ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍, ଶହ ଶହ ଲିଟର ଦେଶୀ ମଦ ଜବତ

ରେଡ୍ ବେଳେ ପ୍ରାୟ ୫ ହଜାର ଲିଟର ପୋଚ ନଷ୍ଟ କରଛି ଅବକାରୀ ବିଭାଗ । ମାମଲାରେ ୬ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

Excise Raid

ପୁଣି ସାଲିଆ ସାହିରେ ଠାବ ହେଲା ଚୋରା ଦେଶୀ ମଦଭାଟି । ସାଲିଆସାହି ନୀଳଚକ୍ର ନଗରରେ ଅବକାରୀ ଟିମ୍ ରେଡ୍ ମାରିଛି । ରେଡ୍ ବେଳେ ପ୍ରାୟ ୫ ହଜାର ଲିଟର ପୋଚ ନଷ୍ଟ କରଛି ଅବକାରୀ ବିଭାଗ । ମାମଲାରେ ୬ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଫେରାର ମାରିଛି । ଏହି ମାମଲାରେ ଅବକାରୀ ବିଭାଗ ଗୋଟିଏ ସ୍କୁଟି ଜବତ କରିଛି । ସେହିପରି ଗତକାଲି ମୟୂରଭଂଜରୁ ଦେଶୀ ମଦ ନେଇ ଆସୁଥିବା ଏକ କାର ଜବତ କରିଛି ପୋଲିସ ।

ଏହା ପୂର୍ବରୁ ଦେଶୀ ମଦକୁ ନେଇ ତତ୍ପର ହୋଇଥିଲା କମିସନରେଟ୍‌ ପୋଲିସ୍ । ସାଲିଆ ସାହିରେ ଗତ ଅଗଷ୍ଟ ୨୪ରେ ଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଥିଲା ପୋଲିସ୍‌ । କମିଶନରେଟ ପୋଲିସ ଚଢ଼ାଉ ବେଳେ ସାଲିଆ ସାହିରେ ୩ଟି ଦେଶୀ ମଦ କାରଖାନା ଠାବ କରିଥିଲା । ଚଢ଼ାଉ ସମୟରେ ସେଠାରେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଥିଲା ।

ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତାରି ଭିତରେ ଚାଲିଥିଲା ଦେଶୀ ମଦ କାରବାର । ସିକ୍ରେଟ ଚାମ୍ବର ଭିତରେ ଥିଲା ସବୁ ପ୍ରକାର ସୁବିଧା । ଏମିତିକି ସେଠାରେ ୱାଇଫାଇ, ଏସି ଲାଗିଥିବା ସହ ବିଭିନ୍ନ ଆରାମଦାୟକ ସାମଗ୍ରୀ ମଧ୍ୟ ରହିଥିଲା । ତେବେ ଏହି ରେଡ୍ ବେଳେ ବିପୁଳ ଦେଶୀ ମଦ ଓ ପୋଚ ସହ ପ୍ରସ୍ତୁତକାରୀ ସରଞ୍ଜାମ ଜବତ କରିଥିଲା କମିଶନରେଟ୍‌ ପୋଲିସ୍ ।

ସେପଟେ ସାଲିଆ ସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହେବା ପରେ ସେଠାରେ ଚାଲିଥିଲା ବୁଲଡୋଜର । ବୁଲଡୋଜର ଲଗାଇ ଚୋରା ମଦ ଭାଟି ଭାଙ୍ଗିଥିଲା କମିଶନରେଟ୍‌ ପୋଲିସ୍ ।