• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ହାତୀ ଶିକାରର ଉଦବେଗଜନକ ଚିତ୍ର । ଅଠଗଡ଼ ବନଖଣ୍ଡର ବଡ଼ମ୍ବା ରେଞ୍ଜରୁ ମାସକ ଭିତରେ ମିଳିଲାଣି ଚାରି ଚାରିଟି ହାତୀ କଙ୍କାଳ । ବନଖଣ୍ଡର ନରସିଂହପୁର ପୂର୍ବ ରେଞ୍ଜରୁ ଫେବ୍ରୁଆରୀ ୨୬ରେ ଗୋଟିଏ କଙ୍କାଳ ମିଳିଥିବା ବେଳେ ମେ୧୬ରେ ନରସିଂହପୁର ପଶ୍ଚିମ ରେଞ୍ଜରୁ ଉଦ୍ଧାର ହୋଇଥିଲା ଆଉ ଏକ କଙ୍କାଳ । ସତେ ଯେମିତି ହାତୀ କଙ୍କାଳର ଉପତ୍ୟକା ପାଲିଟିଛି ଆଠଗଡ଼ ବନଖଣ୍ଡ ।

ପ୍ରାରମ୍ଭିକ ଭାବେ ୩ଟି ହାତୀ କଙ୍କାଳ ଉଦ୍ଧାର ଘଟଣାର ତଦନ୍ତ ଲାଗି ସ୍ପେସାଲ ଇନଭେଷ୍ଟିଗେଟିଭ୍ ଟିମ ବା ଏସ୍ଆଇଟି ଗଢ଼ିଥିଲେ ପିସିସିଏଫ୍ । ହେଲେ ଏସ୍ଆଇଟି ଗଠନ ହେଉ ହେଉ ଚଳିତ ମାସ ୧୪ ତାରିଖରେ ଖୋଦ୍ ଅଆଠଗଡ଼ ଡିଏଫ୍ଓ ବଡ଼ମ୍ବା ଜାନିପଦରରୁ ଉଦ୍ଧାର କରିଥିଲେ ପୁଣି ଏକ ହାତୀ କଙ୍କାଳ । ଏପଟେ ଗତକାଲି ସ୍ଥିତି ଅନୁଧ୍ୟାନ ଲାଗି ଏସ୍ଆଇଟି ବଡ଼ମ୍ବା ରେଞ୍ଜର କଙ୍କାଳ ଉଦ୍ଧାର ସ୍ଥାନକୁ ଯାଇଥିବା ବେଳେ ଆଳୁ ଖୋଳୁ ମହାଦେବ ବାହାରିବା ଭଳି ମାଟିତଳୁ ଉଦ୍ଧାର ହୋଇଛି ଆଉ କଙ୍କାଳ । ଏବେ ପ୍ରଶ୍ନ ଉଠୁଛି, କାହିଁକି ଆଠଗଡ଼ ବଡ଼ମ୍ବା ରେଞ୍ଜରୁ ମିଳୁଛି ଏତେ ହାତୀ କଙ୍କାଳ ? ହାତୀଦାନ୍ତ ରାକେରର ଚରାଭୂମି ପାଲଟିଛି କି ବଡ଼ମ୍ବା ? ଘଟଣାରେ ରହୁଛି କି ବନ କର୍ମଚାରୀଙ୍କ ସଂପୃକ୍ତି ?

ଆଠଗଡ଼ ବନଖଣ୍ଡରୁ ବାରମ୍ବାର ହାତୀ କଙ୍କାଳ ଉଦ୍ଧାର ଘଟଣା ନେଇ ପିସିସିଏଫ୍ କହିଛନ୍ତି, ଏହାର କାରଣ ଖୋଜା ଚାଲିଛି । ଆମେ ଚେର ଯାଏଁ ଯିବୁ କେବଳ ୩ଟି ନୁହେଁ, ଯେତେ କଙ୍କାଳ ଉଦ୍ଧାର ହେଉଛି, ସବୁର ତଦନ୍ତ କରିବ ଏସ୍ଆଇଟି । ହାତୀ ମୃତଦେହ ଲୁଚାଇବା ଓ ପୋତିବା ଘଟଣାରେ ଜଣେ ଫରେଷ୍ଟରଙ୍କର ସମ୍ପୃକ୍ତି ସ୍ପଷ୍ଟ ହୋଇଛି । ତେବେ ହାତୀ ମୃତ୍ୟୁ ଘଟଣାରେ ତାଙ୍କ ଭୂମିକା କଣ ଏସ୍ଆଇଟି ତଦନ୍ତରୁ ତାହା ସ୍ପଷ୍ଟ ହେବା ଆଶା କରାଯାଉଛି । ଅନ୍ୟପକ୍ଷରେ ରିପୋର୍ଟ ମିଳିବା ପରେ ତତ୍କାଳୀନ ଡିଏଫ୍ଓଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ପିସିସିଏଫ୍ ।

ଏପଟେ ବଡ଼ମ୍ବା ରେଞ୍ଜରୁ ଉଦ୍ଧାର ୩ଟି ହାତୀ କଙ୍କାଳର ନମୁନା ଫୋରେନସକ୍ ଟେଷ୍ଟ ପାଇଁ ୧୫ ଦିନ ତଳୁ ଓୟୁଏଟିର ବନ୍ୟପ୍ରାଣୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଛି । ହେଲେ ମୃତଦେହଗୁଡ଼ିକ ଗଳିତ ଅବସ୍ଥାରେ ଥିବାରୁ ବୟସ, ଲିଙ୍ଗ ନିରୂପଣ ଓ ମୃତ୍ୟୁର କାରଣ ସାମନାକୁ ଆସିବାରେ ବିଳମ୍ବ ହୋଇଛି । କେବଳ ବଡ଼ମ୍ବା ନୁହେଁ, ଦୁଇ ଦିନ ତଳେ ଅନୁଗୁଳ ସାତକୋଶିଆ ବନଖଣ୍ଡରୁ ବି ମିଳିଛି ହାତୀ କଙ୍କାଳ । ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରେଞ୍ଜର ଓ ଡିଏଫ୍ଓଙ୍କୁ ସସ୍ପେଣ୍ଡ କରାଯାଇଛି ।