• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଅଡୁଆରେ ବିଜେଡି ନେତା ଏନ.ଭାସ୍କର ରାଓ

  • ଟ୍ରକ୍‌ ମାଲିକଙ୍କଠୁ ଚାନ୍ଦା ନେଉଥିଲେ, ନକ୍ସଲଙ୍କୁ ଦେଉଥିଲେ !

  • ୪୦ ବର୍ଷ ଭିତରେ କୋଟି କୋଟି ଟଙ୍କା ହଡପ ନେଇ ଆସିଲା ଅଭିଯୋଗ

ନେତାଙ୍କୁ ନେଇ ପୁଣି ଅଡୁଆରେ ବିଜେଡି । ଏଥର ରାୟଗଡାରୁ ଆସିଛି ଏମିତି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ । ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କୁ ନେଇ ଏବେ ବଢିଲାଣି ଚର୍ଚ୍ଚା । ରାୟଗଡ଼ା ଜିଲ୍ଲାର ଟାଣୁଆ ନେତା ଭାବରେ ତାଙ୍କୁ ନେଇ ଭାରି ଚର୍ଚ୍ଚା । କାରଣ ଅନେକ ସଙ୍ଗଠନ ସହ ସିଧାସଳଖ ଭାବରେ ସେ ଜଡିତ ଥାଆନ୍ତି । ଏବେ କୌଣସି ପଦବୀରେ ନାହାନ୍ତି ସତ ହେଲେ ତାଙ୍କ ବିନା ଇସାରାରେ ରାୟଗଡାରେ ପତ୍ର ହଲୁନଥିବା ନେଇ ଚର୍ଚ୍ଚା କରାଯାଏ ।

ସମୟ ବଦଳିଛି, ନେତାଙ୍କ ପତିଆରା ବି କମିଛି । ଆଉ ସେକାଳ ପଖାଳ ନାହିଁ । ଯେଉଁଠି ଦିନେ ଭାସ୍କରଙ୍କ ବିନା ଇଙ୍ଗିତରେ ପତ୍ର ହଲୁନଥିଲା ଆଜି ସେଇଠି ତାଙ୍କ ବିରୋଧରେ ବର୍ଷିଛନ୍ତି ଟ୍ରକ୍‌ ମାଲିକ ସଂଘର କର୍ମକର୍ତ୍ତା । ଗତ ୧୮ ତାରିଖ ଦିନ ୟୁନିୟନ କାର୍ଯ୍ୟାଳୟରେ ଏକ ବୈଠକରେ ଭାସ୍କରଙ୍କ ପ୍ରତିନିଧିଙ୍କୁ ଟ୍ରକ ମାଲିକ ମାନେ ହିସାବ ମାଗିଥିଲେ । ଏହକୁ ନେଇ ସାମାନ୍ୟ ଉତ୍ତେଜନା ବି ସୃଷ୍ଟି ହୋଇଥିଲା । ଟ୍ରକ ମାଲିକଙ୍କଠୁ ଚାନ୍ଦା ଆଦାୟ କରି ନକ୍ସଲଙ୍କୁ ବଟି ଦିଆଯାଉଛି । ଏମିତିକି ୪୦ ବର୍ଷ ହେଲାଣି କୌଣସି ହିସାବ ଦେଇନଥିବା ଟ୍ରକ୍‌ ମାଲିକମାନେ ଅଭିଯୋଗ କରିଛନ୍ତି ।

ରାୟଗଡ଼ାରେ ଗତ ୪୦ ବର୍ଷ ପୂର୍ବେ ଟ୍ରକ ମାଲିକଙ୍କୁ ନେଇ ରାୟଗଡ଼ା "ଟ୍ରକ ଓନରସ ଆସୋସିଏସନ" ଗଠନ କରାଯାଇଥିଲା । ସେବେଠୁ ଏନ୍ ଭାସ୍କର ରାଓଙ୍କ ନେତୃତ୍ୱରେ ସଂଗଠନ ଚାଲୁଥିଲା । ସବୁ ଦାୟିତ୍ୱ ବି ସେ ବୁଝୁଥିଲେ । ୪ ବର୍ଷ ତଳେ ସଂଘ ପଞ୍ଜିକୃତ ହୋଇଛି । ପୂର୍ବରୁ ଜିଲ୍ଲାରେ ନକ୍ସଲଙ୍କୁ ବଟି ଦେବା ଲାଗି ମାଲିକଙ୍କଠାରୁ ୫ ହଜାର ଆଦାୟ ହେଉଥିଲା । ପରେ ବିରୋଧ ହେବାରୁ ପରବର୍ତ୍ତୀ ସମୟରେ ୩ ହଜାର ଆଦାୟ ହେଲା । ଗାଡି ଚଳାଉଥିବାରୁ ମାଲିକମାନେ ପ୍ରତି ମାସ ଟଙ୍କା ବି ଦେଉଥିଲେ । ଆଉ ଏବେ ଟନ୍ ପିଛା ୫୦ ଟଙ୍କା ହିସାବରେ ନକ୍ସଲ ଚାନ୍ଦା ଆଦାୟ କରୁଛନ୍ତି ବୋଲି ମାଲିକଙ୍କୁ କୁହାଯାଉଛି । ହେଲେ କେଉଁ ଆକାରରେ ଓ କେମିତି ସେମାନଙ୍କୁ ଟଙ୍କା ଦିଆଯାଉଛି ସେନେଇ କୌଣସି ତଥ୍ୟ ମିଳୁନି ବୋଲି ଅଭିଯୋଗ କରିଛନ୍ତି ଟ୍ରକ ମାଲିକ ।

ସେପଟେ ବିଜେଡି ନେତାଙ୍କ ଟଙ୍କା ହଡ଼ପ ଓ ନକ୍ସଲଙ୍କୁ ଅର୍ଥ ଯୋଗାଉଥିବା ଅଭିଯୋଗ ଆସିବା ପରେ ରାୟଗଡ଼ା ରାଜନୀତି ସରଗରମ ହୋଇଛି । କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସାମ୍ବାଦିକା ସମ୍ମିଳନୀ କରି ଭାସ୍କରଙ୍କ ବିରୋଧରେ ପ୍ରବଳ ବର୍ଷିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ବିଜେପି ନେତା ବସନ୍ତ ଉଲାକା ସାମ୍ବାଦିକ ସମ୍ମିଳନୀ କରି ଏନ.ଆଇ.ଏ କିମ୍ବା ଇଡିର ତଦନ୍ତ ଦାବୀ କରିଛନ୍ତି। ସେପଟେ ପୂରା ଘଟଣାରେ ମୁହଁ ଖୋଲିଛନ୍ତି ବିଜେଡିର ଏହି ବରିଷ୍ଠ ନେତା । କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ।

ତେବେ ବିଜେଡି ନେତାଙ୍କ ନକ୍ସଲଙ୍କ ସହ ସମ୍ପର୍କ ଓ ସେମାନଙ୍କୁ ବଟି ଦେବା କଥା ଜଣାପଡିବା ପରେ ପୂରା ଜିଲ୍ଲାରେ ଚର୍ଚ୍ଚା ବଢିଥିବା ବେଳେ ଆଗାମୀ ନିର୍ବାଚନରେ ଏହାର ନିଶ୍ଚୟ ପ୍ରଭାବ ପଡିବ ବୋଲି କହିଲେଣି ସ୍ଥାନୀୟ ଲୋକେ ।

(ରାୟଗଡାରୁ ମାଉଡି ବାରିକଙ୍କ ରିପୋର୍ଟ)