Advertisment

ଘର ସାମ୍ନାରେ ପୂର୍ବତନ ସରପଞ୍ଚଙ୍କୁ ହାଣି ପକାଇଲେ

ଗୁଣିଗାରେଡ଼ି ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ଘର ସାମ୍ନାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା। ଏଥିରେ ତାଙ୍କ ବେକ ପାଖରେ ଗଭୀର ଆଘାତ ଲାଗିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Former Sarpanch Killed By Miscreant

Former Sarpanch Killed By Miscreant

ଗୁଣିଗାରେଡ଼ି ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ବୀଭତ୍ସ ହତ୍ୟା। ଘର ସାମ୍ନାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ମୃତ ପୂର୍ବତନ ସରପଞ୍ଚଙ୍କ ନାଁ ଶିବରାମ ସାହୁ। ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଲେ କଇଁଫୁଲିଆ ସାହିର ଦୀପକ ବେହେରା। 

Advertisment

ସୂଚନା ଅନୁସାରେ, ଘର ବାଡ଼ିରେ ତୁଳସୀ ପତ୍ର ତୋଳୁ ଥିବାବେଳେ ଦୀପକ ହଠାତ୍‌ ଧାରୁଆ ଅସ୍ତ୍ରରେ ଶିବରାମଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ବେକ ପାଖରେ ଗଭୀର ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିବରାମ ଟଳି ପଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଦୌଡ଼ି ଆସିବା ଦେଖି ଦୀପକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। 

ଶିବରାମ ପୂର୍ବରୁ ବଳରାମ ପ୍ରସାଦ ପଞ୍ଚାୟତର ସରପଞ୍ଚ ଥିଲେ। ବିଜେଡିର ଜଣେ ଟାଣୁଆ ନେତା ଭାବେ ସେ ପରିଚିତ ଥିଲେ। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗୁଣି ଗାରେଡ଼ି ପାଇଁ ଶିବରାମଙ୍କୁ ହତ୍ୟା କରାଯାଇଛି। ଗତ ନିର୍ବାଚନରେ ଦୀପକଙ୍କ ସ୍ତ୍ରୀ ସମିତି ସଭ୍ୟା ପଦବୀ ପାଇଁ ନିର୍ବାଚନ ଲଢ଼ିଥିଲେ। ହେଲେ ପରାଜିତ ହୋଇଥିଲେ। ଏନେଇ ଶିବରାମଙ୍କୁ ଦୀପକ ସନ୍ଦେହ କରୁଥିଲେ। ନିର୍ବାଚନରେ ଦୀପକଙ୍କ ସ୍ତ୍ରୀଙ୍କୁ ପରାଜିତ କରିବା ଲାଗି ଶିବରାମ ଗୁଣିଗାରେଡ଼ି କରିଥିବା ଦୀପକ ସନ୍ଦେହ କରୁଥିଲେ। ଖବର ପାଇ ପୋଲିସ୍‌ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଦୀପକକୁ ଗିରଫ କରିଛି। ।

Former Sarpanch Murdered
Advertisment
Advertisment