ଆହୁରି ଗୁମର ଖୋଲିବ ! ପୁଣି ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନକଲି ଡାକ୍ତର ରମେଶ

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା ।

Fake Doctor Ramesh Swain

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁକୁ ତୃତୀୟ ଥର ପାଇଁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ । ରମେଶକୁ ୫ ଦିନିଆ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ଦେଇଛନ୍ତି । ରମେଶକୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଆବେଦନ କରାଯାଇଥିଲା । ହେଲେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ।

ଗୌହାଟୀର ଜଣେ ମହିଳା ଡାକ୍ତରଙ୍କୁ ବିବାହ ନାଁରେ ଠକେଇ ଅଭିଯୋଗ ମାମଲାରେ ମହିଳା ଥାନା ପୋଲିସ ତାଙ୍କୁ ଜେରା କରିବ । ତାସହ ତାଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଏପଟେ ନକଲି ଡାକ୍ତର ରମେଶ ନାଁରେ ଅନ୍ୟ ଠକେଇ ଅଭିଯୋଗ ମାମଲାର ସଂଖ୍ୟା ବି ବଢ଼ି ଚାଲିଛି ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା । ଗୋଟିଏ ମାମଲା ପାହାଳ ଥାନାରେ ରୁଜୁ ହୋଇଥିବା ବେଳେ ଅନ୍ୟ ମାମଲାଟି ସହିଦ ନଗର ଥାନାରେ ରୁଜୁ ହୋଇଛି ।

୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍‌ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଛି ମାମଲା । ତେବେ ଏହି ଅଭିଯୋଗ ପାଇବା ପରେ ପୋଲିସ ଆହୁରି ତତ୍ପରତା ଦେଖାଇଛି । ଏବେ ସୁଦ୍ଧା ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧିକ ମାମଲା ଏହି ନକଲି ଡାକ୍ତର ରମେଶ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି । ତେବେ ରମେଶ ଯେଉଁ ୧୮ ଜଣ ମହିଳାଙ୍କୁ ବିବାହ କରିଛନ୍ତି, ସେହି ସବୁ ବାହାଘରର ଏକମାତ୍ର ସାକ୍ଷୀ ଓ ଠକେଇରେ ସଂପୃକ୍ତ ହେଉଛନ୍ତି ତାଙ୍କ ଭଉଣୀ ଓ ଭିଣେଇ । ଏବେ ସେମାନଙ୍କୁ ମଧ୍ୟ ଗିରଫ କରି ଜେଲ୍‌ରେ ରଖାଯାଇଛି ।