ନବମ ଶ୍ରେଣୀ ଛାତ୍ରଙ୍କୁ ଘରେ ପଶି ଛୁରାମାଡ଼, କାରଣ ଅସ୍ପଷ୍ଟ

ଦିନ ଦିପହରରେ ଘରେ ପଶି ନବମ ଶ୍ରେଣୀ ଛାତ୍ରକୁ ଛୁରାମାଡ଼ ହୋଇଛି । ଯେଉଁଥିରେ ନାବାଳକର ମୃତ୍ୟୁ ହୋଇଛି ।

Class-IX student stabbed to death in Khordha

ଖୋର୍ଦ୍ଧାରେ ବଢ଼ି ଚାଲିଛି ଅପରାଧ । ଦିନ ଦିପହରରେ ବି ଘଟୁଛି ହତ୍ୟାକାଣ୍ତ । ଗତକାଲି ଏକ ଚାଞ୍ଚଲ୍ୟକର ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଦ କରି ଦେଇଛି । ଦିନ ଦିପହରରେ ଘରେ ପଶି ନବମ ଶ୍ରେଣୀ ଛାତ୍ରକୁ ଛୁରାମାଡ଼ ହୋଇଛି । ଯେଉଁଥିରେ ନାବାଳକର ମୃତ୍ୟୁ ହୋଇଛି ।

ଏପରି ଅଭାବନୀୟ ଘଟଣା ଘଟିଛି ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ । ଆଜି ପରୀକ୍ଷା ଥିବାରୁ ଗତକାଲି ଘରେ ରହି ପଢୁଥିଲେ ଶୁଭମ ପାଲଟାସିଂ । ଏହି ସମୟରେ ଜଣେ ଯୁବକ ଘରେ ପଶି ତାଙ୍କୁ ଛୁରାମାଡ କରି ଫେରାର ହୋଇଯାଇଥିଲା । ତୁରନ୍ତ ଶୁଭମଙ୍କୁ ଘର ଲୋକ ହସପିଟାଲ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଛି ।

ଶୁଭମ ଷଣ୍ଢପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ଥିଲେ । ଗାଁରେ କାହା ସହ ସେମାନଙ୍କ ଶତ୍ରୁତା ନଥିଲା ପରିବାର ଲୋକେ କହିଛନ୍ତି । ତେବେ କିଏ କେଉଁ ପରିସ୍ଥିତିରେ ଏ ଛୁରାମାଡ଼ କରିଛି, ତାହା ଜଣା ପଡ଼ି ନାହିଁ । କାହା ବିରୋଧରେ ମଧ୍ୟ ପରିବାର ଲୋକେ ଅଭିଯୋଗ କରିନାହାନ୍ତି ।

ତେବେ ଆଦର୍ଶ ବିଦ୍ୟାଳୟରେ ପଢୁଥିବା ନବମଶ୍ରେଣୀର ଏହି ମେଧାବୀ ଛାତ୍ରକୁ ଛୁରାମାରି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ସେପଟେ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ତଦନ୍ତ ପାଇଁ ଏକାଧିକ ଟିମ୍ ଗଠନ କରାଯିବା ସହ ସମସ୍ତ ଦିଗରୁ ତଦନ୍ତ ହେଉଥିବା ଏସିପି କହିଛନ୍ତି ।