Advertisment

ଭରତପୁର ଥାନା କଳଙ୍କ ପଛର ସତ କ’ଣ ? ମେଜର ଓ ବାନ୍ଧବୀଙ୍କୁ ନେଇ ସିନ ରି-କ୍ରିଏସନ କଲା କ୍ରାଇମବ୍ରାଞ୍ଚ

ଭରତପୁର କଳଙ୍କର ପ୍ରମାଣ ଯୋଗାଡ଼ରେ ଲାଗିଛି କ୍ରାଇମବ୍ରାଞ୍ଚ। ଆଜି ଶେଷ ହୋଇଛି ସିନ୍ ରିକ୍ରିଏସନ୍।

ଅଦ୍ୟତନ ହୋଇଛି
Bharatpur Police Station Case

Bharatpur Police Station Case

Advertisment

ବହୁଚର୍ଚ୍ଚିତ ଭରତପୁର ଥାନା କଳଙ୍କ ପଛର ସତ କ’ଣ ? ପ୍ରକୃତରେ କ’ଣ ସବୁ ଘଟିଥିଲା ୧୪ ତାରିଖ ବିଳମ୍ବିତ ରାତି ଓ ୧୫ ତାରିଖ ଭୋରରେ ? ଏସବୁର ମୂଳରେ ପହଞ୍ଚିବାକୁ ଆଜି ହୋଇଛି ସିନ୍ ରିକ୍ରିଏସନ୍ । ସକାଳ ପାଖାପାଖି ୯ଟା ଭରତପୁର ଥାନାରେ ପହଞ୍ଚିଥିଲେ ଆର୍ମି ମେଜର୍ ଓ ତାଙ୍କ ବାନ୍ଧବୀ । ପୂର୍ବରୁ ସେଠି ଉପସ୍ଥିତ ଥିଲେ କ୍ରାଇମବ୍ରାଞ୍ଚ ଇନକ୍ବାରି ଟିମ୍ । ମେଜରଙ୍କୁ କିଏ ଓ କେମିତି ସେଲ୍ ଭିତରେ ପୁରାଇଲା ? ତାଙ୍କ ବାନ୍ଧବୀଙ୍କୁ କେଉଁଠୁ କିଏ ଘୋଷଡ଼ି ଘୋଷାଡ଼ି ନେଲା ? ବାନ୍ଧବୀଙ୍କୁ କିଏ ମାଡ଼ ମାରିଲା ? ଥାନା ଆଇଆଇସି କେଉଁଠି ଛିଡ଼ା ହୋଇଥିଲେ? ଏସବୁ ଗୋଟି ଗୋଟି କରି ବଖାଣିଥିଲେ ପୀଡ଼ିତା । ସେଠି ଏସବୁର ଭିଡିଓ ରେକର୍ଡିଂ କରିବା ପରେ ସିଧା ବାହାରିଥିଲେ ସୁନ୍ଦରପୁର ସ୍ପଟ୍ ।

Advertisment

ପୋଲିସ୍ ଓ ସେନା ଅଧିକାରୀଙ୍କ ସୁରକ୍ଷା ବଳୟରେ ମେଜର୍ , ତାଙ୍କ ବାନ୍ଧବୀ ଘଟଣାସ୍ଥଳରେ ଦେଖାଇଥିଲେ କେଉଁପଟେ ଥିଲା ଉଭୟ ପକ୍ଷଙ୍କ କାର୍ ? ରୋଡ୍ ରୋମିଓମାନେ କେଉଁଠି ଛିଡ଼ା ହୋଇ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ? ହଠାତ୍ କେଉଁଭଳି ତାଙ୍କୁ ହେଲା ଆଟାକ୍। ଏସବୁ ତଥ୍ୟ କେତେବେଳେ ମେଜର ତ କେତେବେଳେ ପୀଡ଼ିତାଙ୍କଠୁ ପଚାରି ବୁଝିଥିଲେ ତଦନ୍ତକାରୀ ଟିମ୍ । ୩୬୦ ଡିଗ୍ରୀ ଆଙ୍ଗେଲରୁ କରାଯାଇଥିଲା ଭିଡିଓ ରେକର୍ଡିଂ। ଏସବୁ ଭିତରେ ଘଟଣାସ୍ଥଳ ପାଖରେ ଥିବା ଏକ ଗ୍ରୋସରୀ ଦୋକାନର ସିସିଟିଭିରୁ ସେଦିନ ରାତି ଫୁଟେଜକୁ ଚନ୍ଦକା ପୋଲିସ୍ ନେଇଥିବା କହିଥିଲେ ଉକ୍ତ ଦୋକାନୀ ।

ଅପରାହ୍ନ ସାଢ଼େ ଗୋଟାଏ, ଭରତପୁର ଥାନା। ଏଥର ଥିଲା ନିଲମ୍ବିତ ପୋଲିସ କର୍ମଚାରୀଙ୍କ ପାଳି। ସେମାନଙ୍କୁ ଧରି ବି ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଛାଡ଼ି ବାକି ୪ ନିଲମ୍ବିତ ପୋଲିସ କର୍ମଚାରୀ ସବ-ଇନସପେକ୍ଟର ସାଗରିକା ରଥ, ଏଏସଆଇ ବୈଶାଳିନୀ ପଣ୍ଡା, ASI ସଲିଳାମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ପଚାରିଥିଲେ ଘଟଣାଦିନ ରାତିର ସତ । ପୀଡ଼ିତା କେଉଁବାଟେ ଆସିଲେ ? କେମିତି ଅବସ୍ଥାରେ ଆସିଥିଲେ ? କେଉଁଠି ଛିଡ଼ା ହୋଇଥିଲେ? କାହା ହାତକୁ କାମୁଡ଼ି ଦେଇଥିଲେ? ଇତ୍ୟାଦି ଇତ୍ୟାଦି ।

Advertisment

ସେପଟେ ଆଜି ଭୁବନେଶ୍ବର SDJM କୋର୍ଟରେ ହାଜର ହୋଇଥିଲେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର। ତାଙ୍କର ପଲିଗ୍ରାଫ୍ ଟେଷ୍ଟ ଅନୁମତି ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାରୁ ସେଥିପାଇଁ ଦେଇଥିଲେ ସହମତି। ଦୀନକୃଷ୍ଣଙ୍କର ନାର୍କୋ ଆନାଲିସିସ୍ ଓ ପଲିଗ୍ରାଫ୍ ସହ ବ୍ରେନ୍ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ କରାଯିବ। ଏଥିପାଇଁ ଖୁବଶୀଘ୍ର ଦୀନକୃଷ୍ଣଙ୍କୁ ଧରି ଗୁଜରାଟର ଗାନ୍ଧୀନଗର ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଭରତପୁର କାଣ୍ଡର ପ୍ରମାଣ ଯୋଗାଡ଼ରେ ଲାଗିଛି କ୍ରାଇମବ୍ରାଞ୍ଚ। ଆଜି ଶେଷ ହୋଇଛି ସିନ୍ ରିକ୍ରିଏସନ। ଏବେ ଅପେକ୍ଷା ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟକୁ ।

CrimeBranch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ