• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚୀନ୍‌ରେ ମାଷ୍ଟରମାଇଣ୍ଡ, ଓଡ଼ିଶାରେ ନେଟ୍‌ୱର୍କ । ଚାଇନିଜ୍ ଲୋନ୍ ଆପ୍‌ର ଜାଲ ବିଛାଇ ଲକ୍ଷ ଲକ୍ଷ ଲୁଟୁଛନ୍ତି ସାଇବର ଲୁଟେରା । ସୋସିଆଲ୍ ମିଡ଼ିଆରେ ପ୍ରଥମେ ଲୋଭନୀୟ ଲୋନ ଅଫର୍‌ର ଆପ୍ ପୋଷ୍ଟ କରୁଛନ୍ତି । ସେହି ଆପ୍‌କୁ ଯିଏ କ୍ଲିକ୍ କରୁଛନ୍ତି, ତାଙ୍କ ଫୋନ୍ ନମ୍ବର ସହ ସମ୍ପୂର୍ଣ୍ଣ ବିବରଣୀ ପାଉଛନ୍ତି ଦୁର୍ବୃତ୍ତ । ବାସ୍, ତାପରେ ଆରମ୍ଭ ହୋଇଯାଉଛି କଳାଧନ୍ଧାର ଖେଳ । ଅସଲି ଫଟୋକୁ ଡିପିରୁ ନେଇ ନକଲି ଉଲଗ୍ନ ଫଟୋ ତିଆରି କରୁଛନ୍ତି । ତାପରେ ଭାଇରାଲର ଧମକ ଦେଇ ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିବା ପରେ ଜଣେ ଚାଇନିଜ୍ ମାଷ୍ଟରମାଇଣ୍ଡକୁ ଚିହ୍ନଟ କରିଛି ଅର୍ଥନୈତିକ ଅପରାଧ ଶାଖା । ଯିଏ ଓଡ଼ିଶା, ମୁମ୍ବାଇ ଆଦି ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ୍‌ କରି ଖସିଯାଇଛି ।

ଡିଜିଟାଲ୍ ଲୋନ ଆପ୍ ଜରିଆରେ ଆବେଦନ କରୁଛନ୍ତି କି ଲୋନ୍ ? ତେବେ ସାବଧାନ ! ଆପଣ ହୋଇପାରନ୍ତି ଲୁଟ୍‌ର ଶୀକାର । ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା, ଚାଲିଯାଇପାରେ ମାନ ମହତ । କଟକର ଜଣେ ଆଇନ ଛାତ୍ରୀ ଫେସ୍‌ବୁକ୍‌ ଦେଖୁ ଦେଖୁ ଆଖିରେ ପଡ଼ିଲା ଏକ ଲୋନ ଆପ୍ଲିକେସନ୍ ଆଡ୍ । ଲୋଭରେ ପଡ଼ି କ୍ଲିକ୍ କରିଦେଲେ ସେ । ଏପରିକି ଅନ୍ଲାଇନ୍ ଫର୍ମରେ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ଥିବା ଫୋନ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ, ଆଧାର ନମ୍ବର, ପାନ୍ ନମ୍ବର ଆଦି ଉଲ୍ଲେଖ କରିଦେଲେ । କିଛି ସମୟ ପରେ ସଂପୃକ୍ତ ଯୁବତୀଙ୍କ ହ୍ୱାଟ୍ସଆପ୍‌କୁ ଆସିଲା ଏକ ମେସେଜ୍ । ଯେଉଁଥିରେ ଲେଖାଥିଲା, ତମେ ଲୋନ୍ ନେଇଛ । ୨ ହଜାର ଟଙ୍କା ପଠାଅ । 

ଯୁବତୀ ଜଣକ କୌଣସି ଲୋନ୍ ନେଇନଥିବା କହିବା ପରେ ବି ହ୍ୱାଟ୍ସଆପ୍‌କୁ ଆସିଲା ଏକ ଫୋନ୍‌କଲ୍‌ । ହିନ୍ଦୀରେ ଅଶାଳୀନ ଭାଷାରେ କଥାବାର୍ତ୍ତା କଲେ, ସଂପୃକ୍ତ ଯୁବତୀଙ୍କ ଉଲଗ୍ନ ଫଟୋକୁ ଭାଇରାଲ୍ କରିଦେବାକୁ ଧମକ ଦେଲେ । ଖାଲି ଧମକ ନୁହଁ, ଛାତ୍ରୀଙ୍କ ଫଟୋ ଓ ତାଙ୍କ ମୋବାଇଲ୍‌ରେ ଥିବା ସମସ୍ତଙ୍କ ହାଟ୍ସଆପ୍ ନମ୍ବରକୁ ଏକ ଫେକ୍ ନ୍ୟୁଡ୍ ଫଟୋ ପଠାଇଦେଇଥିଲେ ସାଇବର ଠକ । ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ଯୁବତୀ ଏବେ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି । 

 

କେବଳ ଏହି ଜଣେ ଯୁବତୀ ନୁହଁନ୍ତି, କଟକରେ ଆଉ ଜଣେ ଯୁବତୀଙ୍କୁ ଚାଇନିଜ୍ ଆପ୍ ଜରିଆରେ ହଜାରେ ଟଙ୍କାର ଲୋନ୍ ଦେଇ ୮୦ ହଜାର ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । ସର୍ବସ୍ୱାନ୍ତ କରିବା ପାଇଁ ପ୍ଲେ ଷ୍ଟୋରରେ ଭର୍ତ୍ତି ହୋଇରହିଛି ବହୁ ଚାଇନିଜ ଆପ୍ । ଯାହାକୁ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରିବା କ୍ଷଣି କିଛି ତଥ୍ୟ ହାତେଇବାକୁ ଆପଣଙ୍କ ମୋବାଇଲ୍‌କୁ ଏକ ମେସେଜ୍ ଆସିବ । ସେହି ମେସେଜ୍ ଅନୁଯାୟୀ, ସମସ୍ତ ବିବରଣୀ ଦେବା ପରେ ସମସ୍ତ ତଥ୍ୟକୁ ହ୍ୟାକ୍ କରିଦେବେ ସାଇବର ଠକ । ତାପରେ ଟଙ୍କା ଆଦାୟ ପାଇଁ ବ୍ଲାକମେଲିଂ କରିବେ । 

ଭାରତରେ ଏଭଳି ହଜାରେରୁ ଅଧିକ ଲୋନ୍ ଆପ୍ ଥିବାବେଳେ ଅଧିକାଂଶ ବେଆଇନ୍ । ସେହି ବେଆଇନ୍ ଆପ୍‌ର ମାଷ୍ଟରମାଇଣ୍ଡ ହେଉଛନ୍ତି ଚାଇନିଜ୍ ନାଗରିକ । ନିକଟରେ ଚାଇନିଜ୍ ନାଗରିକ ଲିୟୁ ୟି ନାଁରେ ଲୁକ୍‌ଆଉଟ୍ ସର୍କୁଲାର ଜାରି କରିଛି ଓଡ଼ିଶା ସମେତ ମୁମ୍ବାଇ ପୋଲିସ । ତାକୁ ଧରିବାକୁ କସରତବେଳେ ସେ ନେପାଳରୁ ଖସିଯାଇଛି । ସେଠାରେ ବି ବେଆଇନ ଲୋନ୍ ଆପ୍ ଧରାପଡ଼ିଥିବାବେଳେ ଗିରଫ ହୋଇଛନ୍ତି ୧୯୦ ଜଣ । ତାମଧ୍ୟରେ ଥିଲେ କିଛି ଚାଇନିଜ୍ । 

୨୦୧୯ରେ ଲିୟୁ ୟି ବୋଙ୍ଗଳୁରୁକୁ ଆସି ଆରମ୍ଭ କରିଥିଲା ଏହି କଳାଧନ୍ଧା । କିଛି ଭାରତୀୟଙ୍କୁ ହାତ କରି ଜାଲ୍ କମ୍ପାନୀ ତିଆରି କରିବା ସହ ବଡ଼ ବଡ଼ ପଦବୀରେ ବସାଇ ଜାଲ ବିଛାଇଥିଲା । ସେମାନଙ୍କ ନାଁରେ ବ୍ୟାଙ୍କ୍ ଆକାଉଣ୍ଟ କରି ବେଆଇନ ଲୋନ୍ ଆପ୍‌ର ଆର୍ଥିକ କାରବାର ଚଳାଇଥିଲା ବୋଲି କହିଛନ୍ତି ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ । 

ଅଧିକାଂଶ ଠକ ଲୋନ୍ ଆପ୍‌ର ଲିଙ୍କ ଚୀନ ସହ ଥିବାବେଳେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ କିଭଳି ଏହାର ମାଷ୍ଟରମାଇଣ୍ଡକୁ ଧରି ଏଭଳି କଳାଧନ୍ଧାକୁ ରୋକି ପାରୁଛି ତାକୁ ଅପେକ୍ଷା ।

ରିପୋର୍ଟର- ଦେବାଶିଷ ମହାନ୍ତି, ଆଲୋକ ମହାନ୍ତି