୫ ସ୍ତ୍ରୀଙ୍କ ରସିକିଆ ସ୍ୱାମୀ ଗିରଫ, ଲାଇନରେ ଥିଲେ ଆହୁରି ୪୯ ମହିଳା

ବିଧବା ମହିଳା ଓ ଡିଭୋର୍ସି ମହିଳାଙ୍କୁ ଟାର୍ଗେଟ କରୁଥିଲା ଠକ I ମାଟ୍ରିମନି ସାଇଟରୁ ଠିକଣା ନେଉଥିଲା । ମହିଳାଙ୍କୁ ବାହା ହେବା ସହ ତାଙ୍କ ନାଁରେ ଲୋନ୍ କରୁଥିଲା । ଆଉ ସେହି ଟଙ୍କାରେ ମଉଜ କରୁଥିଲା ରସିକିଆ ନାଗର I

Commissionerate Police

ଲୈଲା ସାଜିଥିଲେ ମହିଳା ପୋଲିସ, ବନ୍ଧା ହେଲା ମଜନୁ I କମିସନରେଟ ପୋଲିସ ହାତରେ ବନ୍ଧା ହୋଇଛି ୫ ସ୍ତ୍ରୀଙ୍କ ରସିକିଆ ସ୍ୱାମୀ । ଲାଇନରେ ଥଲେ ଆହୁରି ୪୯ ଜଣ ମହିଳା I ଲେଡି ପୋଲିସ ସହ ଚାଟିଂ କରିବା ମହାଙ୍ଗା ପଡ଼ିଛି । ଡେଟରେ ଦୁବାଇରୁ ଭୁବନେଶ୍ୱର ଆସିବା ପରେ ଗିରଫ କରିଛି ପୋଲିସ I

ଏହି ଠକ ଜଣକ ହେଉଛି ୩୪ ବର୍ଷୀୟ ସତ୍ୟଜିତ ମାନଗୋବିନ୍ଦ ସାମଲ । ଘର ତା’ର ଯାଜପୁର ଜିଲ୍ଲା ବିଞ୍ଝାରପୁରରେ । ସେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିଲା । ବିବାହ କରି ଲକ୍ଷାଧିକ ଟଙ୍କା ଠକିଥିବା ନେଇ ସତ୍ୟଜିତ ବିରୋଧରେ ଭୁବନେଶ୍ବର କ୍ୟାପିଟାଲ୍ ଥାନାରେ ୨ଟି ଏତଲା ହୋଇଥିଲା । ପୋଲିସ କମିଶନରଙ୍କ କହିବା ଅନୁସାରେ, ରାଜ୍ୟ ବାହାରର ଆଉ ୨ ଜଣ ମହିଳା ମଧ୍ୟ ସତ୍ୟଜିତ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ତା ନିକଟରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ବୋଲେନୋ କାର ଓ ବୁଲେଟକୁ ଜବତ କରିଛି ପୋଲିସ । ଏଥିସହ ବିଭିନ୍ନ ଟ୍ରାଭେଲ ସଂସ୍ଥାରେ ଭଡାରେ ଲାଗିଥିବା ୩ଟି ଗାଡିକୁ ଚିହ୍ନଟ କରାଯାଇଛି । ସେହିପରେ ତା ନିକଟରୁ ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ କରାଯିବା ସହ ୩ଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରାଯାଇଛି । ଅଧିକ ପଚରାଉଚୁରା କରିବା ଲାଗି ତାକୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ, ସତ୍ୟଜିତ ବିଧବା ଓ ଛାଡପତ୍ର ପରେ ଏକୁଟିଆ ରହୁଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲା । ସେ ଏଥିପାଇଁ ବିଭିନ୍ନ ମାଟ୍ରିମନି ସାଇଟର ସାହାଯ୍ୟ ନେଉଥିଲା । ସେଥିରୁ ସେ ମହିଳାଙ୍କ ସହ ସମ୍ପର୍କ ଯୋଡୁଥିଲା । ବାୟୋଡାଟାରେ ସେ ନିଜକୁ ଇଣ୍ଟିଲିଜେନ୍ସ ବ୍ୟୁରୋ ବା ଗୁଇନ୍ଦା ବ୍ୟୁରୋର ଇନ୍ସପେକଟର ଦର୍ଶାଉଥିଲା । ଆଉ ପ୍ରଲୋଭିତ କରି ମହିଳାଙ୍କୁ ବିବାହ କରୁଥିଲା ।

ମହିଳାଙ୍କୁ ବାହା ହେବା ସହ ବିଭିନ୍ନ ଉପାୟରେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲା । ଏପରିକି ଲୋନ୍ କରି ଟଙ୍କା ଆଣି କାର କିଣିବା ସହ ଅନ୍ୟ ଉପାୟରେ ମଉଜ କରୁଥିଲା । ସବୁ ଟଙ୍କା ଆତ୍ମସାତ କରି ଧରାପଡ଼ିବା ପୂର୍ବରୁ ବିଦେଶ ପଳାଉଥିଲା ସତ୍ୟଜିତ । ବିଶେଷ କରି ସେ ଦୁବାଇକୁ ପଳାଉଥିବା ଜଣାପଡିଛି । ଏଭଳି ଭାବରେ ସେ ଜଣେ ମହିଳାଙ୍କଠାରୁ ୩୬ ଲକ୍ଷ ଟଙ୍କା ଓ ବୋଲେନୋ କାର ଏବଂ ଅନ୍ୟ ଜଣେ ମହିଳାଙ୍କଠାରୁ ୮ ଲକ୍ଷ ଟଙ୍କା ଓ ବୁଲେଟ ଗାଡି ନେଇଥିଲା । ଯଦି କୌଣସି ମହିଳା ତା ବାବଦରେ ଜାଣି ତାକୁ ଟଙ୍କା ମାଗୁଥିଲେ, ସେ ଓଲଟା ବନ୍ଧୁକ ଦେଖାଇ ଧମକାଉଥିଲା ।

କେବଳ ଓଡ଼ିଶା ନୁହଁ ରାଜ୍ୟ ବାହାରର ଅନେକ ମହିଳାଙ୍କ ସହ ଏଭଳି ସମ୍ପର୍କ ରଖି ଠକିଥିବା ଅଭିଯୋଗ ହୋଇଛି । ତେବେ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ କମିଶନରେଟ୍ ପୋଲିସ ସତ୍ୟଜିତକୁ ଧରିବା ଲାଗି ଯୋଜନା କରିଥିଲା । ସେ ଦୁବାଇରେ ଥିବାରୁ ସେଠାକୁ ଯାଇ ଧରିବା କଷ୍ଟକର ଥିଲା । ତେଣୁ ବିବାହ କରିବା ନାଁରେ ଚାଟିଂ କରି ତାକୁ ଭୁବନେଶ୍ବର ଡକାଇଥିଲା ପୋଲିସ । ଆଉ ଏଠାରେ ପହଞ୍ଚିବା ପରେ ତାକୁ କାବୁ କରିନେଇଥିଲା ।