/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754242024.jpg)
FM College Case
ବାଲେଶ୍ବର FM ଛାତ୍ରୀ ଆତ୍ମାହୁତି ଘଟଣାକୁ ଆଉ କେଇଟା ଦିନ ପରେ ମାସେ ପୂରିବ। ଏଯାଏଁ ସାମ୍ନାକୁ ଆସିପାରିଲାନି ନିଆଁ ପଛର ସତ। କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଜାରି ରଖିଥିବା ବେଳେ, ଏଥିରେ ଆଗ ଅପେକ୍ଷା ଅହେତୁକ ମନ୍ଥରତା ଆସିଥିବା ଚର୍ଚ୍ଚା ହେଉଛି। ପୀଡ଼ିତାଙ୍କୁ ନ୍ୟାୟ ଅପେକ୍ଷାରେ ଥିବା ତାଙ୍କ ସହପାଠୀ ଓ ସହପାଠିନୀ ମାନେ ଏବେବି ଶଙ୍କା ଓ ସନ୍ଦେହ ଭିତରେ କଲେଜ ଆସୁଥିବା ବେଳେ, ଏପଟେ ଝିଅକୁ ମାନସିକ ନିର୍ଯାତନା ଦେଇଥିବା ପ୍ରତ୍ୟେକ ଦୋଷୀ ଆଇନର କାଠଗଡ଼ାକୁ ଆସିବା ଦରକାର ବୋଲି ଦାବି କହିଛନ୍ତି ମୃତ ଛାତ୍ରୀଙ୍କ ବାପା।
ଏହି ବହୁଚର୍ଚ୍ଚିତ ଘଟଣାରେ ପ୍ରଥମ କିଛିଦିନ କ୍ରାଇମବ୍ରାଞ୍ଚ ଟିମ୍ ଯେତିକି ତତ୍ପରତା ଦେଖାଇଥିଲା, ଏବେ ସେଥିରେ ଅସ୍ବାଭାବିକ ଭଟ୍ଟା ଆସିଥିବା ସାଧାରଣରେ ଚର୍ଚ୍ଚା ହେଉଛି। କ୍ରାଇମବ୍ରାଞ୍ଚ ଟିମ୍ କଲେଜ ସମ୍ମୁଖରେ ଥିବା ବିଭିନ୍ନ ଦୋକାନ ଓ ବ୍ୟାଙ୍କର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହିତ, କଲେଜ କାର୍ଯ୍ୟାଳୟରେ ପହଞ୍ଚି ଭାରପ୍ରାପ୍ତ ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିଛି। ସୂଚନା ମୁତାବକ, ୫୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରା ଉଚରା କରାଯିବା ସହ, ICC ମେମ୍ବର, ଷ୍ଟାଫ୍, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କିଛି ସ୍ଥାନୀୟ ଲୋକଙ୍କର ବି ବୟାନ ରେକର୍ଡ ହୋଇଛି। କିଛି ମୋବାଇଲ ଜବତ କରି କଲ ରେକର୍ଡ ବି ଯାଞ୍ଚ ହେଉଛି। ସେପଟେ ଘଟଣା ବେଳର ସିସିଟିଭିରେ କଏଦ ହୋଇଥିବା ଦୁଇଜଣ ଛାତ୍ରୀଙ୍କର ବୟାନ ବି ଏସଡିଜେଏମ କୋର୍ଟରେ ରେକର୍ଡ କରାଯାଇଛି। ତେବେ ସସପେନ୍ସ ଅଟକିଛି ମୂଳ ପ୍ରଶ୍ନ ପାଖରେ। ଛାତ୍ରୀ ଜଣକ ଏଭଳି ଚରମ ନିଷ୍ପତ୍ତି ନେବା ପଛର ପ୍ରକୃତ କାରଣ କଣ ଏବଂ ପ୍ରକୃତ ଦୋଷୀ କିଏ ? ଏଥିପାଇଁ ତାଙ୍କୁ କିଏ ବାଧ୍ୟ କରିଥିଲା, ପ୍ରବର୍ତ୍ତାଇଥିଲା, ନା ସେ ନିଜେ ଏଭଳି ନିଷ୍ପତ୍ତି ନେଲେ ? ଏ ନେଇ ମୁହଁ ଖୋଲୁନି କ୍ରାଇମବ୍ରାଞ୍ଚ।
ଏପଟେ ଫିକା ଫିକା FM କ୍ୟାମ୍ପସ... ଏବେ ବି ଫେରିନି ସ୍ବାଭାବିକ ସ୍ଥିତି। ପୀଡ଼ିତାଙ୍କୁ ଏଯାଏଁ ନ୍ୟାୟ ମିଳିନଥିବାରୁ, ଛାତ୍ରଛାତ୍ରୀଙ୍କ ମନରେ ଖୁସି ନାହିଁ। ଜଣେ ସହପାଠିନୀର ଏଭଳି ଦୁଃଖଦ ଅନ୍ତକୁ ସହଜରେ ହଜମ କରିପାରୁନାହାନ୍ତି ସେମାନେ। ଜୁଲାଇ ୧୨ର ଘଟଣାକୁ ନେଇ ଯେତିକି ଚିନ୍ତିତ, ସେତିକି ବିବ୍ରତ ମନ୍ଥର ଗତିରେ ଆଗଉଥିବା କ୍ରାଇମବ୍ରାଞ୍ଚ ତନାଘନାକୁ ନେଇ। କଲେଜ ଆସିବାକୁ ଡର ଲାଗୁଛି ବୋଲି କହିଛନ୍ତି ଜଣେ FM ଛାତ୍ରୀ। ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବାରେ ଏତେ ବିଳମ୍ବ କାହିଁକି ହେଉଛି ବୋଲି ପଚାରିବା ସହ, ସତ କଣ ମିଛ କଣ ଜାଣିଲେ ହିଁ ଆମ ମନରେ ସାହସ ଆସିବ ବୋଲି ସେ କହିଛନ୍ତି । ସେପଟେ ଝିଅ ଯିବାର ପ୍ରାୟ ୩ ସପ୍ତାହ ପରେ ବି କ୍ରାଇମବ୍ରାଞ୍ଚ ସତ ପାଖରେ ପହଞ୍ଚି ପାରିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମୃତ ଛାତ୍ରୀଙ୍କ ବାପା। ମୋ ଝିଅ ମୃତ୍ୟୁ ପଛରେ ICC ମେମ୍ବର ଓ ଯେଉଁମାନେ ମାନସିକ ନିର୍ଯାତନା ଦେଇଥିଲେ, ସମସ୍ତେ ଦାୟୀ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)