ATM ଲୁଟ୍ ପାଇଁ କେମିତି ଲଗାଉଥିଲେ ସ୍ୱତନ୍ତ୍ର ଡିଭାଇସ୍, ଡେମୋ ଦେଖାଇଲେ ଲୁଟେରା

ରାଜଧାନୀ ଭୁବନେଶ୍ୱରରେ ATM ଲୁଟ୍‌ର ଡେମୋ ଦେଖାଇଲେ ଗିରଫ ୩ ଅଭିଯୁକ୍ତ । ଗତ ସପ୍ତାହରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ ବେଳ ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ଧରି ଘଟଣାର ଡେମୋ କରିଥିଲା କମିଶନରେଟ ପୋଲିସ ।

ATM Loot

News Summary

ଭୁବନେଶ୍ୱରରେ ATM ଲୁଟ୍‌ର ଡେମୋ ଦେଖାଇଲେ ଗିରଫ ୩ ଅଭିଯୁକ୍ତ ।

ଲିଙ୍ଗରାଜ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ ବେଳ ଧରାପଡ଼ିଥିଲେ ।

ଏଟିଏମ୍‌ରେ ଲଗାଉଥିଲେ ସ୍ୱତନ୍ତ୍ର ଡିଭାଇସ୍ ।

ଭୁବନେଶ୍ୱର: ରାଜଧାନୀରେ ATM ଲୁଟ୍‌ର ଡେମୋ ଦେଖାଇଲେ ଗିରଫ ୩ ଅଭିଯୁକ୍ତ । ଗତ ସପ୍ତାହରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ ବେଳ ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ଧରି ଘଟଣାର ଡେମୋ କରିଥିଲା କମିଶନରେଟ ପୋଲିସ । ଏମାନଙ୍କ ନିକଟରୁ ପ୍ରାୟ ଲକ୍ଷେ ଟଙ୍କା ଓ ଗୋଟିଏ ଦାମୀ କାର ଜବତ ହୋଇଛି ।

ଏଟିଏମ୍‌ରେ ଏକ ସ୍ୱତନ୍ତ୍ର ଡିଭାଇସ୍ ଲଗାଇ ଏମାନେ ଟଙ୍କା ଲୁଟି ନେଉଥିଲେ । ଡିଭାଇସ ଲଗାଇବାକୁ ଏମାନଙ୍କୁ ୨ରୁ ୩ ମିନିଟ ସମୟ ଲାଗୁଥଲା । ଏହି ଡିଭାଇସ ଲଗାଇବା ପରେ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଆଉ ଟଙ୍କା ବାହାରେ ନାହିଁ । ଗ୍ରାହକ ଜଣକ ପଳାଇବା ପରେ ସେହି ଟଙ୍କା ଏମାନେ ଡିଭାଇସ ଜରିଆରେ ବାହାର କରି ନେଇଯାଆନ୍ତି ।

କଟକ, ପୁରୀ ଓ ଭୁବନେଶ୍ୱର ଏଟିଏମ୍ ଗୁଡ଼ିକୁ ଏମାନେ ଟାର୍ଗେଟ କରୁଥିଲେ । ଗତ ୬ ମାସ ଭିତରେ ଏମାନେ ପ୍ରାୟ ୮ କୋଟି ଟଙ୍କା ଏଟିଏମ୍‌ରୁ ଲୁଟି ନେଇଥିବା ସୂଚନା ମିଳିଛି । ଗିରଫ ୩ ଅଭିଯୁକ୍ତଙ୍କ ଘର ଫରିଦାବାଦରେ । ଏମାନେ କେବଳ ଓଡ଼ିଶାରେ ନୁହେଁ ବିଭିନ୍ନ ରାଜ୍ୟରେ ଏଭଳି ଏଟିଏମ୍ ଲୁଟ କରୁଥିବା ଜଣାପଡ଼ିଛି । ପୋଲିସ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ।

ଗତ ୨୫ ତାରିଖରେ ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକରେ ଥିବା ଏକ ATMରେ ଡିଭାଇସ ଲଗାଇ ଲୁଟିବା ବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ସେମାନଙ୍କୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୋଲିସ । ତେବେ ଲିଙ୍ଗରାଜ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତ କାର୍ ସହ ଚମ୍ପଟ୍ ମାରିଥିବା ସୂଚନା ରହିଥିଲା । ଏନେଇ ଅଧିକ ଖୋଳତାଡ଼ ଜାରି ରଖିଥିଲା ପୋଲିସ ।