• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଡ଼ା ବିଡ଼ା ନୋଟ୍ । ଥାକ ମାରି ଥୁଆ ହୋଇଛି ୫ ଶହ ଟଙ୍କିଆ ନୋଟର ବଣ୍ଡଲ । ଆଖିକୁ ଅସଲି ଦେଖାଯାଉଥିବା ଏସବୁ ପୁଳା ପୁଳା ଟଙ୍କା କିନ୍ତୁ ନକଲି । ପୁରାପୁରି ଜାଲ୍ । ଶନିବାର ସୋନପୁରରେ ଚଢାଉ ବେଳେ କ୍ରାଇମବ୍ରାଂଚ୍ ଏସଟିଏଫ୍ ହାତରେ ଲାଗିଛି ୪୧ ଲକ୍ଷ ୧୬ ହଜାର ଟଙ୍କାର ନକଲି ନୋଟ୍ । ଘଟଣାରେ ଜଣେ ଅଭିଯୁକ୍ତ ସୋନପୁରର ଦୀପକ ମେହେରଙ୍କୁ ଗିରଫ କରାଯାଇଛି । ଆଉ ଜଣେ ଫେରାର ହୋଇଯାଇଛି । ଜବତ ହୋଇଥିବା ଜାଲ୍ ନୋଟ୍ ପଡୋଶୀ ରାଜ୍ୟ ଛତିଶଗଡ଼ରେ ଛପାଇ ଅଣାଯାଇଥିବା STF ସନ୍ଦେହ କରୁଛି । ଏଥିସହ ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଅନୁମାନ କରାଯାଉଛି ।

୧ ଲକ୍ଷ ଫେକ୍ ନୋଟ୍ ପାଇଁ ୧୦ରୁ ୨୫ ହଜାର ଟଙ୍କା ଯାଏଁ ହେଉଥିଲା ଡିଲ୍ । ଜବତ ୪୧ ଲକ୍ଷ ୧୬ ହଜାର ଫେକ ନୋଟ୍ ଦେବାକୁ ୧୨ ଲକ୍ଷର ଅସଲି ନୋଟର ଡିଲ୍ ହୋଇଥିବା STF ସୂଚନା ଦେଇଛି । ଜବତ ନୋଟ୍‌କୁ ପରୀକ୍ଷା ପାଇଁ ପଶ୍ଚିମବଙ୍ଗ ମେଦିନାପୁରରେ ଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରଣ କେନ୍ଦ୍ରକୁ ପଠାଯାଇଛି । ନୋଟରେ ଥିବା ଗାନ୍ଧିଙ୍କ ଫଟୋ, ସିଗ୍ନେଚର ସମେତ ଅନ୍ୟାନ୍ୟ ମୁଦ୍ରଣ ଶୈଳୀ ପରୀକ୍ଷା ହେବ । ଯଦି ଏହା ହାଇ-କ୍ୱାଲିଟି ଥାଏ ତେବେ ଅଭିଯୁକ୍ତ ବିରୋଧରେ ଅନ୍ ଲ'ଫୁଲ ଆକ୍ଟିଭିଜିଟ୍ ପ୍ରଭେନସନ୍ ଆକ୍ଟ- UAPA ଲାଗୁ ସହ NIAକୁ ଅବଗତ କରାଯିବ ।

ଏବେ ପ୍ରଶ୍ନ ଉଠୁଛି, ଏତେ ପରିମାଣର ଜାଲ୍ ଟଙ୍କା ଯାଉଥିଲା କୁଆଡେ ? ଫେକ୍ ନୋଟ୍ ପଛରେ ରହିଛି କି ଆତଙ୍କୀ ଲିଙ୍କ୍ ? ନା, ନକଲି ନୋଟ୍ ମାଓବାଦୀଙ୍କ ପାଖକୁ ଯାଉଥିଲା ? ଆଗାମୀ ନିର୍ବାଚନରେ ବ୍ୟବହାର ହୋଇଥାନ୍ତା କି ଏହି ଟଙ୍କା ? ନା, ପାର୍ବଣ ଋତୁ ପୂର୍ବରୁ ବଜାରକୁ ଛଡାଯାଇଥାନ୍ତା ? ଜାଲ୍ ନୋଟ୍ ରାକେଟର ମୂଳରେ ପହଁଚିବା କ୍ରାଇମବ୍ରାଂଚ୍ ଏସଟିଏଫ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।

ଏଯାଏଁ ୧ କୋଟି ୧୯ ଲକ୍ଷ ଟଙ୍କାର ନକଲି ନୋଟ ଜବତ କଲାଣି କ୍ରାଇମବ୍ରାଂଚ୍ ଏସଟିଏଫ୍ । ସେଥିରୁ ଗତ ଫେବ୍ରୁଆରୀରେ ୩୧ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଥିଲା । ଏହା ପୂର୍ବରୁ ଟିଟଲାଗଡ, ବରଗଡ, ବରପାଲି, ରାଉରକେଲା ଏବଂ ସମ୍ବଲପୁରର ଜୁଜୁମରାରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ ହୋଇଥିଲା ।

  • Reported by:
  • ATULYA BOUT , CHANDAN PAIKRAY