• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟ୍ରାଫିକ୍ ପୋଲିସ ପରେ ଏଣିକି ସବୁ ଥାନାର ରିସେପସନ୍ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । କ୍ୟାମେରାରେ ଥିବା ସ୍ୱତନ୍ତ୍ର ବଟନ ଚିପିଲେ ରେକର୍ଡ ସମସ୍ତ ଦୃଶ୍ୟକୁ ଫୋନ୍ ମାଧ୍ୟମରେ ଦେଖି ପାରିବେ ସିପି ଓ ଡିସିପି । ରେକର୍ଡ ଭିଡିଓ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଅନେକ ସମୟରେ ଉପୁଜୁଥିବା ଅପ୍ରୀତିକର ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ ।

ଥାନାରେ ଉତ୍ପାତ କରୁଥିଲେ ସାବଧାନ । ଅମାନିଆଙ୍କୁ ସାବାଡ଼ କରିବ ପୋଲିସ । ଥାନାରେ କିଏ ଦୁର୍ବ୍ୟବହାର କରୁଛି । ତାର ଭିଡିଓ ଏବଂ ଅଡିଓ ରେକର୍ଡ କରିବ ଏହି କ୍ୟାମେରା । ଏଣିକି ଥାନା ରିସେପସନ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ପିନ୍ଧିବେ ବଡି କ୍ୟାମେରା । କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି ।

ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ଖାରବେଳନଗର ଥାନା ବୁଲି ଦେଖିବା ସହ ତଦାରଖ କରିଛନ୍ତି । ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । କେବଳ ଏତଲାକାରୀ ନୁହେଁ ପୋଲିସର ବ୍ୟବହାର ନେଇ ମଧ୍ୟ ହେବ ଛାନଭିନ । କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି ।

ପ୍ୟାନିକ୍ ବଟନ ଦବାଇବା ମାତ୍ରେ ସମସ୍ତ ଅଭାବନୀୟ ଘଟଣା ରେକର୍ଡ ହେବ । ପୂର୍ବରୁ ଅନେକ ସମୟରେ ଥାନାରେ ମାତାଲ୍ ଯୁବତୀ ଓ ଯୁବକ ଆସି ପୋଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ଭରତପୁର ଘଟଣା ପାଇଁ ବିବାଦ ଘେରକୁ ଆସିଥିଲା କମିଶରେଟ ପୋଲିସ ।

ଖଣ୍ଡଗିରି ଥାନାରେ ମଧ୍ୟ ଜଣେ ମହିଳା ମଦ୍ୟପାନ କରି ପୋଲିସକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଥାନାରେ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ । ତାକୁ ଆଖି ଆଗରେ ରଖି ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ ।

୨୦୧୯ରେ ଟ୍ରାଫିକ୍ ପୋଲିସ କ୍ଷେତ୍ରରେ ବଡି କ୍ୟାମେରା ଲାଗୁ ହୋଇ ସାରିଛି । ଅନେକ ସମୟରେ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବାଦ ବିବାଦ ଦେଖା ଦେଇଥାଏ । ତେବେ ଏଥିରେ କାହାର ଭୁଲ୍ ଓ କାହାର ଠିକ୍ ତାହା ସ୍ପଷ୍ଟ ହୋଇପାରେ ନାହିଁ । ତେଣୁ ଏସବୁ ସମସ୍ୟାର ସମାଧାନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବଡ଼ି କ୍ୟାମେରା ବ୍ୟବସ୍ଥା କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now