• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ନେହ, ପ୍ରେମ ଓ ଆଦରରେ ବନ୍ଧା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ଏହି ପବିତ୍ର ବନ୍ଧନ ପାଇଁ ସମର୍ପଣ ଭାବ ନିହାତି ରହିବା ଆବଶ୍ୟକ । ଯେଉଁଠି ଜଣେ କିଛି କହିବା ଆଗରୁ ଅନ୍ୟ ଜଣକ ତା’ର ଭାବନା ବୁଝିଯାଏ । ସମ୍ପର୍କ ସେତେବେଳେ ମଜଭୁତ ହୁଏ, ଯେତେବେଳେ ସମ୍ପର୍କରେ ସ୍ୱାର୍ଥ ନଥାଏ ଆଉ ଜଣେ ଜଣଙ୍କ ପ୍ରତି ଆଦର ଓ ସମ୍ମାନ ଭାବ ରଖିଥାଏ । ହେଲେ ଆଜିକାଲିକା ଭେଜାଲ ଦୁନିଆରେ ଏ ସମ୍ପର୍କ ମଧ୍ୟ ଭେଜାଲ ହୋଇଗଲାଣି । ଟିକିଏ ମନାନ୍ତରରେ ମାରଧର ଠାରୁ ଆରମ୍ଭ କରି କଥା ବିଚ୍ଛେଦ ଯାଏ ପହଞ୍ଚିଯାଉଛି । କେବଳ ଏତିକି ନୁହେଁ ଟିକିଏ ରାଗ ପାଇଁ ହତ୍ୟା ପର୍ଯ୍ୟନ୍ତ ପହଞ୍ଚିଯାଉଛି କଥା । ନିକଟରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି । ଚା’ ଦେବାରେ ବିଳମ୍ବ ହେବାରୁ ଜଣେ ୫୨ ବର୍ଷୀୟ ବ୍ୟକ୍ତି ହିତାହିତ ଜ୍ଞାନ ଭୁଲି ସ୍ତ୍ରୀ’ର ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛି ।

ଦିନ ମଜୁରିଆ ଭାବରେ କାମ କରୁଥିବା ଧରମବୀର ସକାଳ ୬ଟାରେ ନିଦରୁ ଉଠିବା ମାତ୍ରେ ସ୍ତ୍ରୀ ସୁନ୍ଦରୀଙ୍କୁ ଚା ଦେବା ପାଇଁ କହିଥିଲେ । ହେଲେ ସେ ଅନ୍ୟ କାମ ଥିବାରୁ ଟିକିଏ ଡେରି ହେବ ବୋଲି ଧରମବୀରଙ୍କୁ କହିଥିଲେ । ହେଲେ ସ୍ତ୍ରୀ କଥାକୁ ହେୟଜ୍ଞାନ କରି ପୁଣି ୫ ମିନିଟ୍‌ ପରେ ଆଉ ଥରେ ଚା’ ମାଗିଥିଲା ଅଭିଯୁକ୍ତ । ଅନ୍ୟପଟେ ଚା’ ହେବାକୁ ୧୦ ମିନିଟ ଲାଗିବ ବୋଲି ସୁନ୍ଦରୀ କହିବାରୁ ଧରମବୀର ରାଗିଯାଇ ବାସନ କୁସନକୁ ଗୋଇଠା ମାରିଥିଲା । ଏହାଦେଖି ସୁନ୍ଦରୀ ମଧ୍ୟ ରାଗି ଯାଇଥିଲେ, ଆଉ ଏନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଆଉ ଧରମବୀର ରାଗରେ ଜରଜର ହୋଇ ଗୋଟିଏ ଖଣ୍ଡା ଆଣି ସ୍ତ୍ରୀର ମୁଣ୍ଡ କାଟି ହତ୍ୟା କରିଥିଲା ।

ମା’ର ଚିତ୍କାର ଶୁଣି ପାଖ କୋଠରିରେ ଶୋଇଥିବା ୩ପୁଅ ଓ ଗୋଟିଏ ଝିଅ ଧାଇଁ ଆସିଥିଲେ । ସମସ୍ତେ ମିଶି ପିଶାଚ ବାପା ଠାରୁ ମାଆକୁ ରକ୍ଷା କରିବାକୁ ଚେଷ୍ଟା କଲେ । ହେଲେ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା । ଧରମବୀର ହାତରେ ଖଣ୍ଡା ଥିବାରୁ କେହି ଭୟରେ ତା’ ପାଖ ମାଡ଼ିନଥିଲେ । ତେବେ ମା’ର ମୃତ୍ୟୁ ପରେ ପୁଅମାନେ ଫୋନ୍‌ କରି ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ ।

ଜଣେ ପୁଅ କହିଛି, ଚା’ ପାଇଁ ବାପା ସବୁବେଳେ ଗଣ୍ଡଗୋଳ କରନ୍ତି । ସକାଳୁ ଉଠିବା ମାତ୍ରେ ଚା’ ପାଇଁ ପାଟିତୁଣ୍ଡ ଆରମ୍ଭ କରି ଦିଅନ୍ତି । ଦିନକୁ ୫/୬ କପ୍‌ ଚା ପିଇବା ତାଙ୍କର ଅଭ୍ୟାସ । କେତେବେଳେ କୌଣସି କାମ ପାଇଁ ଚା’ କରିବାରେ ବିଳମ୍ବ ହେଲେ ଘରେ ଥିବା ଜିନିଷପତ୍ର ଫିଙ୍ଗାଫୋପଡ଼ା କରିବା ସହ ମା’ଙ୍କୁ ଗାଳି ଦିଅନ୍ତି । ହେଲେ ଯେତେ ଝଗଡ଼ା ହେଲେ ସୁଦ୍ଧା ବାପା କେବେ ବି ମା’କୁ ମାରିବାର ଦେଖିନଥିବା ସେ କହିଛନ୍ତି ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସୁନ୍ଦରୀଙ୍କ ଶବ ପାଖରେ ବସି ଧରମବୀର କନ୍ଦାକଟା କରୁଥିବା ପୋଲିସ କହିଛି । ଏବେ ତାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ସୁନ୍ଦରୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଧରମବୀରଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି ।