• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସ ନିଷ୍ଠୁରତାର ଶୀକାର ହୋଇଛନ୍ତି ଝିଅକୁ ନ୍ୟାୟ ଦେବା ଆଶାରେ ୧୦ ଦିନ ଧରି ଲଢେଇ କରୁଥିବା ରୁଚିକାଙ୍କ ମାଆ । କଲେଜ୍ ଗେଟ୍ ସାମ୍ନାରେ ଝିଅର ଦଶାହ କର୍ମ କରିବାକୁ ଯୋଜନା କରିଥିବା ରୁଚିକାଙ୍କ ମାଆ ଓ ଅନ୍ୟ ଆନ୍ଦୋଳନକାରୀଙ୍କୁ ଆଜି ଉଠାଇ ନେଇଥିଲା ପୋଲିସ । ତେବେ ରୁଚିକାଙ୍କ ମାଆଙ୍କୁ ପୋଲିସ ରାସ୍ତାରେ ଘୋଷାରି ଘୋଷାରୀ ନେବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି । ରାଗିଙ୍ଗରେ ସଂପୃକ୍ତ ତିନି ସିନିୟରଙ୍କୁ ପୋଲିସ ଚିହ୍ନଟ କରିବାରେ ଫେଲ ମାରିଥିବା ବେଳେ କାହା ଚାପରେ ଏଭଳି କାର୍ଯ୍ୟାନୁଷ୍ଠାନ କଲା ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ କଲେଜ୍ କର୍ତ୍ତୃପକ୍ଷଙ୍କ ଅନୁରୋଧ ଆଧାରରେ ପୋଲିସ ଆନ୍ଦୋଳନକାରୀଙ୍କୁ ହଟାଇଥିବା ଭୁବନେଶ୍ୱର ଅତିରିକ୍ତ ଡିସିପି ସଫେଇ ଦେଇଛନ୍ତି।

ନିର୍ଦ୍ଦୟ ପ୍ରଶାସନ, ନିଷ୍ଠୁର ପୋଲିସ । ନ୍ୟାୟ ବଦଳରେ ଅସହାୟ ମାଆର ସ୍ୱର ଚାପି ଦେଇଥିବା ଅଭିଯୋଗ । ଦିନ ୧୦ଟା ବେଳେ ବିଜେବି କଲେଜ ଆଗରେ ଧାରଣାରତ ରୁଚିକାଙ୍କ ମାକୁ ପୋଲିସ ଘୋଷାରୀ ଘୋଷାରୀ ନେବାର ଦୃଶ୍ୟ ବେଶ୍‌ ହୃଦୟବିଦାରକ । ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ ।

ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ । ରୁଚିକାଙ୍କ ମାଆଙ୍କ ସମେତ ସମସ୍ତ ଆନ୍ଦୋଳନରତ ଛାତ୍ରଛାତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ବି ଉଠାଇ ନେଇଥିଲା । ପୂର୍ବରୁ ସକାଳୁ ସକାଳୁ ଧାରଣାସ୍ଥଳର ଟେଣ୍ଟ ଭାଙ୍ଗି ଦେଇଥିଲା ପୋଲିସ । ଆନ୍ଦୋଳନକାରୀ ଧାରଣାରେ ବସିବାକୁ ଗେଟ ସମ୍ମୁଖରେ ପହଞ୍ଚିବା କ୍ଷଣି ସେମାନଙ୍କ ଉପରେ ଆରମ୍ଭ ହୋଇଥିଲା ଆକ୍ସନ ।

କାହାକୁ ଟେକି ନେଇଥିଲେ ତ ଆଉ କାହାକୁ ରାସ୍ତାରେ ଘୋଷାରି ଘୋଷାରି ନେଇ ଗାଡି ଭର୍ତ୍ତି କରିଥିଲେ । ଏବେ ପ୍ରଶ୍ନ ୧୦ ଦିନ ହେଲା ଆନ୍ଦୋଳନ ଚାଲୁଥିଲେ ବି ହଠାତ୍ କାହିଁକି ଏଭଳି କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ? ଏହା ପଛରେ ରହିଛି କାହାର ଚାପ ? ଘଟଣାକୁ ସବୁ ସ୍ତରରେ ନିନ୍ଦା କରାଯାଇଥିବା ବେଳେ ଧାରଣାସ୍ଥଳରେ ଋଚିକାଙ୍କ ଦଶାହ କ୍ରିୟା କରିବା ଲାଗି ଆନ୍ଦୋଳନକାରୀଙ୍କ ଯୋଜନା ଥିବାରୁ ତାକୁ ଭଣ୍ଡୁର କରିବା ଲାଗି ପୋଲିସ ହଠାତ୍ ତତ୍ପର ହୋଇଥିବା କୁହାଯାଉଛି ।

ରୁଚିକାଙ୍କ ମାଆଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନିନ୍ଦା ଏବଂ ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲା ଏବିଭିପି । ବିଧାନସଭା ଆଡକୁ ଯିବା ବେଳେ ଲୋୟର ପିଏମଜି ଠାରେ ପୋଲିସ ଅଟକାଇବାରୁ ଛାତ୍ରଛାତ୍ରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା । ଅନ୍ୟପକ୍ଷରେ ଆନ୍ଦୋଳନକାରୀଙ୍କୁ ଉଠାଇ ନିଆଯିବା ସଂପର୍କରେ ସଫେଇ ଦେଇଛନ୍ତି ଅତିରିକ୍ତ ଡିସିପି । କଲେଜ ଗେଟ ସାମ୍ନାରେ ଧାରଣା ଯୋଗୁଁ ପାଠପଢାରେ ଅସୁବିଧା ହେଉଥିଲା ନାରାବାଜିକୁ ନେଇ କଲେଜ ପରିବେଶ ଖରାପ ହେଉଥିଲା ।

ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ କଲେଜ କର୍ତ୍ତୃପକ୍ଷ ପାଲିସକୁ ଚିଠି ଲେଖିଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଋଚିକାଙ୍କୁ ରାଗିଂ ନେଇ କୌଣସି ସୁରାଗ ମିଳିନାହିଁ, ଜେରା ହୋଇଥିବା କୌଣସି ଛାତ୍ରଛାତ୍ରୀ ବି ରାଗିଂ ହେଉ ଥିବା କଥା ସ୍ୱୀକାର କରି ନାହାନ୍ତି କି ସେ ନେଇ କୌଣସି ସୂଚନା ଦେଇନାହାନ୍ତି ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

ଏପଟେ ଧାରଣା ଓ ବୟାନ ବାଜି ଦ୍ୱାରା କଲେଜ ନାଁ ବଦନାମ ହେଉଥିବା ଦର୍ଶାଇ ଆଜି ବଡଗଡ ଥାନାରେ ପହଞ୍ଚିଥିଲେ କିଛି ଛାତ୍ରଛାତ୍ରୀ । ରୁଚିକାଙ୍କୁ ନ୍ୟାୟ ମିଳୁ ହେଲେ ଧାରଣା ଓ ଆନ୍ଦୋଳନ ରାଜନୀତି ନହେଉ ବୋଲି ସେମାନେ କହିଛନ୍ତି । କଲେଜ ବିରୁଦ୍ଧରେ ଖରାପ ମନ୍ତବ୍ୟ ଦେଇଥିବା ଛାତ୍ର ସଂଗଠନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଦାବି କରିଛନ୍ତି ।