• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅନଲାଇନରେ୍ ତୁରନ୍ତ ଲୋନ୍ ଖୋଜୁଛନ୍ତି କି? ସର୍ଚ୍ଚ କରୁଛନ୍ତି କି ଅନଲାଇନ୍ ଲୋନ୍ ଆପ୍? ଯଦି ହଁ, ଆପଣ ପଡିପାରନ୍ତି ଠକେଇ ଜାଲରେ । କାରଣ, ସହଜରେ ଏବଂ ହାତପାହାନ୍ତାରେ ଲୋନ୍ ଦେବା ଆଳରେ ଚାଲିଛି ବଡ ଧରଣର ଚିଟିଂ ବ୍ଲାକ୍‌ମେଲିଂ, ମାନସିକ ନିର୍ଯାତନା ଏବଂ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଭଳି ଘଟଣା ବଢିଚାଲିଛି ।

ଋଣ ଦେବା ଆଳରେ ଆଶାୟୀଙ୍କୁ ବ୍ଲାକ୍‌ମେଲିଂ । ଲୋକଙ୍କୁ ଘାରିଛି ମାନସିକ ନିର୍ଯାତନା ଓ ଅଶ୍ଳୀଳ ଫଟୋ ଭାଇରାଲ ଭୟ । ଭୁବନେଶ୍ୱରର ଅଭିଷେକ ଭଟ୍ଟାଚାର୍ଯ୍ୟ ଅନଲାଇନ୍‌ରେ ଲୋନ୍ ପାଇଁ ଚେକ୍ କରୁ କରୁ ଆକାଉଣ୍ଟକୁ ୨୭ ଶହ ୫୦ ଟଙ୍କା ଆସିଯାଇଥିଲା । ପରେ ଫୋନ୍ ଆସିଲା, ୫ ହଜାର ଲୋନ୍ ନେଇଛ, ଶୀଘ୍ର ସୁଝିଦିଅ । ହେଲେ ଅଭିଷେକ ସିଧାସଳଖ ମନା କରିଦେଲେ ଏହାପରେ ଆରମ୍ଭ ହୋଇଗଲା ବ୍ଲାକ୍‌ମେଲିଂ । ତାଙ୍କ ଫଟୋକୁ ବିକୃତ କରି ଅଶ୍ଳୀଳ ଫଟୋ ସହ ଯୋଡି ଭାଇରାଲ କରିବାକୁ ଧମକ ଦିଆଯାଇଥିଲା । ମୋବାଇଲକୁ ଅଶ୍ଳୀଳ ଭାଷାରେ ଧମକ ବି ଆସୁଛି ।

ସେହିପରି ବ୍ରହ୍ମପୁରର ଶୁଭମ ଅନଲାଇନ୍ ଲୋନ୍ ଆପ୍‌ରେ ୪ ହଜାର ଟଙ୍କା ଧାର ନେଇଥିଲେ । ଟଙ୍କା ମିଳିବା ପରେ ୭ ଦିନରେ ୯ ହଜାର ସୁଝିବାକୁ କୁହାଗଲା । ଋଣ ଟଙ୍କା ସୁଝିବାକୁ ଅନଲାଇନ୍‌ରେ ଆଉ ଏକ ଆପ୍‌ରୁ ଋଣ କଲେ । ଏମିତି ମାସକ ମଧ୍ୟରେ ୪ ହଜାର ଲୋନ୍ ପାଇଁ ଢେର୍ ଗୁଣା ଅଧିକା ଟଙ୍କା ସୁଝିଲେଣି ଶୁଭମ । ଏବେ ପୁରୁଣା ଆପ୍ ପକ୍ଷରୁ ଫୋନ୍ ଆସୁଛି, ପୁଣି ଲୋନ୍ ନିଅ, ନଚେତ୍ ଫଟୋ ଭାଇରାଲ କରି ବଦନାମ କରିଦେବୁ ।

ଏହାରି ଭିତରେ ୧୩୭ଟି ବେଆଇନ୍ ଲୋନ୍ ଆପ୍‌ର ତାଲିକା ଜାରି ହୋଇଛି । ଏସବୁ ଲୋନ୍ ଆପ୍ ରିଜର୍ଭ ବ୍ୟାଙ୍କର ସ୍କାନରରେ ରହିଛି । ତେଣୁ ଏମାନଙ୍କ ଠାରୁ ସତର୍କ ରହିବାକୁ କୁହାଯାଇଛି । ସେପଟେ ଗତ ଜୁନ୍ ୭ ତାରିଖରେ କ୍ରାଇମବ୍ରାଂଚ୍ର ଅର୍ଥନୈତିକ ଅପରାଧ ଶାଖା ଗୁଗୁଲକୁ ଏକ ଚିଠି ଲେଖିଥିଲା । ୪୫ଟି ବେଆଇନ୍ ଲୋନ୍ ଆପ୍‌କୁ ପ୍ଲେ-ଷ୍ଟୋରରୁ ହଟାଇବା ପାଇଁ ଚିଠିରେ ଦର୍ଶାଇଥିଲା ଇଓଡବ୍‌ଲୁ । ଏଥିରେ ସ୍ପଷ୍ଟ କରାଯାଇଥିଲା ଯେ, ନିର୍ଦ୍ଦିଷ୍ଟ ଲୋନ୍ ଆପ୍ ଗୁଡିକ ରିଜର୍ଭ ବ୍ୟାଙ୍କର ଗାଇଡଲାଇନକୁ ଉଲ୍ଲଂଘନ କରିଛନ୍ତି । ଅନଲାଇନରେ ମାଳ ମାଳ ଲୋନ୍ ଆପ୍‌ରେ ଠକେଇ ସାମ୍ନାକୁ ଆସିବା ପରେ ଜୁନ-୨୦୨୦ରେ ରିଜର୍ଭ ବ୍ୟାଙ୍କ୍ ଗାଇଡଲାଇନ୍ ଜାରି କରିଥିଲା । ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା ଯେ, ସବୁ ଅନଲାଇନ୍ ଲୋନ୍ ଆପ୍ ଆରବିଆଇରୁ ଲାଇସେନ୍ସ ପ୍ରାପ୍ତ ହେବା ଜରୁରୀ । ଲୋନ୍ ଆପ୍ ଗୁଡିକ NBFCରେ ମଧ୍ୟ ପଂଜୀକୃତ ହେବାକୁ ବାଧ୍ୟ । ତେବେ ଅଧିକାଂଶ ଆପ୍ ଏସବୁର ଖୋଲାଖୋଲି ଉଲ୍ଲଂଘନ କରି ଠକେଇରେ ମାତିଛନ୍ତି ।

ଅଧିକାଂଶ ଲୋନ୍ ଆପ୍‌ର ଚୀନ୍ ଲିଙ୍କ ଥିବା ତଦନ୍ତରେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । EOW ଏମାନଙ୍କୁ ଧରିବାକୁ ବ୍ୟୁରୋ ଅଫ୍ ଇମିଗ୍ରେସନ ମାଧ୍ୟମରେ ଲୁକ ଆଉଟ୍ ସର୍କୁଲାର ଜାରି କରାଯାଇଛି ।