D Brothers
ବହୁଚର୍ଚ୍ଚିତ କଟକର ଓମ୍ ଓ ଦୀପୁ ହତ୍ୟା ମାମଲାରେ ସବୁ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି । ଏହି ମାମଲାରେ ଡି ବ୍ରଦର୍ସ ଅର୍ଥାତ ଧଳସାମନ୍ତ ଦୁଇ ଭାଇଙ୍କ ସମେତ ୮ ଅଭିଯୁକ୍ତ ଥିଲେ । ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିଛନ୍ତି କଟକ ଜିଲ୍ଲା ଓ ଦୌରା ଜଜ୍ । ତେବେ ବେଆଇନ ଭାବେ ଅସ୍ତ୍ର ରଖିବା ଅଭିଯୋଗରେ ଧଳସାମନ୍ତ ଭ୍ରାତା ସୁଶାନ୍ତ ଓ ସୁଶୀଲଙ୍କୁ ଦଣ୍ଡିତ କରିଛନ୍ତି କୋର୍ଟ ।
ଦୀପୁ ଓ ଓମ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଧଳସାମନ୍ତ ଦୁଇ ଭାଇଙ୍କ ସହ ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ । । ୨୦୧୩ ନଭେମ୍ବର ମାସରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଅଭିଯୋଗ ଅନୁସାରେ, କଟକରୁ ସେମାନଙ୍କ ଘରୁ ଉଭୟଙ୍କୁ ଅପହରଣ କରାଯାଇଥିଲା । ପରେ ଆଠଗଡ଼ ଖୁଣ୍ଟକଟା ଫାର୍ମ ହାଉସରେ ଦୁଇଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ସେମାନଙ୍କ ମୃତଦେହକୁ ଝାଡଖଣ୍ଡରେ ଫିଙ୍ଗାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା ।
ଝାଡ଼ଖଣ୍ଡର ଗୁଆ ଥାନା ଅଂଚଳରୁ ମିଳିଥିଲା ମୃତଦେହ । ପ୍ରାୟ ୩ ବର୍ଷ ପରେ ଚାଉଳିଆଗଞ୍ଜ ଥାନାରେ ଏ ନେଇ କେଶ୍ ରୁଜୁ ହୋଇଥିଲା । ଅଭିଯୁକ୍ତମାନଙ୍କ ନାଁରେ ହତ୍ୟା, ଅପହରଣ, ଦାଦାବଟି ଆଦାୟ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଆଦି ଅଭିଯୋଗରେ ପ୍ରାୟ ୨୦ଟି କେଶ୍ କରାଯାଇଥିଲା । ଅନ୍ୟ ମାମଲା ସବୁ ରୁଜୁ ହେବା ପରେ ଦୀପୁ ଓ ଓମ୍ ହତ୍ୟା ମାମଲା ସେମାନଙ୍କ ନାଁରେ ଯୋଡା ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ଘଟଣା ଘଟିବାର ୩ ବର୍ଷ ପରେ ପୋଲିସ୍ ଦୁଇଭାଇଙ୍କ ନାଁରେ ଯୋଡାଯୋଡି କରି ମାମଲା ରୁଜୁ କରିଥିଲା । ପ୍ରମାଣକୁ ମଧ୍ୟ ପୋଲିସ୍ ତିଆରି କରିଥିଲା । କିନ୍ତୁ ସେ ତାର ଦୃଢ଼ ବିରୋଧ କରିଥିଲେ । ଏପରିକି ହୋଇଥିବା ଡିଏନଏ ଟେଷ୍ଟ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଅଭିଯୁକ୍ତଙ୍କ ଓକିଲ । ସରକାରଙ୍କ ପକ୍ଷରୁ କେଶକୁ ଯୋଡିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ଆମେ ତାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲୁ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଅଭିଯୁକ୍ତମାନଙ୍କୁ ହତ୍ୟା ମାମଲାରୁ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି ।
ଏହି ମାମଲା ଏକ ଜଟିଳ ମାମଲା ଥିଲା ବୋଲି ସେ କହିଛନ୍ତି । ଏହି ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ପ୍ରାୟ ଦେଢ଼ ମାସ ଧରି ଜେରା କରାଯାଇଥିଲା ବୋଲି କହିଛନ୍ତି ବରିଷ୍ଠ ଓକିଲ ସୌରଚନ୍ଦ୍ର ମହାପାତ୍ର । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ଟି ମାମଲାରେ ଅଭିଯୁକ୍ତମାନେ ଖଲାସ ହୋଇଗଲେଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/D_Brothers_1750936933.jpg)