• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆକାଉଣ୍ଟରୁ ଟଙ୍କା ଯିବା ପରେ କାନ୍ଦି କାନ୍ଦି ସ୍ୱାମୀର କେମିତି ଚିକିତ୍ସା ହେବ ସେନେଇ ପ୍ରଶ୍ନ କରୁଛନ୍ତି ଜଣେ ମହିଳା । ହଜାରେ କି ୨ ହଜାର ନୁହେଁ ବରଂ ଆକାଉଣ୍ଟରୁ ଗାଏବ ହୋଇ ଯାଇଛି ୫୦ ହଜାର ଟଙ୍କା । ଏମିତି ସ୍ଥିତିରେ ସେ କଣ କରିବେ? କେମିତି କରିବେ? ସେହି ଚିନ୍ତାରେ ପୂରା ପରିବାର ।

ମୃତ୍ୟୁ ଶଯ୍ୟାରେ ଶୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭଦ୍ରକ ଚାନ୍ଦବାଲି ଓଳଗ ଗାଁର ସୁରେଶ ସୂତାର । ଭଲ ଥିଲା ବେଳେ କାଠ କାମ କରି ପରିବାର ଚଳାଉଥିଲେ । ହେଲେ ଦୁର୍ଘଟଣା ତାଙ୍କୁ ଏମିତି ଶୁଆଇ ଦେଇଛି ବିଛଣାରୁ ଉଠିବା ତାଙ୍କ ପକ୍ଷରେ କଷ୍ଟ ହୋଇ ପଡୁଛି । ଏମିତିକି ବିନା ସାହାରାରେ ଘଣ୍ଟାଏ ରହିବା ତାଙ୍କ ପକ୍ଷରେ ସମ୍ଭବ ହେଉନି । ଘରର ରୋଜଗାରିଆ ବ୍ୟକ୍ତି ବିଛଣାରେ ପଡିଥିବାରୁ ଘର ଚଳିବାରେ ଅନେକ ସମସ୍ୟା ବି ରହିଛି । ଖାଲି ଘର ଚଳିବାରେ ସମସ୍ୟା ହେଉଛି ତାହା ନୁହେଁ ବରଂ ସୁରେଶଙ୍କ ଚିକିତ୍ସାରେ ବି ଅନେକ ପ୍ରତିବନ୍ଧକ ରହିଛି । ତେଣୁ ଏନେଇ ଓଟିଭିର ଆପଣ ଏକାନୁହଁନ୍ତିରେ ଖବର ପ୍ରସାରଣ କରାଯାଇଥିଲା । ପରେ ଅନେକ ବ୍ୟକ୍ତି ସୁରେଶଙ୍କୁ ସାହାଯ୍ୟ ବି କରିଥିଲେ ।

ହେଲେ ଏତିକି ବେଳେ ସୁରେଶଙ୍କ ମୋବାଇକୁ ଆସିଥିଲା ଫୋନ୍‌ କଲ୍‌ । ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସାହଯ୍ୟ କରିବା ତ ଦୂରର କଥା ବରଂ ଆକାଉଣ୍ଟରୁ ନେଇ ଗଲେ ଟଙ୍କା । ହଁ...ନିଜକୁ ଆର୍ମି ଅଫିସରର ପରିଚୟ ଦେଇ ପ୍ରଥମେ ଆକାଉଣ୍ଟଙ୍କୁ ୧ ଟଙ୍କା ପଠାଇ ଥିଲେ । ପରେ କୌଶଳ କ୍ରମେ ୫ ହଜାର ଲେଖାଏଁ ୧୦ ଥରରେ ମୋଟ୍‌ ୫୦ ହଜାର ଟଙ୍କା ଆକାଉଣ୍ଟରୁ ନେଇ ପଳାଇଲେ । ରୋଗ ଶଯ୍ୟାରେ ପଡିଥିବା ସୁରେଶଙ୍କ ପରିବାର ଏନେଇ କିଛି ଟେର୍‌ ବି ପାଇନଥିଲେ । ହେଲେ ସମ୍ପର୍କୀୟଙ୍କୁ ମୋବାଇଲ ମେସେଜ୍‌ ଦେଖାଇବା ପରେ ଜଣାପଡିଥିଲା କି ସାଇବର ଲୁଟେରାମାନେ ସୁରେଶଙ୍କ ଚିକିତ୍ସା ପାଇଁ ଆସିଥିବା ଟଙ୍କାକୁ ଲୁଟ୍‌ କରିନେଇଛନ୍ତି ।

ସାହାଯ୍ୟ ପାଇଁ ଆସିଥିବା ଟଙ୍କାକୁ ସାଇବର ଲୁଟେରାମାନେ ନେଇଯିବା ପରେ ଏବେ ଚିନ୍ତାରେ ପୂରା ପରିବାର । କେମିତି ସୁରେଶଙ୍କ ଚିକିତ୍ସା ହେବ? କେମିତି ପରିବାର ଚଳିବ ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କିମାରୁଛି ସୁରେଶଙ୍କ ପତ୍ନୀଙ୍କ ମନରେ । ସେପଟେ ଘଟଣା ସମ୍ପର୍କରେ ସୁରେଶଙ୍କ ପରିବାର ପକ୍ଷରୁ ଥାନା ଓ ସାଇବର ସେଲ୍‌ରେ ଅଭିଯୋଗ କରାଯାଇଛି । ହେଲେ ଏଯାଏଁ କୌଣସି ସୁଫଳ ମିଳିନାହିଁ ।

 

 

  • Reported by:
  • Basudev Das