• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଣିଗାରେଡି ସନ୍ଦେହରୁ ହତ୍ୟା । ସମ୍ପର୍କୀୟ ଭାଇଙ୍କ ଆକ୍ରମଣରେ ଭାଇ ମୃତ ଭାଉଜ ଗୁରୁତର । ମାରଣାସ୍ତ୍ର ସହ ହତ୍ୟାକାରୀଙ୍କ ଥାନାରେ ଆତ୍ମସମର୍ପଣ କରିଛି । ଏଭଳି ଏକ ଲୋମହର୍ଷଣ କାଣ୍ଡ ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ।

ଉମରକୋଟ ପୌରପରିଷଦ ଅନ୍ତର୍ଗତ ଦର୍ଗାଗୁଡ଼ା ଗ୍ରାମରେ ସମ୍ପର୍କୀୟ ଭାଇ ଓ ତିନି ପୁତୁରାଙ୍କ ଟାଙ୍ଗିଆ ଆକ୍ରମଣରେ ଭାଇ ସୋମନାଥ ପୂଜାରୀଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ସୋମନାଥ ପୂଜାରୀଙ୍କ ସ୍ତ୍ରୀ ରୁପନ୍ତି ପୂଜାରୀ ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଭାଇକୁ ହତ୍ୟା ପରେ ଟାଙ୍ଗିଆ ସହ ହତ୍ୟାକାରୀ ଭାଇ ଅର୍ଜୁନ ପୂଜାରୀ ଓ ତିନି ପୁତୁରା ତୁଳା ପୂଜାରୀ, ଚନ୍ଦନ ପୂଜାରୀ ଓ ଦେବେନ୍ଦ୍ର ପୂଜାରୀ ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଛନ୍ତି । ଗୁଣି ଗାରେଡି ସନ୍ଦେହ ନେଇ ମୃତକ ଓ ହତ୍ୟାକାରୀଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା ବୋଲି ସୂଚନା ମିଳିଛି ।

ଗତକାଲି ସନ୍ଧ୍ୟାରେ ସୋମନାଥ ପୂଜାରୀ ଓ ତାଙ୍କ ସ୍ତ୍ରୀ ରୁପନ୍ତି ପୂଜାରୀ ଧାନ ଜମିରୁ କାମ ସାରି ଘରକୁ ଫେରୁଥିବା ସମୟରେ ଯୋଜନା ମୁତାବକ୍ ପୂର୍ବରୁ ରାସ୍ତା ନିକଟ ବୁଦା ମଧ୍ୟରେ ଛକି ରହିଥିବା ଚାରି ଅଭିଯୁକ୍ତ । ପ୍ରଥମେ ସୋମନାଥଙ୍କୁ ପଥର ରେ ଆକ୍ରମଣ କରିଥିଲେ ଏବଂ ସୋମନାଥ ସେଠାରେ ପଡି ଯିବାରୁ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସୋମନାଥଙ୍କ ସ୍ତ୍ରୀ ରୁପନ୍ତି ସୋମନାଥଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କୁ ବି ଆକ୍ରମଣ କରିଥିଲେ ଆକ୍ରମଣକାରୀ ।

ପରେ ସ୍ଥାନୀୟ ଲୋକେ ସୋମନାଥଙ୍କୁ ମେଡିକାଲ ନେଇଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଗୁରୁତର ଅବସ୍ଥାରେ ରୂପନ୍ତିଙ୍କ ଉମରକୋଟ ଡାକ୍ତର ଖାନାରେ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ଉମରକୋଟ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

କାର୍ତ୍ତିକ ମଲ୍ଲିକ, ଉମରକୋଟ