• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗରେ ଇଡି ହାତରେ ଲାଗିଛି ବଡ଼ ପ୍ରମାଣ । ଗିରଫ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ସିଜ୍ ପରେ ପାଇଛି ଏକ ବ୍ଲାକ୍ ଡାଏରୀ, ଯେଉଁଥିରେ ଟଙ୍କା ନେଣ ଦେଣ ନେଇ ରହିଛି ସୂଚନା । ତାସହ ଅର୍ପିତାଙ୍କ ଡାଏରୀରେ ବହୁ ରାଜନେତା, ଅଫିସର ଓ ସିନେ ବ୍ୟକ୍ତିତ୍ୱଙ୍କ ନାଁ ଅଛି । ତେଣୁ ସେମାନଙ୍କୁ ନିଶ୍ଚେ ତଦନ୍ତ ପରିସରଭୁକ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ଦୃଷ୍ଟିରୁ ଓଡ଼ିଆ ସିନେମା ନିର୍ମାଣକାରୀ ସଂସ୍ଥା ହେଉ ବା ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ କାହାକୁ ବି କେଉଁ ସମୟରେ ଡାକିପାରେ ଇଡି ।

ସୂଚନା ଅନୁସାରେ ବଙ୍ଗୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ୨୦୦୮ରୁ ୨୦୧୪ ଯାଏଁ ୬ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ ଯାହା ମଧ୍ୟରେ ରହିଛି ବନ୍ଦେ ଉତ୍କଳ ଜନନୀ, ପ୍ରେମ ରୋଗୀ, କେମିତି ଏ ବନ୍ଧନ, ମୁ କଣ ଏତେ ଖରାପ ଓ ରାଜୁ ଆଓ୍ୱାରା । ସେଥିରୁ ଅନେକ ହିଟ୍ ବି ହୋଇଥିଲା ଯେହେତୁ ଓଲିଉଡ୍ ସହ ତାଙ୍କର ଥିଲା ଗଭୀର ସମ୍ପର୍କ, ତେଣୁ ସେ ବି ଓଡ଼ିଆ ଫିଲ୍ମରେ ଟଙ୍କା ଲଗାଇ ଥାଇପାରନ୍ତି ବୋଲି ବଢୁଛି ସସପେନ୍ସ । ତେବେ ୨୦୧୦ରେ ମୁକ୍ତିଲାଭ କରିଥିବା ଚଳଚିତ୍ର ମୁଁ କଣ ଏତେ ଖରାପର ନିର୍ଦ୍ଦେଶକ ବସନ୍ତ ସାହୁ, କିନ୍ତୁ ଏଭଳି ସନ୍ଦେହକୁ ସଫା ସଫା ଖଣ୍ଡନ କରିଛନ୍ତି । କହିଛନ୍ତି-ଅର୍ପିତା ଏତେ ବଡ଼ ଅଭିନେତ୍ରୀ ନଥିଲେ, ଛୋଟମୋଟ ଅଭିନୟ ମାଗିଯାଚି କରୁଥିଲେ । ସେ ଓଲିଉଡ୍ ଟଙ୍କା ଲଗାଇଥିବା କଥା ହାସ୍ୟାସ୍ପଦ ।

ସେପଟେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଗିରଫ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଗଷ୍ଟ ୩ ଯାଏଁ ଉଭୟଙ୍କୁ ଇଡି ହେପାଜତକୁ ନେଇଛି । ତେବେ ଅର୍ପିତାଙ୍କ ଡାଇମଣ୍ଡ ସିଟି ବାସଭବନରୁ ୪୦ ପୃଷ୍ଠାର ଏକ ବଡ଼ କଳା ଡାଏରୀ ସହ ୧୬ପୃଷ୍ଠାର ଛୋଟ ପକେଟ୍ ଡାଏରୀ ବି ପାଇଛି । ଯେଉଁଥିରେ ବହୁ ନେତା ଓ ଅଫିସରଙ୍କ ନାଁ ଅଛି, ସେମାନଙ୍କୁ ଡକାଇ ପଚରାଉଚରା କରିବାକୁ ପ୍ରସ୍ତୁତି ଚାଲିଛି । ଉଭୟ ପାର୍ଥ ଓ ଅର୍ପିତାଙ୍କ ଘରୁ ରେଡବେଳେ ନଗଦ ୨୦କୋଟି ସହ, କୋଟିଏରୁ ଅଧିକ ମୂଲ୍ୟର ଗହଣା ଓ ୧୯ଟି ସ୍ମାର୍ଟ ଫୋନ୍ ବି ଜବତ କରି ସାରିଛି ଇଡି ।

ତାସହ ଅର୍ପିତା ୧୨ଟି ଜାଲ୍ କମ୍ପାନୀ ଚଳାଉଥିବା ବି ସୂଚନା ପାଇଛି । ତେଣୁ ଘୋଟଲା ପ୍ରାୟ ୧୨୦ କୋଟିରୁ ଅଧିକ ବୋଲି ଅନୁମାନ କରୁଛି । ଦୁଇଦିନ ତଳେ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିବାବେଳେ ସେ ଅସୁସ୍ଥତା ଦର୍ଶାଇ ଜାମିନ ମାଗିଥିଲେ । ହେଲେ କୋର୍ଟ ପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସିଧା ଭୁବନେଶ୍ୱର ଏମ୍ସ ପଠାଇଥିଲେ । ଏମ୍ସ ଡାକ୍ତର ତାଙ୍କୁ ଫିଟ୍ ଘୋଷଣା କରିବା ପରେ ପାର୍ଥଙ୍କୁ ପୁଣି କୋଲକାତା ଫେରାଇ ନେଇଛି ଇଡି । ତେବେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦୁର୍ନୀତିଗ୍ରସ୍ତଙ୍କୁ ଆଦୌ ପ୍ରଶୟ ଦିଅନ୍ତି ନାହିଁ ବୋଲି କହିବା ପରଠୁ ଯେମିତି ପାର୍ଥଙ୍କ ଅଡୁଆ ଦ୍ୱିଗୁଣିତ ହୋଇଛି । ଏବେ ଦେଖିବାର କଥା ପାର୍ଥ ମୁଖାର୍ଜୀଙ୍କଠାରୁ କେତେ ସତ ଓଗାଳୁଛି ଇଡି ? ତାସହ ଅର୍ପିତାଙ୍କ ଡାଏରୀରୁ ବାହାରୁଛି କାହା କାହା ନାଁ?