• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଇନ କାନୁନ୍ ତା ବାଟରେ ଲୋକେ ତାଙ୍କ ବାଟରେ । ଯୌତୁକ ଆକାରରେ ବରକୁ କମ୍ ପଡିଲା ୫୦ ଲକ୍ଷ ଟଙ୍କା, କାର୍ ଓ ୪୦ ଭରି ସୁନା । ନିରାଶ ହୋଇ ଜୀବନ ହାରିଦେଲା କନିଆଁ । ସେ ପୁଣି ପିଜି କରୁଥିବା ଡାକ୍ତର ଛାତ୍ରୀ । କେରଳରେ ଏଭଳି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ।

ଥିରୁବନ୍ତପୁରମ ସରକାରୀ ମେଡିକାଲ କଲେଜର ପିଜି ଛାତ୍ରୀ ସାହାନାଙ୍କୁ ଗ୍ରାସ କରିଛି ଯୌତୁକ ଦାନବ । ବୟଫ୍ରେଣ୍ଡ ବାହା ହେବାକୁ ମନା କରିଦେବା ପରେ ବିଷାଦଗ୍ରସ୍ତ ହୋଇ ଚରମ ପରିଣତିକୁ ବାଛି ନେଇଛନ୍ତି ଏହି ଡାକ୍ତର ଛାତ୍ରୀ । ବରକୁ ୫୦ ଲକ୍ଷ ଟଙ୍କା, ୪୦ ଭରି ସୁନା ଓ ଏକ କାର୍ ଦେବାକୁ ରାଜି ହୋଇଥିଲେ ସାହାନାଙ୍କ ପରିବାର । ତେବେ ଏହା ଭାବି ସ୍ୱାମୀ ଡାକ୍ତର ରୁୱାଇଜଙ୍କ ପରିବାରର ଲୋଭ ମେଣ୍ଟାଇବା ସ୍ଥିତିରେ ନଥିଲା ।

୧୨୦ ଭରି ସୁନା, ୧୫ ଏକର ଜମି ଓ ବିଏମଡବ୍ଲୁ କାର୍ ନଦେଲେ ବାହାଘର ହୋଇପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ବରପକ୍ଷ । ଏପଟେ ଦୀର୍ଘ ଦିନର ସଂପର୍କ ସତ୍ତ୍ୱେ ବିବାହ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ ୨୬ ବର୍ଷୀୟା ସାହାନାଙ୍କ ଭାବିସ୍ୱାମୀ ଡାକ୍ତର ରୁୱାଇଜ । ଏହାକୁ ନେଇ ସାହାନା ବିଷାଦ ଗ୍ରସ୍ତ ହେବା ସହ ଉଚ୍ଚ ମାତ୍ରାର ନିଶା ଔଷଧ ହାତରେ ଇଂଜେକ୍ଟ କରି ଜୀବନ ହାରି ଦେଇଥିଲେ ।

ଯୌତୁକ ପାଇଁ ଡାକ୍ତର ରୁୱାଇଜଙ୍କ ପରିବାର ସାହାନାଙ୍କ ପରିବାରକୁ ଚାପଗ୍ରସ୍ତ କରିଥିବା ଅଭିଯୋଗ ନେଇ କେରଳ ପୋଲିସ ଡାକ୍ତର ରୁୱାଇଜଙ୍କୁ ଗିରଫ କରିଛି । କେରଳ ସରକାର ତାଙ୍କୁ ତୁରନ୍ତ ଚାକିରୀରୁ ସସପେଣ୍ଡ କରିଛନ୍ତି । ଡାକ୍ତର ରୁୱାଇଜ ସାହାନାଙ୍କ ଉପରେ ଯୌତୁକ ପାଇଁ ଚାପ ପକାଉଥିବାର ଡିଜିଟାଲ ପ୍ରମାଣ ବି ପୋଲିସ ହାତରେ ଲାଗିଛି ।

ସାହାନା ଓ ଡାକ୍ତର ରୁୱାଇଜଙ୍କ ମଧ୍ୟରେ ବହୁ ଦିନ ଧରି ବନ୍ଧୁତା ରହି ଆସିଥିଲା । ତେବେ ୩ ମାସ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିବା କୁହାଯାଉଛି । ଏହାକୁ ନେଇ ବାହାଘର କରିଦେବା ଲାଗି ଉଭୟଙ୍କ ପରିବାର ମଧ୍ୟରେ ଆଲୋଚନା ହୋଇଥିଲା । ଡାକ୍ତର ରୁୱାଇଡ କେରଳ ମେଡିକାଲ ପୋଷ୍ଟ ଗ୍ରାଜୁଏଟ ଆସୋସିଏସନର ସଦସ୍ୟ ବି ଅଛନ୍ତି । ସାହାନା ତାଙ୍କର ଜୁନିୟର ଥିଲେ ।

ସାହାନାଙ୍କ ମୃତ୍ୟୁର ତୁରନ୍ତ ପରେ କେରଳ ସରକାର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା କଣ ସାହାନଙ୍କୁ ଫେରାଇ ଆଣିବ କି ବୋଲି ତାଙ୍କ ପରିବାର ଓ ବନ୍ଧୁ ପରିଜନ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ସୁଇସାଇଡ ନୋଟରେ ବି ସାହାନା ଯୌତୁକ କଥା ପରୋକ୍ଷରେ ଉଲ୍ଲେଖ କରିଛନ୍ତି । ସମସ୍ତଙ୍କୁ ଟଙ୍କା ଦରକାର, କେବଳ ଟଙ୍କା ହିଁ ସବୁକିଛି, ତେଣୁ ମୁଁ ଯାଉଛି ବୋଲି ନିଜ ଜୀବନ ନେବା ପୂର୍ବରୁ ଲେଖିଯାଇଛନ୍ତି ସାହାନା ।

ଗତ ସୋମାବାର ସାହାନାଙ୍କର ନାଇଟ ଡ୍ୟୁଟି ଥିଲା । ତେବେ ସେ ମେଡିକାଲରେ ନପହଞ୍ଚିବାରୁ ତାଙ୍କ ସହକର୍ମୀ ଫୋନ କରିଥିଲେ । ମାତ୍ର ସାହାନ ଜବାବ ଦେଇନଥିଲେ । ଏହାକୁ ନେଇ ସନ୍ଦେହ ହେବାରୁ ସେମାନେ ସାହାନା ରହୁଥିବା ଫ୍ଲାଟରେ ପହଞ୍ଚିଥିଲେ । ଘର ଭିତରରୁ ବନ୍ଦ ଥିବାରୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଆସି କବାଟ ଖୋଲିବା ପରେ ସାହାନାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ଆଉ ଚିର ନିଦ୍ରାରୁ ଉଠାଇ ପାରିନଥିଲେ ।

୨୬ ବର୍ଷୀୟ ଡାକ୍ତର ଛାତ୍ରୀ ସାହାନାଙ୍କ ଏଭଳି ଦୁଃଖଦ ମୃତ୍ୟୁକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯୌତୁକ ନିରୋଧ ଆଇନକୁ ଏତେ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଏହାର କି ଲାଭ ବୋଲି ପ୍ରଶ୍ନ ବି ଉଠିଛି ।