• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦିଲ୍ଲୀରେ ପୁଣି ଶ୍ରଦ୍ଧା ଷ୍ଟାଇଲ୍‌ରେ ହତ୍ୟା ହରର୍ । ବ୍ୟକ୍ତିଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କଲେ ପତ୍ନୀ ଓ ସାବତ ପୁଅ । ଫ୍ରିଜ୍‌ରେ ରଖିଲେ, ରାତି ଅଧିଆ ଫୋପାଡ଼ିଲେ । ମୃତକ ହେଲେ ଅଞ୍ଜନ ଦାସ । ମୂଳ ଘର ବିହାର, ରହୁଥିଲେ ପୂର୍ବ ଦିଲ୍ଲୀ ପାଣ୍ଡବନଗର ତ୍ରିଲୋକପୁରୀରର ଏକ ଘରେ । ଫ୍ରିଜ୍‌ରେ ସ୍ୱାମୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଲୁଚାଇ ରଖିଥିଲେ ପତ୍ନୀ ପୁନମ୍ ଓ ସାବତ ପୁଅ ଦୀପକ ।

ଅଞ୍ଜନଙ୍କ ମୃତଦେହକୁ ୨୨ ଖଣ୍ଡ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ, ପୋଲିସ କହିଛି ଫ୍ରିଜ୍‌ରେ ୧୦ ଖଣ୍ଡ କରି ରଖାଯାଇଥିଲା । ସେଥିରୁ ୬ ଖଣ୍ଡ ମିଳିଛି । ପ୍ରମାଣ ନଷ୍ଟ କରିବାକୁ ମାଆ-ପୁଅ ପ୍ରତିଦିନ ଶରୀରର କିଛି କିଛି ଖଣ୍ଡକୁ ନେଇ ପାଣ୍ଡବ ନଗର ଏବଂ ପୂର୍ବ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ନେଇ ଫିଙ୍ଗୁଥିଲେ । ଯାହାର ସିସିଟିଭି ଫୁଟେଜ୍ ବି ପୋଲିସ ହାତରେ ଲାଗିଛି । ଫୁଟେଜ୍‌ରେ ପୁଅ ହାତରେ ସାବତ ବାପାର ମାଂସ ଟୁକୁଡ଼ାଥିବା ବ୍ୟାଗ୍, ପଛେ ପଛେ ଯାଉଛନ୍ତି ମାଆ ପୁନମ୍ । ସେଗୁଡ଼ିକୁ ଫିଙ୍ଗିବା ପରେ ସେମାନେ ଫେରି ଆସୁଛନ୍ତି ।

ଗତ ମେ ୩୦ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ, ଏବେ ମାଆ-ପୁଅକୁ ଗିରଫ କରି ତଦନ୍ତ ଆଗକୁ ବଢ଼ାଉଛି ପୋଲିସ । ୨ ଅଭିଯୁକ୍ତ ପୋଲିସ ଆଗରେ ଏହି ବିଭତ୍ସ ହତ୍ୟାକାଣ୍ଡ ସଂପର୍କରେ ସ୍ୱୀକାର କରିଥିବା ସୂଚନା ମିଳିଛି । ଆଜି ଗଣମାଧ୍ୟମ ଆଗରେ ପୁନମ୍ କହିଛି ଯେ, ମୁଁ ମାରିନି, ପୁଅ ଚାକୁରେ ମାରିଛି ।

 

ମୃତକ ଅଞ୍ଜନ, ପୁନମ୍‌ଙ୍କ ତୃତୀୟ ସ୍ୱାମୀ ହୋଇଥିବା ବେଳେ, ପୁନମ୍ ଥିଲେ ଅଞ୍ଜନଙ୍କ ଦ୍ୱିତୀୟ ପତ୍ନୀ । ମାମଲାର ଅନ୍ୟତମ ଅଭିଯୁକ୍ତ ଦୀପକ, ପୁନମ୍‌ଙ୍କ ଦ୍ୱିତୀୟ ସ୍ୱାମୀଙ୍କ ଔରସରୁ ଜାତ ସନ୍ତାନ । ପୂର୍ବ ବିବାହରୁ ପୁନମଙ୍କ ଆଉ ୨ ଝିଅ ମଧ୍ୟ ଅଛନ୍ତି । ତେବେ ସୂଚନା ମିଳିଛି ଯେ, ଅଞ୍ଜନ ନିଜର ଦୁଇ ସାବତ ଝିଅ ଏବଂ ଦୀପକଙ୍କ ପତ୍ନୀ ଉପରେ ଖରାପ ନଜର ପକାଉଥିଲେ । ପୁନମ୍‌ଙ୍କ ଗହଣା ଚୋରାଇ ନେଇ ଗାଁରେ ଥିବା ନିଜର ପ୍ରଥମ ପତ୍ନୀଙ୍କୁ ଦେଉଥିଲେ । ଏସବୁ କାରଣକୁ ନେଇ ତିକ୍ତତା ବଢ଼ିବା ପରେ, ଅଞ୍ଜନଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ମାଆ-ପୁଅ ।

ପୁନମ୍ ଓ ଦୀପକ ମେ ୩୦ରେ କୌଶଳ କ୍ରମେ ଅଞ୍ଜନଙ୍କ ମଦରେ ନିଦ ଔଷଧ ମିଶାଇ ପିଆଇଲେ । ସେ ବେହୋସ ହୋଇଯିବା ପରେ ତାଙ୍କ ତଣ୍ଟି କାଟି ହତ୍ୟା କରିଥିଲେ । ସେଦିନ ରାତିରେ ସବୁ ରକ୍ତ ନିଗିଡ଼ିଯିବା ପରେ, ପରଦିନ ମୃତଦେହକୁ ଖଣ୍ଡଖଣ୍ଡ କରି ଫ୍ରିଜ୍ ଭିତରେ ଲୁଚାଇ ରଖିଥିଲେ ଏବଂ ସୁଯୋଗ ଉଣ୍ଡି ବିଳମ୍ବିତ ରାତିରେ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗୁଥିଲେ ।

ପୋଲିସ ହାତରେ କିଛି ଶରୀର ଖଣ୍ଡ ଲାଗିବା ପରେ, ନିକଟସ୍ଥ ଅଞ୍ଚଳରେ ଛାନ୍‌ଭିନ୍ ଆରମ୍ଭ କରିଥିଲା । ଘରକୁ ଘର ବୁଲି ପଚରାଉଚରା ବେଳେ ଅଞ୍ଜନ ଦାସ ନାମକ ଜଣେ ବ୍ୟକ୍ତି ପ୍ରାୟ ୫ ମାସ ହେବ ନିଖୋଜ ଥିବା ଜାଣିବାକୁ ପାଇଥିଲା । ତେବେ ଅଞ୍ଜନଙ୍କ ପରିବାର ପକ୍ଷରୁ କୌଣସି ନିଖୋଜ ମାମଲା ହୋଇନଥିବାରୁ ପୋଲିସର ସନ୍ଦେହ ବଢ଼ିଥିଲା । ପରେ ସିସିଟିଭି ଫୁଟେଜ୍ ଆଧାରରେ ଅଞ୍ଜନଙ୍କ ସ୍ତ୍ରୀ ଓ ପୁଅକୁ ପୋଲିସ ଗିରଫ କରିଛି ।