Advertisment

ରାଜଧାନୀରେ କ୍ରେଡିଟ୍ କାର୍ଡ ଠକେଇର ନୂଆ ଫଣ୍ଡା, ହସ୍ପିଟାଲ କର୍ମଚାରୀଙ୍କୁ ହାତ କରି ପ୍ରାୟ ୮ କୋଟି ଚଳୁ

ଗୋଚରରେ ହେଉ କି ଅଗୋଚରରେ। ଆପଣଙ୍କ ନାଁରେ ଇସ୍ୟୁ ହୋଇଛି କି କୌଣସି କ୍ରେଡିଟ୍ କାର୍ଡ ? ସେହି କ୍ରେଡିଟ୍ କାର୍ଡରେ ହୋଇଛି କି କୌଣସି ଟ୍ରାଞ୍ଜାକ୍ସନ୍ ? ଯଦି ହଁ, ତେବେ ଆପଣଙ୍କ ଜାଣତରେ ନା ଅଜାଣତରେ ?

undefined

Credit Card Fraud

Advertisment

କ୍ରେଡିଟ୍ କାର୍ଡରେ ସାଂଘାତିକ ସ୍କାମ୍। ଦୁର୍ବୃତ୍ତ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଚଳୁ କରିଦେଉଛନ୍ତି କୋଟି କୋଟି। ଏମିତି କୌଶଳ ଆପଣାଉଛନ୍ତି ଯେ, କ୍ରେଡିଟ୍ କାର୍ଡ ଉପଭୋକ୍ତାଙ୍କ ପାଖକୁ ନା କୌଣସି ମେସେଜ୍ ଆସୁଛି ନା କୌଣସି ଫୋନ୍ କଲ୍। ତାଙ୍କ ଅଜାଣତରେ ଚୂନା ଲଗାଉଛନ୍ତି ସାଇବର ଲୁଟେରା। ଭୁବନେଶ୍ୱର ସାଇବର ପୋଲିସ ହାବୁଡ଼ରେ ପଡ଼ିଥିବା ଏହି ଗ୍ୟାଙ୍ଗରେ ଘରୋଇ ହସ୍ପିଟାଲର କର୍ମଚାରୀ ବି ସାମିଲ ଅଛନ୍ତି। ଏହି କ୍ରାଇମ୍ ସିଣ୍ଡିକେଟର ମୁଖ୍ୟ ହେଉଛି ପିପିଲି ଅଞ୍ଚଳର ବିଜୁ ତ୍ରିପାଠୀ। ଯାହା ଘରୁ ମିଳିଛି ୭ ଲକ୍ଷରୁ ଅଧିକ ନଗଦ ଟଙ୍କା, ୪୫୦ କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୫୦ଟି ଚେକ୍‌ବୁକ୍, ବିଭିନ୍ନ ବ୍ୟାଙ୍କର ୭୮ଟି ପାସବୁକ୍, ୬ଟି କାର୍ଡ ସ୍ୱାଇପ୍ ମେସିନ୍ ଆଉ ୩ ବସ୍ତା ଟଙ୍କା ରସିଦ୍। ବିଶେଷ କରି ଘରୋଇ ମେଡ଼ିକାଲ୍ ଗୁଡ଼ିକରେ ଏହି ଗ୍ୟାଙ୍ଗ୍ ସକ୍ରିୟ ରହିବା ସହ ରୋଗୀ କିମ୍ବା ରୋଗୀ ସଂପର୍କୀୟଙ୍କ ଦ୍ୱାରା ପୈଠ ନଗଦ ଟଙ୍କାକୁ ପକେଟରେ ପୁରାଉଥିଲେ ଏବଂ ଜାଲ୍ ଡକ୍ୟୁମେଣ୍ଟ ଦ୍ୱାରା ପ୍ରସ୍ତୁତ କ୍ରେଡିଟ୍ କାର୍ଡକୁ ସ୍ୱାଇପ୍ କରୁଥିଲେ। ଶେଷରେ ଜଣେ ଯୁବକଙ୍କ ଅଭିଯୋଗ ପରେ ମାମଲାର ଖୋଳତାଡ଼ କରି ରାକେଟର ଗୁମର ଖୋଲିଛି କମିଶନରେଟ୍ ପୋଲିସ।

Advertisment

ରାକେଟର ମୋଡସ୍ ଅପରେଣ୍ଡି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ। କ୍ରେଡିଟ୍ କାର୍ଡ ତିଆରି ପୂର୍ବରୁ କଳେବଳେ କୌଶଳେ କୌଣସି ବ୍ୟକ୍ତିଙ୍କ ନାଁରେ ଜାଲ୍ ଆଧାର ଓ ପ୍ୟାନ୍ କାର୍ଡ ପ୍ରସ୍ତୁତ କରି କ୍ରେଡିଟ୍ କାର୍ଡ ଆବେଦନ କରୁଥିଲେ। ସେହି ସମୟରେ ନିଜ ମୋବାଇଲ ନମ୍ବରକୁ ପଞ୍ଜିକରଣ କରାଉଥିଲେ। ଆଉ କ୍ରେଡିଟ୍ କାର୍ଡ ଆସିବା ପରେ ଆରମ୍ଭ ହୋଇଯାଉଥିଲା ଅସଲ ଖେଳ। ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଯେଉଁ ରୋଗୀ କିମ୍ବା ସଂପର୍କୀୟ ନଗଦ ଟଙ୍କା ଦେଉଥିଲେ, ବିଲ୍ ଡେସ୍କ କର୍ମଚାରୀଙ୍କୁ ହାତ କରି ସେହି ଟଙ୍କାକୁ ଚଳୁ କରିଦେଉଥିଲେ । ଏହାପରେ ସେହି କ୍ରେଡିଟ୍ କାର୍ଡରୁ ବିଲ୍ କାଟିବା ସହ ୪୫ ଦିନ ମଧ୍ୟରେ ଅନ୍ୟ ଆଡୁ ଟଙ୍କା ଆଣି ଶୁଝିପକାଉଥିଲେ। ଏଭଳି ଭାବେ ଜାଲିଆତି କରି ପ୍ରାୟ ୮ କୋଟି ଟଙ୍କା ଠକେଇ କରିଥିଲେ। ଆଉ ଠକେଇର ଶିକାର ତାଲିକାରେ ଥିଲେ ରାକେଶ କୁମାର। ନିମ୍ନମାନର ସିବିଲ୍ ସ୍କୋର୍ ଥିବା ଜାଣିବା ପରେ ରାକେଶ ପୋଲିସର ଆଶ୍ରୟ ନେଇଥିଲେ। ଶେଷରେ ସାଇବର ପୋଲିସ ପିପିଲିର ବିଜୁ ତ୍ରିପାଠୀ ଯିଏ ଥିଲା ମାଷ୍ଟରମାଇଣ୍ଡ, ଡୁମୁଡୁମାର ପ୍ରସନ୍ନଜିତ ଦାଶ, ନୟାଗଡର ପ୍ରଦୀପ କୁମାର ସାମନ୍ତରାୟ ଏବଂ ଘରୋଇ ହସ୍ପିଟାଲର ବିଲିଂ ଏଜେଣ୍ଟ ଅବଦୁଲ ରେହମାନ ଏବଂ ରାଜେଶ ଦାସଙ୍କୁ ଗିରଫ କରିଛି।

ଏଭଳି ସ୍ଥିତିରେ ସାଇବର ଏକ୍ସପର୍ଟଙ୍କ ମତ, କୌଣସି ସ୍ଥାନରେ ଆଧାର କିମ୍ବା ପାନ୍ କାର୍ଡର ନକଲ ଛାଡନ୍ତୁ ନାହିଁ। ନିଜ ସିବିଲ୍ ସ୍କୋର୍ ନିୟମିତ ଯାଞ୍ଚ କରନ୍ତୁ। କୌଣସି ମେଡିକାଲରେ ଟଙ୍କା ପୈଠର ରସିଦ୍ ନେବାବେଳେ କେଉଁ ମୋଡରେ ପେମେଣ୍ଟ ହୋଇଛି ତାକୁ ଥରେ ଚେକ୍ କରନ୍ତୁ। ରସିଦରେ ଯଦି କିଛି ସନ୍ଦେହ ହେଉଛି, ତେବେ ତୁରନ୍ତ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ।

Advertisment
Odisha News Cyber Fraud Credit Card Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ