ବିହାରରୁ ଆଣୁଥିଲେ ବନ୍ଧୁକ, ଭୁବନେଶ୍ୱରରେ ଖେଳାଉଥିଲେ ଆତଙ୍କ

ରାତ୍ରିକାଳୀନ ଚେକିଂ ବେଳେ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିଥିଲା କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ।

Illegal Firearm

ନୂଆ ଗ୍ୟାଙ୍ଗ, ନୂଆ ଷ୍ଟାଇଲ । ବିହାରରୁ ଆଣୁଥିଲେ ବନ୍ଧୁକ, ଭୁବନେଶ୍ବରରେ ଖେଳାଉଥିଲେ ଆତଙ୍କ । ସୁପାରିଂ କିଲିଂଠୁ ଆରମ୍ଭ କରି କିଡନାପିଂ, ବାଲିଘାଟ ନିଲାମ ଅବା ଟେଣ୍ଡର ଫିକ୍ସିଂ ଭଳି ଡିଲ୍ କରୁଥିଲେ । ଯାହାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରଶ୍ମିରଂଜନ ସ୍ବାଇଁ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୬ ବନ୍ଧୁକ ଜବତ କରିଛି ପୋଲିସ । ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଏମାନେ ଟୁଇନ ସିଟି ଓ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ । ଆଉ ଯିଏବି ସୁପାରୀ ଦେଉଥିଲା ତେବେ ଅପରହଣ, ହତ୍ୟା କରିବାକୁ ପଛାଉନଥିଲା ଏହି ଗ୍ୟାଙ୍ଗ ।

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର, ମାଳ ମାଳ ଘର ଓ ପ୍ଲଟ୍ ଠାବ

ରାତ୍ରିକାଳୀନ ଚେକିଂ ବେଳେ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିଥିଲା କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଆଉ ସର୍ଚ୍ଚ ବେଳେ ସମସ୍ତଙ୍କ ପକେଟରୁ ବାହାରିଥିଲା ଚୋରା ବନ୍ଧୁକ। ମାଷ୍ଟର ମାଇଣ୍ଡ ରଶ୍ମି ରଂଜନ ସ୍ବାଇଁ ସମେତ ଉତ୍କଳ କେଶରୀ ଖୁଣ୍ଟିଆ, ଆକାଶ ଚନ୍ଦ୍ର ଜେନା, ଚିରଞ୍ଜୀବି ଜେନା ଓରଫ ଚିକୁ, ମହମ୍ମଦ ସମସେର ଓ ସେକ ଆଜାରୁଦ୍ଦିନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଚୋରା ବନ୍ଧୁକ କାରାବାରର ଖୋଲତାଡ଼ ପାଇଁ ସମସ୍ତଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ ଯୋଜନା ରଖିଛି ।

ବିହାରରୁ ସିଧାସଳଖ ଆସୁଥିଲା କି ବନ୍ଧୁକ ? କିଏ କରୁଥିଲା ବନ୍ଧୁକ ସପ୍ଲାଇ ? କେଉଁ ଆଡେ ସବୁ ବନ୍ଧୁକ ବିକିଛି ଗ୍ୟାଙ୍ଗ? ରିମାଣ୍ଡରେ ଆଣି ପଚରାଉଚରା ପରେ ଖୋଲିପାରେ ରହସ୍ୟ ।