ମଞ୍ଚେଶ୍ବର ମର୍ଡର ପଛର ରହସ୍ୟ କ’ଣ, କେଉଁ ପରିସ୍ଥିତିରେ ବାପାଙ୍କ ଛାତିରେ ଛୁରୀ ଭୁଶିଲା ପୁଅ

ଟଙ୍କା, କର୍ମ ସଂସ୍ଥାନର ଚାପ ନା ପାରିବାରିକ ସମସ୍ୟା ? କେଉଁ କାରଣରୁ ମାନସିକ ସନ୍ତୁଳନ ହରାଇ ବାପାଙ୍କ ଛାତିରେ ଛୁରୀ ଭୁଶିଲା ପ୍ରଫେସର ପୁଅ ?

Bhubaneswar Murder

ପୁଅ ଉଚ୍ଚଶିକ୍ଷିତ ଆଉ ସମାଜରେ ପ୍ରତିଷ୍ଠିତ ମଧ୍ୟ। ବାପା ନବରତ୍ନ କମ୍ପାନୀରୁ ବଡ଼ ଅଫିସର ପଦବୀରୁ ଅବସରପ୍ରାପ୍ତ । ଟଙ୍କା ପଇସା କି ଘରବାଡ଼ିର ଅଭାବ ନାହିଁ। ତଥାପି କେଉଁ ପରିସ୍ଥିତିରେ ଜଣେ ବୃଦ୍ଧ ବାପାଙ୍କ ଆଶାବାଡ଼ି ହେବା ବଦଳରେ ପିତୃହନ୍ତା ସାଜି ପାରିଲା ପ୍ରଫେସର ପୁଅ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ରଙ୍ଗମାଟିଆରେ ଗତକାଲି ଘଟିଥିବା ଏ ହାଇପ୍ରୋଫାଇଲ ମର୍ଡର କଥା ଆଜିର ସଭ୍ୟ ସମାଜକୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ଏପଟେ ପୁଅର ହତ୍ୟା ମାନସିକତା ପଛରେ ଏକାଧିକ କାରଣ ନେଇ ପ୍ରେସମିଟରେ ଖୁଲାସା କରିଛି କମିଶନରେଟ୍ ପୋଲିସ ।

ଟଙ୍କା, କର୍ମ ସଂସ୍ଥାନର ଚାପ ନା ପାରିବାରିକ ସମସ୍ୟା ? କେଉଁ କାରଣରୁ ମାନସିକ ସନ୍ତୁଳନ ହରାଇ ବାପାଙ୍କ ଛାତିରେ ଛୁରୀ ଭୁଶିଲା ପ୍ରଫେସର ପୁଅ ? ଗତକାଲି ଭୁବନେଶ୍ବର ମଞ୍ଚେଶ୍ବର ଥାନା ରଙ୍ଗମାଟିଆରେ ଘଟିଥିବା ଏ ହାଇପ୍ରୋଫାଇଲ ମର୍ଡର ପଛର ରହସ୍ୟକୁ ନେଇ ଚର୍ଚ୍ଚା-ଆଲୋଚନା ଭିତରେ ଆଜି କମିଶନରେଟ୍ ପୋଲିସ ସାମ୍ନାକୁ ଆଣିଛି ପୁଅର ହତ୍ୟା ମାନସିକତା ପଛର କିଛି ସମ୍ଭାବ୍ୟ କାରଣ । ଭୁବନେଶ୍ବର ଡିସିପି କହିଛନ୍ତି, ବ୍ୟାଙ୍କରୁ ପର୍ସୋନାଲ ଲୋନ୍ ଆଣି ଅତ୍ୟଧିକ ଋଣ ଚାପରେ ରହୁଥିଲେ ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ ।

ସେହିଭଳି ସେ ଚାକିରି କରୁଥିବା ଘରୋଇ କଲେଜ ପକ୍ଷରୁ ମଧ୍ୟ ତାଙ୍କ ଉପରେ ଚାପ ଥିବା କଥା ସାମ୍ନାକୁ ଆସିଛି । ଅନିରୁଦ୍ଧ ବିଦେଶରେ LLM ଡିଗ୍ରୀ କରିଥିଲେ ବି, କଲେଜ କର୍ତ୍ତୃପକ୍ଷଙ୍କୁ ଉଚିତ ସମୟ ଭିତରେ ସାର୍ଟିଫିକେଟ୍ ଦାଖଲ କରିପାରୁନଥିଲେ । ଏଥିପାଇଁ ବି ସେ ବିଚଳିତ ରହୁଥିଲେ । ଏପରିକି ଘଟଣାର ଦୁଇ ଦିନ ପୂର୍ବରୁ ସେ ଚାକିରିରୁ ଇସ୍ତଫା ଦେଇଥିବା କଥା ବି ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ଡିସିପି ।

ଏପଟେ ଚୌଧୁରୀ ପରିବାର ସହ ଅନ୍ତରଙ୍ଗ ସମ୍ପର୍କ ଥିବା ତଥା ସେମାନଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିବା ଯୁବକ ଆଲୋକ ବେହେରା, ଆଉ ଏକ ଦିଗ ନେଇ ଇଙ୍ଗିତ କରିଛନ୍ତି । ଲୋନ୍ ପାଇଁ ଇଏମଆଇର ବୋଝ, ଚାକିରି କ୍ଷେତ୍ରରେ ଚାପ ସାଙ୍ଗକୁ ଅନିରୁଦ୍ଧଙ୍କ ପାରିବାରିକ ଜୀବନ ବି ଠିକ୍ ଢଙ୍ଗରେ ଚାଲିନଥିବା କଥା କହିଛନ୍ତି ଆଲୋକ।

ରାଜଧାନୀର ଘଟିଥିବା ଏ ଜଘନ୍ୟ ଅପରାଧ ଘଟଣାକୁ ନେଇ ସ୍ତବ୍ଧ ସଭ୍ୟ ସମାଜ। ଏକ ଉଚ୍ଚଶିକ୍ଷିତ, ସମ୍ଭ୍ରାନ୍ତ ଆଉ ପ୍ରତିଷ୍ଠିତ ପରିବାରରେ ବି ଏଭଳି ଘଟଣା ଘଟିପାରେ, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।