5T ସ୍କୁଲର ୪ ନକଲି ଶିକ୍ଷକ
ସ୍କୁଲ୍ ଫାଇଭ ଟି। ଶିକ୍ଷକ ଫୋର୍ ଟ୍ୱେଣ୍ଟି। ବଲାଙ୍ଗୀରରୁ ଦିନକରେ ୪ ଜଣ ଫାଇଭ-ଟି ସ୍କୁଲର ନକଲି ଶିକ୍ଷକଙ୍କ ନାଁରେ ଅଭିଯୋଗକୁ ନେଇ ଉଦବେଗ ବଢ଼ିଛି। କେବଳ ବଲାଙ୍ଗୀର ନୁହେଁ ରାଜ୍ୟବ୍ୟାପୀ ନକଲି ଶିକ୍ଷକଙ୍କ ଘଟଣା ସାମ୍ନାକୁ ଆସିଛି। ସେପଟେ ସରକାରୀ ଅଧିକାରୀଙ୍କ ସଲାସୁତରାରେ ନିଯୁକ୍ତି ହୋଇଥିବା ନେଇ ପ୍ରଶ୍ନ ଉଠାଇଛି ଅଭିଭାବକ ସଂଘ।
ରାଜ୍ୟରେ ବଢି ଚାଲିଛି ନକଲି ଶିକ୍ଷକଙ୍କ ତାଲିକା। ବଲାଙ୍ଗୀରରୁ ବାଲେଶ୍ୱର ସବୁଠି ମାଳ ମାଳ ଫେକ୍ ଟିଚର। କାମ କରୁଛି କି ଫେକ୍ ସାର୍ଟିଫିକେଟର ସିଣ୍ଡିକେଟ? ବଲାଙ୍ଗୀର ଫାଇଭ ଟି ସ୍କୁଲର ଖୋଲିଲା ଗୁମର। ହିନ୍ଦି ଶିକ୍ଷୟିତ୍ରୀ ମିନମୟୀ ପଣ୍ଡା। ବଲାଙ୍ଗୀର ପୁଇଁନ୍ତଲା ବ୍ଲକ ରଣ୍ଡା ଫାଇଭ୍-ଟି ସ୍କୁଲରେ ଶିକ୍ଷକତା କରୁଥିଲେ। କିନ୍ତୁ ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ଏବେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍। ୨୦୧୨ରୁ ମିନମୟୀ ସରକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ।
ଖାଲି ଇଏ ନୁହନ୍ତି, ବଙ୍ଗୋମୁଣ୍ଡା ସରକାରୀ ବାଳିକା ହାଇସ୍କୁଲର କଳା ଶିକ୍ଷୟିତ୍ରୀ ଆଲମା ଟପ୍ପୋ, ସଇଁନ୍ତଳା ବ୍ଲକ ଗଣପତ୍ରାପାଲି ହାଇସ୍କୁଲର କଳା ଶିକ୍ଷକ ସଞ୍ଜିତପାଣି ମହାନନ୍ଦ ଓ ବେଲପଡା ବ୍ଲକ୍ ଧରମସିଂ ହାଇସ୍କୁଲର ଶିକ୍ଷକ ବିରଞ୍ଚି ପ୍ରସାଦ ନାୟକ ବି ନକଲି ସାର୍ଟିଫିକେଟର କଳା କାରନାମାରେ ସାମିଲ। ଆଉ ପୋଲିସ ଏମାନଙ୍କୁ ଗିରଫ କରିବା ଆଗରୁ ତିନିଜଣ ଫେରାର ହୋଇଯାଇଛନ୍ତି।
କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏ ସମସ୍ତେ ହେଉଛନ୍ତି ଫାଇଭ୍-ଟି ସ୍କୁଲର ଶିକ୍ଷକ। ଅର୍ଥାତ ଯେଉଁଠି ସ୍ୱଚ୍ଛତା ରହିବା କଥା ସେଠି ଚାଲିଛି ନକଲି ସାର୍ଟିଫିକେଟ୍ କାରସାଦି।
ବଲାଙ୍ଗୀର ହେଉଛି ଭାତ ହାଣ୍ଡିରୁ ଗୋଟିଏ। ନୀଳଗିରି, ଜଳେଶ୍ୱର, ବାସୁଦେବପୁରରୁ ବି ନକଲି ଶିକ୍ଷକଙ୍କ ମାମଲା ସାମ୍ନାକୁ ଆସିଛି। ବାସୁଦେବପୁରର ସୁଦର୍ଶନ ଦାସ ଫେକ୍ ବିଇଡି ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରିଆସୁଥିଲେ। ଆଉ ଯେତେବେଳେ ଧରାପଡିଲେ, ସେତେବେଳେ ଅବସରକୁ ଆଉ ମାତ୍ର ମାସେ ସମୟ। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେ ଛୁଟିରେ ପଳାଇଛନ୍ତି। ଜଳେଶ୍ୱରର ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ନାୟକ। ଜନ୍ମ ତାରିଖକୁ ୧୬ ବର୍ଷ ବଢାଇ ଶିକ୍ଷକତା କରିଆସୁଥିଲେ। ସୂଚନା ଅଧିକାର ଆଇନ୍ ବଳରେ ଦିଦିଙ୍କ ଜାଲିଆତି ଗୁମର ଖୋଲିବା ପରେ ତଦନ୍ତ ଆରମ୍ଭ ହୋଇଛି।
ଏଠି ପ୍ରଶ୍ନ ଉଠୁଛି ନିଯୁକ୍ତି ସମୟରେ ଜାଲ୍ ସାର୍ଟିଫିକେଟ୍ ଧରାପଡିଲାନି କେମିତି? ନିଯୁକ୍ତି ସମୟରେ କିଭଳିଆ ଯାଞ୍ଚ ହେଉଥିଲା ? କେମିତି ବର୍ଷ ବର୍ଷ ଧରି ନକଲି ଶିକ୍ଷକ ମାନେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାକିରି କଲେ ? ସରକାରୀ ତହବିଲରୁ ଦରମା ନେଲେ ? ନା ଅସାଧୁ ସରକାରୀ କର୍ମଚାରୀଙ୍କ ସହ ଥିଲା ଭିତିରି ବୁଝାମଣା ? ଏବେ ଅପେକ୍ଷା ରାଜ୍ୟରୁ କେତେ ଶୀଘ୍ର ମୂଳ ପୋଛ ହେଉଛନ୍ତି ନକଲି ଶିକ୍ଷକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691764497.jpg)