ସିଏ କେତେବେଳେ ନିଜକୁ ରାହୁଲ ତ୍ୟାଗୀ କହୁଥିଲା ତ ଆଉ କେତେବେଳେ ରିକି ତ୍ୟାଗୀ। ବେଳେବେଳେ ସେ ନିଜକୁ ନୌଶାଦ ତ୍ୟାଗୀ ଭାବରେ ପରିଚୟ ଦେଉଥିଲା। ନିଜକୁ ଉତ୍ତରପ୍ରଦେଶ ଏସଓଜିରେ ପୁଲିସ କନଷ୍ଟେବଳ ଭାବେ ଚାକିରି କରୁଥିବା ପରିଚୟ ଦେଇଥିଲା। ଖାକି ପୋଷାକ ତଳେ କଳା କାରବାର ଚଲାଇଥିଲା ଜଣେ ନକଲି ପୁଲିସ। ଝିଅଟି ହିନ୍ଦୁ ହେଇଥିଲେ ତାଙ୍କୁ ସେ ରାହୁଲ କିମ୍ବା ରିକି ବୋଲି ପରିଚୟ ଦେଉଥିଲା। କିନ୍ତୁ ମୁସଲମାନ ସମ୍ପ୍ରଦାୟର ଯୁବତୀଙ୍କୁ ନୌଶାଦ ଭାବେ ପରିଚୟ ଦେଉଥିଲା। ଏହି ଠକ ଏଭଳି ଜାଲି ପରିଚୟରେ ଦୁଇଥର ବିବାହ କରିଥିବା ବେଳେ ଚାରିଟି ରାଜ୍ୟରେ ୨୦ ଜଣ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଯୋଡ଼ିଥିଲା। ୧୦ ଜଣଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଜଣେ କୁଖ୍ୟାତ ଠକର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ।
ପୁଲିସ ବନ୍ଧୁଙ୍କ ଖାକି ପୋଷାକ ଗାଏବ
Also Read
ଏହି ଠକର କାହାଣୀ ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରୁ ଆରମ୍ଭ ହୁଏ। ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲା ଚର୍ଥାଓ୍ଵାଲର ୩୨ ବର୍ଷୀୟ ନୌଶାଦ ତ୍ୟାଗୀ ସମ୍ଭଲରେ ଜଣେ ପୁଲିସ କନଷ୍ଟେବଳ ବନ୍ଧୁଙ୍କ ସହିତ ରହୁଥିଲା। ୨୦୧୯ ଲୋକସଭା ନିର୍ବାଚନ ସମୟରେ ପୁଲିସ ବନ୍ଧୁ ମଧ୍ୟପ୍ରଦେଶ କୌଣସି କାମରେ ଯାଇଥିଲେ। ସେ ଯିବା ସମୟରେ ଭୁଲବଶତଃ ତାଙ୍କ ପୁଲିସ ପୋଷାକ ସମେତ ଅନ୍ୟାନ୍ୟ କାଗଜପତ୍ର ଥିବା ବ୍ୟାଗ ନୌଶାଦ ନିକଟରେ ଛାଡ଼ିଦେଇ ଯାଇଥିଲେ। ଏହିଠାରୁ ନୌଶାଦର କଳା କାରନାମାର ମାଷ୍ଟରପ୍ଲାନ୍ ତିଆରି ହୁଏ। ପୁଲିସ ବନ୍ଧୁଙ୍କ ଖାକି ପୋଷାକ ଧରି ସେ ଚାଲିଆସେ ମୁଜାଫରନଗର।
୨୩ ବର୍ଷ ବଡ଼ ପ୍ରଥମ ପତ୍ନୀ
ନୌଶାଦ ମୁଜାଫରନଗର ଆସିବାର କିଛି ଦିନ ପରେ ନୌଶାଦର ଅସଲ ଖେଳ ଆରମ୍ଭ ହୋଇଥିଲା। ସେହି ଖାକି ପୋଷାକ ପିନ୍ଧି ନିଜକୁ ଉତ୍ତରପ୍ରଦେଶ ଏସଓଜିର ପୁଲିସ କନଷ୍ଟେବଳ ପରିଚୟ ଦେବା ଆରମ୍ଭ କରିଥିଲା। ସେ ଦୁଇଟି ବିବାହ କରିଥିଲା। ଚର୍ଥାଓ୍ବାଲରେ ରହୁଥିବା ପ୍ରଥମ ପତ୍ନୀ ତାଠାରୁ ୨୩ ବର୍ଷ ବଡ଼। ଦ୍ୱିତୀୟ ପତ୍ନୀ ମୁଜାଫରନଗରର ସିଭିଲ ଲାଇନ୍ସରେ ରୁହନ୍ତି।
ଏମିତି ଫସିଛନ୍ତି ୨୦ ମହିଳା
ନୌଶାଦ ଖାକି ପୋଷାକ ପିନ୍ଧି ମହିଳାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲା। ସୋସିଆଲ ମିଡିଆରେ ଏପରି ମହିଳାଙ୍କୁ ଖୋଜୁଥିଲା, ଯେଉଁମାନେ ବିଧବା କିମ୍ବା ସ୍ୱାମୀଙ୍କଠାରୁ ଦୂରରେ ରହୁଥିଲେ। ଏପରି ମହିଳାଙ୍କୁ ସେ ପ୍ରେମ ଜାଲରେ ଫସାଇବା ଆରମ୍ଭ କରୁଥିଲା। ସେମାନଙ୍କୁ ପ୍ରେମ ସମ୍ପର୍କ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଉଥିଲା। ତା ଜାଲରେ ଗାଜିଆବାଦ, ବୁଲନ୍ଦସର, ମଥୁରା, ସମ୍ଭଲ, ନୋଏଡା, ମେଘାଳୟ, ଆସାମ ଏବଂ ଦିଲ୍ଲୀ ସମେତ ଚାରି ରାଜ୍ୟର ପ୍ରାୟ ୨୦ ଜଣ ମହିଳା ଫସିଥିଲେ।
ଖାକି ପୋଷାକରେ ମିଛ ନେମପ୍ଲେଟ୍
ନୌଶାଦ ୧୦ ଜଣ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲା। ସମସ୍ତେ ତାକୁ ଉତ୍ତରପ୍ରଦେଶ ପୁଲିସର ଜଣେ କନଷ୍ଟେବଳ ଭାବିଥିଲେ। ସେହି ଆଧାରରେ ସମ୍ପର୍କକୁ ଘନିଷ୍ଠ କରିଥିଲେ। ସେ ନିଜକୁ ରାହୁଲ ତ୍ୟାଗୀ, ରିକି ତ୍ୟାଗୀ ଏବଂ ନୌଶାଦ ତ୍ୟାଗୀ ନାମରେ ସେମାନଙ୍କ ସାମନାରେ ନିଜକୁ ପରିଚିତ କରୁଥିଲା। ନେମ୍ ପ୍ଲେଟ୍ ବି ସେହି ଆଧାରରେ ତିଆରି କରି ବ୍ୟବହାର କରୁଥିଲା। ସେ କିଛି ପୁଲିସ କର୍ମଚାରୀଙ୍କ ସହିତ ବନ୍ଧୁତା କରିଥିଲା। ସେମାନଙ୍କ ମେଳରେ ଅନେକ ସମୟରେ ବୁଲୁଥିଲା। ତେଣୁ କେହି ନୌଶାଦର ଚାକିରିକୁ ନେଇ ସନ୍ଦେହ କରୁନଥିଲେ।
ଏଇଠି ଫସିଗଲା ନୌଶାଦ
ନୌଶାଦ ଜଣେ ବିଧବା ମହିଳାଙ୍କୁ ନିଜ ଜାଲରେ ଫସାଇଥିଲା। ଏହି ମହିଳାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ଏହି ମହିଳା ଜଣକ ଏକ ଦୋକାନ ଖୋଲି ପରିବାର ଚଳାଉଥିଲେ। ଦିନେ ନୌଶାଦ ତାଙ୍କ ଖାକି ପୋଷାକରେ ରାହୁଲ ତ୍ୟାଗୀ ଲେଖି ଏହି ମହିଳାଙ୍କୁ ଭେଟିଥିଲା। ରାହୁଲ ପରିଚୟରେ ନୌଶାଦ ନିୟମିତ ସେହି ମହିଳାଙ୍କ ଦୋକାନକୁ ଯିବା ଆସିବା କରୁଥିଲା। ସମ୍ପର୍କ ଘନିଷ୍ଠ ହେବା ପରେ ପ୍ରେମ ଜାଲରେ ଫସାଇ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। ମହିଳାଙ୍କ ନିକଟରୁ ୨ ଲକ୍ଷ ୭୫ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲା। ପରେ ନୌଶାଦକୁ ପ୍ରାୟ ୩ ଲକ୍ଷ ଟଙ୍କାର ଅଳଙ୍କାର ଦେଇଥିଲେ। କିନ୍ତୁ ଯେତେବେଳେ ବିବାହ କଥା ଉଠିଲା ନୌଶାଦ ଧରାଛୁଆଁ ଦେଲାନାହିଁ। ସେହି ସମୟରେ ଏହି ମହିଳାଙ୍କର ସନ୍ଦେହ ହୋଇଥିଲା।
ମୋବାଇଲରେ ଅନେକ ମହିଳାଙ୍କ ଇଜ୍ଜତ
ସେହି ମହିଳା ଜଣକ ପୁଲିସ ସାମନାରେ ଫେରାଦ ହୋଇଥିଲେ। ନୌଶାଦର କେଳେଙ୍କାରୀ ସମ୍ପର୍କରେ ପର୍ଦ୍ଦାଫାସ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ସତ୍ୟାସତ୍ୟ ଜାଣିପାରିଥିଲା। ତୁରନ୍ତ ଜୁଲାଇ ୧ ତାରିଖରେ ନୌଶାଦକୁ ପୁଲିସ ଗିରଫ କରିଥିଲା। ତାକୁ ଜେଲ୍ ପଠାଇ ଦିଆଯାଇଛି। ତେବେ ନୌଶାଦର ମୋବାଇଲରୁ ଅନେକ ମହିଳାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଛି।