• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଞ୍ଚ ହଜାର ଗାଡ଼ି ଗାୟବ୍‌ କରିଥିବା ଚୋର ଧରାପଡ଼ିଲା । ଦେଶର କୁଖ୍ୟାତ କାର ଚୋର ଅନିଲ ଚୌହାନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ୨୭ ବର୍ଷ ମଧ୍ୟରେ ଅନିଲ ୫୦୦୦ କାର ଚୋରି କରିଥିବା ଅଭିଯୋଗ ହୋଇଛି । କାର ଚୋରି ବ୍ୟତୀତ ଅନିଲଙ୍କ ବିରୋଧରେ ହତ୍ୟା, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଆଦି ମାମଲା ମଧ୍ୟ ରହିଛି ।

ସେଣ୍ଟ୍ରାଲ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଆସାମରୁ ଅନିଲ ଚୌହାନଙ୍କୁ ଗିରଫ କରିଛି । ଅନିଲ ଗତ ୨୭ ବର୍ଷ ଧରି ଅପରାଧ ଜଗତରେ ସକ୍ରିୟ ଥିବା ଜଣାପଡ଼ିଛି । ୯୦ ଦଶକରେ ସେ ସର୍ବାଧିକ ସଂଖ୍ୟକ (ମାରୁତି ୮୦୦) କାର୍‌ ଚୋରି କରି ନେଇଥିଲେ । ଚୋରି କରିବା ପରେ ଅନିଲ ମୁଖ୍ୟତଃ ଜମ୍ମୁ କାଶ୍ମୀର, ନେପାଳ ଏବଂ ଉତ୍ତର ପୂର୍ବ ରାଜ୍ୟରେ ବିକ୍ରି କରି ଦେଉଥିଲେ ।

ଅନିଲ ଚୌହାନ ୧୯୯୦ରେ ଦିଲ୍ଲୀର ଖାନପୁର ଅଞ୍ଚଳରେ ରହୁଥିବା ସହ ଏକ ଅଟୋ ରିକ୍ସା ଚଳାଉଥିଲେ । ଏହା ପରେ ସେ ଅପରାଧ ଜଗତକୁ ଆସିଥିଲେ । ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ କାର ଚୋରି କରିବା ଆରମ୍ଭ କରିଥିଲେ । ଥରେ ଚୋରି କରିବା ପରେ ତାଙ୍କ ଅପରାଧ ତାଲିକା ଲମ୍ବି ଲମ୍ବି ଚାଲିଥିଲା ।

କାର ଚୋରି ବ୍ୟବସାୟରୁ ସେ ବିପୁଳ ଧନ ସଂଗ୍ରହ କରିଛନ୍ତି । ଚୋରି ଟଙ୍କାରେ ସେ ଅଚଳାଚଳ ସମ୍ପତ୍ତିର ମାଲିକ ବନି ଯାଇଛନ୍ତି । ଦିଲ୍ଲୀ, ମୁମ୍ବାଇ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ତାଙ୍କର ସମ୍ପତ୍ତି ଥିବା କୁହାଯାଉଛି। ଅର୍ଥ ହେରଫେର ମାମଲାରେ ତାଙ୍କ ବିରୋଧରେ ଇଡି ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା । ନିକଟ ଅତୀତରେ ସେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଜଣାପଡ଼ିଛି ।

ସାତ ବର୍ଷ ପୂର୍ବରୁ ବି ଅନିଲଙ୍କୁ ଗିରଫ କରିଥିଲା ଆସାମ ପୋଲିସ୍‌ । ସେତେବେଳେ ସେ ଆସାମ, ଦିଲ୍ଲୀ, ମହାରାଷ୍ଟ୍ର ସମେତ ଦେଶର ଅନେକ ସ୍ଥାନରୁ ସାଢ଼େ ଚାରି ହଜାରରୁ ଅଧିକ କାର ଚୋରି କରିଥିବା ଅଭିଯୋଗ ହୋଇଥିଲା। ପୋଲିସର ପଚରାଉଚରା ବେଳେ ଅନିଲ କାର ଚୋରି କରି ବିକ୍ରି ଅଭିଯୋଗକୁ ସ୍ୱୀକାର କରିଥିଲା ।