ଭରତପୁର ଥାନାର ନିଲମ୍ବିତ IICଙ୍କର ହେବ ପଲିଗ୍ରାଫ ଟେଷ୍ଟ, କୋର୍ଟରେ ହାଜର ହୋଇ ଦେଲେ ସହମତି

SDJM କୋର୍ଟରେ ହାଜର ହୋଇ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସେ ସହମତି ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପଲିଗ୍ରାଫ ଟେଷ୍ଟ ହୋଇପାରେ ।

Polygraph Test

ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ । ଏଥିପାଇଁ ସହମତି ଦେଇଛନ୍ତି IIC ଦୀନକୃଷ୍ଣ ମିଶ୍ର । ଭୁବନେଶ୍ବର SDJM କୋର୍ଟରେ ହାଜର ହୋଇ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସେ ସହମତି ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପଲିଗ୍ରାଫ ଟେଷ୍ଟ ହୋଇପାରେ । ତଦନ୍ତରେ ଯେ କୌଣସି ପରୀକ୍ଷା ପାଇଁ ରାଜି ଥିବା କୋର୍ଟଙ୍କୁ ଦୀନକୃଷ୍ଣ ଅବଗତ କରାଇଥିବା ସୂଚନା ମିଳିଛି । ତେବେ ନିଲମ୍ବିତ ଆଇଆଇସିଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

ସେପଟେ ଭରତପୁର ଥାନା ମାମଲାରେ ସିନ୍ ରିକ୍ରିଏସନ୍ କରାଯାଇଛି। ଭରତପୁର ଥାନା ଓ ରୋଡ୍ ରୋମିଓ ଝାମେଲା କରିଥିବା ସ୍ଥାନରେ ସରଜମିନ୍ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ସେଦିନ ରାତିରେ କ’ଣ ଘଟିଥିଲା ? ପୀଡ଼ିତାଙ୍କ ସହ ଥାନା ଭିତରେ କ’ଣ ହୋଇଥିଲା ? କିଭଳି ଦୁର୍ବ୍ୟବହାରର ଶିକାର ହୋଇଥିଲେ ? ସବୁ ଘଟଣାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍‌ ।

ପ୍ରଥମେ ଭରତପୁର ଥାନାରେ ମେଜର ଓ ପୀଡ଼ିତା ତଦନ୍ତକାରୀ ଟିମ୍ ଆଗରେ ସେଦିନର ଘଟଣା ବାବଦରେ ପକ୍ଷ ରଖିଥିଲେ । ଏହାପରେ ଘଟଣାସ୍ଥଳ ଭୁବନେଶ୍ବରର ସୁନ୍ଦରପୁର ଯାଇଥିଲା ତଦନ୍ତକାରୀ ଟିମ୍ । ଯେଉଁଠି ରୋଡ୍ ରୋମିଓ ପୀଡ଼ିତା ଓ ମେଜରଙ୍କୁ ଅଟକାଇଥିଲେ । ଯାହାକୁ ନେଇ ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ବି ପୀଡ଼ିତା ଓ ମେଜରଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରିଛି । ସମସ୍ତ ତଦନ୍ତ ଓ ଯାଞ୍ଚ ପ୍ରକ୍ରିୟାକୁ କ୍ୟାମେରାରେ ରେକର୍ଡ କରାଯାଇଛି । କ୍ରାଇମବ୍ରାଞ୍ଚ ସହ ଥିଲେ ଫୋରେନସିକ୍ ଟିମ୍ । ୩୬୦ ଡିଗ୍ରୀ କ୍ୟାମେରା ସହାୟତାରେ ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ।