ଥିଲା ଗତ ତିନି ତାରିଖ ରାତି ପ୍ରାୟ ୩ଟା ବେଳେ ଆଇଆଇସିଙ୍କ ଜାଣନ୍ତରେ ଥାନା ଗାଡ଼ିରେ ଦୁଇ ହୋମଗାର୍ଡ ଗଞ୍ଜେଇ ଚାଲାଣ କରୁଥିଲେ। ହେଲେ ଏ ଗାଡ଼ିକୁ ଧରି ଏନେଇ ପୋଲିସ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଅଭିଯୋଗ ପରେ ପ୍ରଥମେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ , ଆଉ ତାପରେ ହଠାତ୍ ଭିଡ଼ ଉଗ୍ର ହୋଇ ଘଟାଇଥିଲା ଏମିତି କାଣ୍ଡ।

Advertisment

କେବଳ ଏତିକିନୁହେଁ, ଗଞ୍ଜେଇ ଚାଲାଣରେ ପୂର୍ବରୁ ଫିରିଙ୍ଗିଆ ପୋଲିସ ସଂପୃକ୍ତିର ରେକର୍ଡ ବି ଭଲ ନୁହେଁ। କାରଣ ୨୦୧୪ରେ ଫିରିଙ୍ଗିଆ ଥାନାର ଦୁଇ ଜଣ ପୋଲିସ୍ ଏଏସ୍ଆଇ, ଦୁଇଜଣ କନେଷ୍ଟବଳ ଗିରଫ ହୋଇଥିଲା ବେଳେ ୨୦୨୦ରେ ମଧ୍ୟ ଅନୁରୂପ ଅଭିଯୋଗରେ ଫିରିଙ୍ଗିଆ ଥାିନାର ୩ଜଣ କନେଷ୍ଟବଳ ଗିରଫ ହୋଇଥିଲେ। ତେଣୁ ଗଞ୍ଜେଇ ଚାଲାଣର ହବ୍ କୁହାଯାଉଥିବା ଏ ଅଞ୍ଚଳରୁ ପୋଲିସ ମାଫିଆଙ୍କଠାରୁ ଜବତ କରୁଥିବା ଗଞ୍ଜେଇକୁ ନିଜେ ବିକ୍ରି କରୁଥିବା ସନ୍ଦେହ ହିଁ ଏଭଳି ଲଙ୍କାକାଣ୍ଡ ପଛର କାରଣ ବୋଲି କୁହାଯାଉଛି।

ତେବେ ଗତକାଲିର ଏ ଘଟଣା ଏତେ ବଡ଼ ରୂପ ନେବା ପଛରେ ଗଞ୍ଜେଇ ମାଫିଆଙ୍କ ହାତ ଥିବା ବି ସନ୍ଦେହ କରାଯାଉଛି। ଏପରିକି ଘଟଣା ପରେ ଦକ୍ଷିଣାଞ୍ଚଳ ପୋଲିସ୍ ଆଇଜି ମଧ୍ୟ, କନ୍ଧମାଳ ଜିଲ୍ଲାରେ ରେକର୍ଡ ସଂଖ୍ୟକ ଗଞ୍ଜେଇ ଜବତ ହୋଇଥିବାରୁ ହିଂସା ପଛରେ ପ୍ରତିକ୍ରିୟାଶୀଳ ଗଞ୍ଜେଇ ମାଫିଆଙ୍କ ସଂପୃକ୍ତି ଥିବା କହିଥିଲେ। ଲୋକଙ୍କ ସ୍ବତଃସ୍ଫୃତ ଅସନ୍ତୋଷ ନା ଗଞ୍ଜେଇ ମାଫିଆଙ୍କ ଉସୁକାଣ ?

Ganja Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ