Astrospeak
  • Live TV
  • Read In English

‌DRDO ତଥ୍ୟ ଲିକ୍‌ ମାମଲାରେ NIA କିମ୍ବା CBI ତଦନ୍ତ ପାଇଁ ହୋଇକୋର୍ଟଙ୍କ ନିର୍ଦେଶ

ଗୁପ୍ତଚରୀ ଘଟଣାର ସିବିଆଇ କିମ୍ବା ଏନ୍ଆଇଏ ତଦନ୍ତ କରାଇବା ଲାଗି ଦାବି କରି ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଏହାକୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି । 

DRDO
DRDO

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର DRDO ଗୁପ୍ତଚରୀ ମାମଲାର ସିବିଆଇ କିମ୍ବା ଏନ୍‌ଆଇଏ ତଦନ୍ତ ଦାବି ନେଇ ହାଇକୋର୍ଟଙ୍କ ନୋଟିସ । କେନ୍ଦ୍ର, ରାଜ୍ୟ, ସିବିଆଇ ଓ ଏନ୍ଆଇଏକୁ ନୋଟିସ କରିଛନ୍ତି ହାଇକୋର୍ଟ । ଏହାସହ ଚାଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସ୍ଥିତି ନେଇ ରିପୋର୍ଟ ଦାଖଲ କରିବାକୁ ନୋଟିସରେ କୁହାଯାଇଛି । ଗୁପ୍ତଚରୀ ଘଟଣାର ସିବିଆଇ କିମ୍ବା ଏନ୍ଆଇଏ ତଦନ୍ତ କରାଇବା ଲାଗି ଦାବି କରି ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଏହାକୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି । 

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ହନିଟ୍ରାପ୍‌ର ମାୟାଜାଲରେ ଛନ୍ଦି ହୋଇଥିବା ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିର ଅଭିଯୁକ୍ତଙ୍କ ଯୁବତୀ ଲିଙ୍କ୍‌ରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଥିଲା । ପୁଣି ଜଣେ ଯୁବତୀଙ୍କ ସହ ଟଙ୍କା କାରବାରର ପ୍ରମାଣ ଲାଗିଥିଲା କ୍ରାଇମବ୍ରାଞ୍ଚ ହାତରେ । ଏଥର ଲିଙ୍କ୍ ଆସିଥିଲା ମାୟାନଗରୀ ମୁମ୍ବାଇରୁ । ସୋସିଆଲ୍ ମିଡିଆରୁ ପରିଚୟ, ପରେ ସଂପର୍କରେ ଅନ୍ତରଙ୍ଗତା ଆଣି ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ସହ ଟଙ୍କା କାରବାର କରିଥିଲେ ରହସ୍ୟମୟୀ ଯୁବତୀ । 

DRDO ହାନିଟ୍ରାପ ମାମଲାରେ ପୂର୍ବରୁ ଜଣେ ଅଭିଯୁକ୍ତଙ୍କ ଅକାଉଣ୍ଟକୁ ଆସିଥିଲା ୩୮ ହଜାର ଟଙ୍କା । ଯେଉଁଥିରୁ ୨୪ ହଜାର ଟଙ୍କାର ତଥ୍ୟ ମିଳିଥିଲା । ଏଭଳି ଅନ୍ତର୍ଜାତୀୟ ଲିଙ୍କରେ ଖୁଲାସା ପାଇଁ କୌଣସି ଜାତୀୟ ସ୍ତରର ସଂସ୍ଥାକୁ ତଦନ୍ତଭାର ଦିଆଗଲେ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ITER ତଥ୍ୟ ଲିକ୍ ମାମଲାର ଖୁଲାସା ହୋଇପାରିବ ବୋଲି କହିଥିଲେ ପ୍ରତିରକ୍ଷା ବିଶେଷଜ୍ଞ । 

ସୂଚନାଯୋଗ୍ୟ ପାକିସ୍ତାନୀ ଗୁପ୍ତଚରଙ୍କୁ ଡିଆର୍‌ଡିଏର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ପୋଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପଚରାଉଚରା ପରେ ପୋଲିସ ଆଇଟିଆର୍‌ର ଠିକା ଏସି ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀଙ୍କୁ ଗିରଫ କରିଥିଲା । ମାମାଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା । ସେ ଡିଆର୍‌ଡିଓର ଜଣେ ଅଧିକାରୀଙ୍କ ଗାଡି ଚଳାଉଥିଲେ ।