Advertisment

କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲାରେ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ

ଆଇ ଆଣ୍ଡ ପିଆର୍‌ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ । ନିରଞ୍ଜନଙ୍କ ଗିରଫ ନେଇ ଚାନ୍ଦବାଲି ଏସ୍‌ଡିପିଓଙ୍କ ସୂଚନା ।

ଅଦ୍ୟତନ ହୋଇଛି
Camera Man Manas Swain

Camera Man Manas Swain

Advertisment

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା । ହତ୍ୟାଘଟଣାରେ ଆସିଲା ନୂଆ ମୋଡ଼ । ଗିରଫ ହେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ । ଖାଲି ନିରଞ୍ଜନ ସେଠୀ ନୁହେଁ ଅନ୍ୟ ଜଣେ ଅଭିଯୁକ୍ତ ରଂଜନ ନାୟକ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି । ନିରଞ୍ଜନ ସେଠୀ ହେଉଛନ୍ତି ଅବସରପ୍ରାପ୍ତ ଓଆଇସି । ସେ ଆଇ ଆଣ୍ଡ ପିଆର୍‌ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ । ନିରଞ୍ଜନଙ୍କ ଗିରଫ ନେଇ ଚାନ୍ଦବାଲି ଏସ୍‌ଡିପିଓଙ୍କ ସୂଚନା ।

Advertisment

ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ନିଜେ ରଚିଥିଲେ ମାନସ ସ୍ୱାଇଁର ହତ୍ୟା ଷଡ଼ଯନ୍ତ୍ର । ଏମିତିକି ଚାନ୍ଦବାଲିରୁ ଅପହରଣ କରିବା ନେଇ ପ୍ଲାନ୍‌ ମଧ୍ୟ କରିଥିଲେ ନିରଞ୍ଜନ । ମାନସକୁ ଅପହରଣ କରିବା ପରେ ନିରଞ୍ଜନ ତାଙ୍କୁ ମାଡ଼ ବି ମାରିଥିଲେ । ଏନେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଜତୀନ୍‌ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଖାଲି ସେତିକି ନୁହେଁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମରେ ମାଡ଼ ମାରିବା ସହ ହତ୍ୟା ଯୋଜନା, ଶବ ପୋତିବାରେ ମଧ୍ୟ ନିରଞ୍ଜନଙ୍କ ହାତ ଥିଲା । ମାନସଙ୍କୁ ହାତରେ ଏବଂ ଘାତକ ଅସ୍ତ୍ରରେ ମାଡ଼ ମରାଯାଇଛି । ଗୋଟିଏ ଚିପ୍ ପାଇଁ ଏସବୁ ଘଟଣା ଘଟିଥିଲା ବୋଲି କୁହାଯାଇଛି । ଚିପ୍ ଏଯାଏ ପୋଲିସ ହାତରେ ଲାଗିନି । ଭୁବନେଶ୍ୱର ଦୟାଲ ଆଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିଲା 

Advertisment

ସେପଟେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଖୋଜା ଚାଲିଛି କହିଲେ ଏଏସ୍‌ପି । ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଖୋଜା ଚାଲିଛି । ଶର୍ମିଷ୍ଠାଙ୍କ ସହ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ବି ଖୋଜାଚାଲିଛି । ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି ପୋଲିସ ।

ନୟାଗଡ ଜିଲ୍ଲା ରଣପୁର ଥାନା ନୂଆପଲ୍ଲୀ ଗୋଡିପୋଖରୀ ଗାଁର କ୍ୟାମେରାମ୍ୟାନ୍ ମାନସ କୁମାର ସ୍ୱାଇଁ ଗତ ଫେବୃୟାରୀ ୭ରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଯାଇଥିବାବେଳେ ନାଲଗୁଣ୍ଡାରୁ ତାଙ୍କୁ ଅପହରଣ କରାଯାଇଥିଲା । 

Advertisment

ଭୁବନେଶ୍ୱରର ଏକ ୱେବ ଚ୍ୟାନେଲର କିଛି ବ୍ୟକ୍ତି ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ମାନସଙ୍କ ପରିବାର ଲୋକେ ଫେବୃୟାରୀ ୧୪ରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଚାନ୍ଦବାଲି ପୋଲିସର ସ୍ୱତନ୍ତ୍ର ଟିମ୍ ଛାନଭିନ କରି ଘଟଣାର ଖୁଲାସା କରିଥିଲା। ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।

ରାଜଧାନୀରେ ହତ୍ୟା ଓ ପରେ ନୟାଗଡ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ନିକଟ ପାହାଡ଼ ନିକଟରେ ମାନସଙ୍କ ମରଶରୀରକୁ ପୋତି ଦିଆଯାଇଥିଲା। ସେଠାରୁ ପୋଲିସ ଉଦ୍ଧାର କରିଥିଲା ମାନସଙ୍କ ଗଳିତ ଶବ।

Camera Man Manas Swain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ