/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754191977.jpg)
Balanga Victim
ବାଲେଶ୍ବର ଏଫଏମ୍ ଛାତ୍ରୀ ଆତ୍ମଦାହ ଘଟଣା ମନରୁ ନ ଲିଭୁଣୁ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା ଯୋଗୁ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣାର ଖୋଳତାଡ଼ କରିବାକୁ ପୋଲିସ୍ ଜୋରସୋରରେ ତଦନ୍ତ ଆରମ୍ଭ କରିଥିଲା। ତେବେ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ପୋଲିସ୍ ସ୍ପଷ୍ଟ କରିଛି। ଓଡ଼ିଶା ପୋଲିସ ସୋସିଆଲ୍ ମିଡ଼ିଆ Xରେ ଏହି ବଡ଼ ସୂଚନା ଦେଇଛି।
ଓଡ଼ିଶା ପୋଲିସ୍ କହିଛି, ବର୍ତ୍ତମାନ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଘଟଣା ଦିନ ପୀଡ଼ିତାଙ୍କୁ ପ୍ରଥମେ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ବୟାନ ଅନୁଯାୟୀ, ୩ ଯୁବକ ଗାଡ଼ିରେ ଆସି ପୀଡ଼ିତାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏନେଇ ପୀଡ଼ିତାଜଣକ ତାଙ୍କୁ କହିଥିବା ସେ ପୋଲିସ୍ ସମ୍ମୁଖରେ କହିଥିଲେ।
ଏହାକୁ ଆଧାର କରି ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ଛାନଭିନ କରିବା ସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତନ ତନ ଯାଞ୍ଚ କରିଥିଲା। ତେବେ ଘଟଣାସ୍ଥଳରୁ ଏକ ମୁଦି ମିଳିଥିବା ବେଳେ ତାହା କାହାର ଓ କେଉଁଠୁ ଆସିଲା ତାହା ଉପରୁ ଅଦ୍ୟାବଧୀ ପରଦା ହଟି ପାରିନି।
ଇତି ମଧ୍ୟରେ ଉନ୍ନତ ଚିକିତ୍ସା ନିମନ୍ତେ ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା। ଓଡ଼ିଶା ପୋଲିସ୍ ଟିମ୍ ସେଠାରେ ପହଞ୍ଚି ୩ ଥର ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି। ତେବେ ପ୍ରଥମେ ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁ ନ ଥିବା ଶୁଣିବାକୁ ମିଳିଥିଲା ଶେଷ ଥର ବୟାନରେ ୩ ଯୁବକ ଆସି ପୋଡ଼ିବା ଘଟଣା ସତ ନୁହେଁ ବୋଲି ପୀଡ଼ିତା କହିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ପୀଡ଼ିତାଙ୍କ ମୃତ୍ୟୁ ପରେ ଅଘଟଣ ଆଶଙ୍କାରେ ତାଙ୍କ ଗାଁରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପୀଡ଼ିତାଙ୍କ ଘରେ ତାଲା ଝୁଲୁଥିବା ବେଳେ ଗତ ରାତିରୁ ସେଠାରେ ଫୋର୍ସ ମୁତୟନ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)