ଭୁବନେଶ୍ୱର: ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ପ୍ରଥମେ ଅପହରଣ ଓ ପରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଶେଷରେ ଟଙ୍କା ମିଳିବା ପରେ ଅପହରଣକାରୀମାନେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ବ୍ୟବସାୟୀ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅପହରଣ ଅଭିଯୋଗରେ ଏକ ୱେବ୍ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁସାରେ, ଅଗଷ୍ଟ ୫ ତାରିଖରେ ବଡ଼ବିଲର ଜଣେ ବ୍ୟବସାୟୀ ଓ କେନ୍ଦ୍ରାପଡ଼ାର ତାଙ୍କର ଜଣେ ସହଯୋଗୀଙ୍କୁ ଅଭିଯୁକ୍ତମାନେ ଭୁବନେଶ୍ୱର ଡାକିଥିଲେ। ଏହାପରେ ସେମାନେ ଉଭୟଙ୍କୁ ରଘୁନାଥପୁରରେ ରଖିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା ମାଗି ଥିଲେ।
Also Read
ଟଙ୍କା ନମିଳିବା ପର୍ଯ୍ୟନ୍ତ ଅପହରଣକାରୀମାନେ ଉଭୟଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ମାଡ଼ ମାରିବା ଓ ସିଗାରେଟ୍ ଚେଙ୍କ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ୫୦ ହଜାର ଟଙ୍କା ମିଳିବା ପରେ ଅପହରଣର ୨ ଦିନ ପରେ ଅପହରଣକାରୀମାନେ ଉଭୟଙ୍କୁ ଛାଡ଼ି ଦେଇଥିଲେ। ଘଟଣାକୁ ନେଇ ନନ୍ଦନକାନନ ଥାନାରେ ସମ୍ପୃକ୍ତ ବ୍ୟବସାୟୀଙ୍କ ସହଯୋଗୀ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲାରେ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।