• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବନ୍ଧୁ ବେଶରେ ଲୁଚି ରହିଥିଲା ବଇରୀ । ବନ୍ଧୁତା ଓ ପ୍ରେମ ଆଳରେ ସଂସାର ବୁଡ଼ାଇ ଦେଲା । ଯେଉଁ ମଣିଷ ପାଇଁ ସ୍ୱାମୀକୁ ହତ୍ୟା କରିଥିଲେ, ସେହି ମଣିଷ ହାତରେ ମଲେ । ଉତ୍ତରପ୍ରଦେଶର ଇଟାୱା ଥାନା ଉସରାହର ଅଞ୍ଚଳରେ ଜୁନ ୨୨ ତାରିଖରେ ଡ୍ରେନ୍‌ରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ମହିଳା ଜଣକ ରାଜସ୍ଥାନର ବାସିନ୍ଦା । ତାଙ୍କର ଦୁଇ ଜଣ ସନ୍ତାନ ମଧ୍ୟ ଅଛନ୍ତି । ତାଙ୍କ ପ୍ରେମିକ ସତୀଶ ହିଁ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ମହିଳାଙ୍କ ପ୍ରେମିକ ଟ୍ରାଭେଲ ଏଜେନ୍ସିରେ ଡ୍ରାଇଭର ଥିଲେ, ସେ ଇଟାୱାର ବାସିନ୍ଦା । ମହିଳା ଜଣକ ଦୁଇ ପିଲାଙ୍କ ସହିତ ଦୁଇ ବର୍ଷ ଧରି ସ୍ୱାମୀହନ୍ତାର ସ୍ତ୍ରୀ ଭାବରେ ରହୁଥିଲେ । ତେବେ ଦୁଇ ବର୍ଷ ପୂର୍ବେ ମହିଳା ଓ ପିଲାମାନଙ୍କ ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକ ।

ଦୁଇ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଅପରାଧିକ କାହାଣୀରେ ଏବେ ପୂର୍ଣ୍ଣଛେଦ ପଡ଼ିଛି । ଗଜେନ୍ଦ୍ର ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀ ମୈଥିଲିଙ୍କ ସହ ନୋଏଡାରେ ରହୁଥିଲେ । ଉଭୟ ଗଜେନ୍ଦ୍ର ଏବଂ ସତୀଶ ଏକ ଟ୍ରାଭେଲ ଏଜେନ୍ସିରେ ଡ୍ରାଇଭର ଥିଲେ । ଦୁହେଁ ଭଲ ବନ୍ଧୁ ଥିଲେ । ଏଥିପାଇଁ ଗଜେନ୍ଦ୍ରଙ୍କ ଘରକୁ ସବୁଦିନ ସତୀଶର ଯିବାଆସିବା ଥିଲା । ତେବେ ଏହାରି ଭିତରେ ଗଜେନ୍ଦ୍ରଙ୍କ ସ୍ତ୍ରୀ ସହିତ ସତୀଶର ଅନୈତିକ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲେ । ଆଉ ତା’ପରେ ଉଭୟେ ମିଶି ଗଜେନ୍ଦ୍ରକୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିଲେ ।

ଏହି କ୍ରମରେ ସତୀଶ, ଗଜେନ୍ଦ୍ର ଏବଂ ତାଙ୍କ ପତ୍ନୀ ମୈଥିଲି ମିଶି ଥରେ ଇଟାୱା ଯାଇଥିଲେ । ପ୍ଲାନ୍ ଅନୁସାରେ ସେଠାରେ ସତୀଶ ଯାଦବ ଓ ମୈଥିଲି ମିଶି ଗଜେନ୍ଦ୍ରଙ୍କୁ ମଦ ପିଆଇ ଦେଇଥିଲେ ଏବଂ ସିଟ୍ ବେଲ୍ଟ ପିନ୍ଧାଇ କାରରେ ବସାଇ ଏକ କେନାଲରେ ଫିଙ୍ଗି ଦେଇଥିଲେ । ପରେ ଏକ କେନାଲରୁ ଗଜେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପାଣିରେ ବୁଡ଼ି ଯିବା ଫଳରେ ଗଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା ବୋଲି ପୋଷ୍ଟମୋଟମ୍‌ ରିପୋର୍ଟରେ ଜଣାପଡ଼ିଥିଲା ।

ହେଲେ ସେତେବେଳେ ଏହି ଅପରାଧ ସମ୍ପର୍କରେ ଜଣାପଡ଼ି ନଥିଲା । ଏହା ପରେ ମୈଥିଲି ଦୁଇ ପିଲାଙ୍କୁ ନେଇ ସତୀଶ ପାଖକୁ ଚାଲିଗଲେ । ସତୀଶ ଏବଂ ମୈଥିଲି ସ୍ୱାମୀ-ସ୍ତ୍ରୀ ଭାବରେ ଜୀବନଯାପନ ଆରମ୍ଭ କଲେ। ତେବେ କିଛି ଦିନ ଭଲରେ ବିତିଥିଲା । ହେଲେ ଧୀରେ ଧୀରେ ସମ୍ପର୍କରେ ତିକ୍ତତା ଆସିଲା । ସତୀଶ ମୈଥିଲିକୁ ସନ୍ଦେହ କରିବା ଆରମ୍ଭ କରିଥିଲେ । ମୈଥିଲିର ଆଉ କାହା ସହ ଖରାପ ସମ୍ପର୍କ ଥିବା କହି ସବୁବେଳେ ଝଗଡ଼ା କରୁଥିଲେ । ଦିନେ ସତୀଶ ମନ୍ଦିର ଯିବା କହି ଏକ ଜଙ୍ଗଲକୁ ନେଇ ମୈଥିଲିଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ଏହା ପରେ ଶବକୁ ଡ୍ରେନରେ ଫୋପାଡି ଦେଇ ଚାଲିଯାଇଥିଲେ ।

ତେବେ ତଦନ୍ତ ପରେ ସମସ୍ତ କଥା ଜଣାପଡ଼ିଛି । ବରିଷ୍ଠ ପୋଲିସ ଅଧୀକ୍ଷକ ଜୟ ପ୍ରକାଶ ସିଂ କହିଛନ୍ତି , ସତୀଶ ଯାଦବ ବନ୍ଧୁ ଗଜେନ୍ଦ୍ର ସହ ତା’ ସ୍ତ୍ରୀକୁ ହତ୍ୟା କରିଛି । ହତ୍ୟାରେ ବ୍ୟବହୃତ ଏକ ପିସ୍ତଲ, ଗାଡି ଜବତ କରାଯିବା ସହ ଅଭିଯୁକ୍ତ ସତୀଶଙ୍କ କରାଯାଇଛି । ଉଭୟଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଭାବରେ ସତୀଶଙ୍କୁ ଜେଲକୁ ପଠାଯାଉଛି ।