• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମର୍ଦ୍ଦ୍ କୋ ଭି ଦର୍ଦ୍ଦ୍ ହୋତା ହେ । ପୁରୁଷକୁ ବି କଷ୍ଟ ହୁଏ । କହିନପାରେନି କି ସହିପାରେନି । ଆଉ ଯନ୍ତ୍ରଣା ସୀମା ଟପିଲେ ବେଳେ ବେଳେ ଚରମ ପରିଣତିର ରୂପ ନିଏ, ଅତୁଲ ସୁଭାଷଙ୍କ ଭଳି । ବିବାହ ବିଚ୍ଛେଦ ପାଇଁ ୩ କୋଟି ମାଗୁଥିବା ଏବଂ ୯ଟି ମିଛ ମାମଲା କରିଥିବା ପତ୍ନୀଙ୍କୁ ଦାୟୀ କରି, ବେଙ୍ଗଳୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ନିଜ ଜୀବନ ହାରିବା ପରେ, ସାରା ଦେଶରେ ତେଜିଛି ପୁରୁଷଙ୍କ ପାଇଁ ନ୍ୟାୟ ଦାବି ।

ସେପଟେ ବେଙ୍ଗଳୁରୁରେ ଅତୁଲଙ୍କ ପତ୍ନୀଙ୍କ ସମେତ ୪ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏଭିତରେ ମହିଳାଙ୍କ ଦ୍ୱାରା ଆଇନର ଦୁରୁପଯୋଗ ବଢ଼ିଚାଲିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଦିନେ ପୁଅ ମୁହଁରେ ହସ ଦେଖି ଖୁସିରେ ଫାଟି ପଡ଼ୁଥିବା ମାଆ... ଆଜି କାନ୍ଦି କାନ୍ଦି ଚେତା ହରାଉଛି ।

ଦିନେ ପୁଅର ସଫଳତା ଦେଖି ଗର୍ବ କରୁଥିବା ବାପା... ଆଜି ଦୁଃଖରେ ଭାଙ୍ଗିପଡ଼ିଛି ବାତ୍ୟା ପରର ବରଗଛ ଭଳି । ଉଜୁଡ଼ି ଯାଇଛି ସ୍ୱପ୍ନ... ଉଚ୍ଛନ୍ନ ହୋଇଯାଇଛି ସଂସାର । ଏମାନେ ବେଙ୍ଗଳୁରୁର ସେଇ ଦିବଂଗତ AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ହତଭାଗା ବାପା-ମାଆ, ଯିଏ ନିଜ ଜୀବନ ହାରିଛନ୍ତି ପତ୍ନୀ ଦେଉଥିବା ମାନସିକ ନିର୍ଯାତନା ସହିନପାରି ।

କୁହାଯାଉଛି- କେବଳ ପତ୍ନୀଙ୍କ ନିର୍ଯାତନା, ମିଛ ମାମଲା, କି ମାନସିକ ଚାପ ନୁହେଁ । ନାରୀ ପ୍ରତି ସମ୍ବେଦନଶୀଳ, ଅଥଚ ପୁରୁଷ ପ୍ରତି ଉଦାସୀନ ଆଇନ ବ୍ୟବସ୍ଥାରେ ଅତିଷ୍ଠ ହୋଇ ଚରମ ନିଷ୍ପତ୍ତି ନେଇଛନ୍ତି ଅତୁଲ । ଅତୁଲଙ୍କ ଦେଢ଼ ଘଣ୍ଟାର ଏହି ଶେଷ ଭିଡିଓ ଓ ୨୪ ପୃଷ୍ଠାର ଶେଷ ଚିଠି ସାମ୍ନାକୁ ଆସିବା ପରେ, ତେଜିଛି ଜଷ୍ଟିସ୍ ଫର୍ ଅତୁଲ ସୁଭାଷ ନାରା । ଇଏ କେବଳ ଗୋଟିଏ ଘଟଣାର ପ୍ରତିବାଦ ନୁହେଁ, ଇଏ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ।

ପ୍ରତାରିତ ଓ ନ୍ୟାୟରୁ ବଞ୍ଚିତ ଶହ ଶହ ନିର୍ଯାତିତ ପୁରୁଷଙ୍କ ସ୍ୱର । ସେପଟେ ବେଙ୍ଗଳୁରୁର ମରାଠାହାଲି ଥାନାରେ ଅତୁଲଙ୍କ ପତ୍ନୀ, ଶାଶୁ, ଶାଳକ ଓ ଅଙ୍କଲ୍‌ଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅତୁଲଙ୍କ ଭାଇଙ୍କ ଏତଲା କ୍ରମେ ୪ ଜଣଙ୍କ ବିରୋଧରେ BNS ଧାରା ୧୦୮ (ଆତ୍ମହତ୍ୟା ପାଇଁ ଉସୁକେଇବା) ରେ ମାମଲା ରୁଜୁ କରିଛି ପୋଲିସ ।

ଅଧିକ ପଢ଼ନ୍ତୁ: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା

ଅତୁଲ ସୁଭାଷଙ୍କ ମାମଲାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ, ସାମ୍ନାକୁ ଆସିଛି ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ । ନିରୀହଙ୍କୁ ହଇରାଣ କରିବା ପାଇଁ ଯୌତୁକ-ନିରୋଧୀ ଆଇନର ଦୁରୁପଯୋଗ ବନ୍ଦ ହେଉ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଅନ୍ୟ ଏକ ମାମଲାର ଶୁଣାଣିରେ ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଏନ୍. କୋଟିଶ୍ୱରଭଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, - ମହିଳାମାନେ ସ୍ୱାର୍ଥସାଧନ ପାଇଁ ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ନିର୍ଯାତନା ଆଇନର ଦୁରୁପଯୋଗ କରୁଥିବା ଘଟଣା ବୃଦ୍ଧି ପାଉଛି ।

ବୈବାହିକ ବିବାଦ ଭଳି ମାମଲାରେ IPC 498A ଭଳି ଦଫାକୁ ବ୍ୟକ୍ତିଗତ ପ୍ରତିଶୋଧ ହାସଲର ହତିଆର ଭାବେ ବ୍ୟବହାର କରାଯାଉଛି । ମହିଳାଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବା ପାଇଁ ତିଆରି ହୋଇଥିବା ଆଇନକୁ ଅସ୍ତ୍ର କରି, କିଛି ମହିଳା ନିଜ ଅଯୌକ୍ତିକ ଦାବି ପୂରଣ ପାଇଁ ସ୍ୱାମୀ ଓ ତାଙ୍କ ପରିବାରଲୋକଙ୍କୁ ବାଧ୍ୟ କରୁଛନ୍ତି ।

ଏଭଳି ଅପରାଧିକ ମାମଲାରେ କୌଣସି ବ୍ୟକ୍ତିର ସକ୍ରିୟ ସମ୍ପୃକ୍ତି ନେଇ କୌଣସି ଠୋସ୍ ପ୍ରମାଣ କିମ୍ବା ନିର୍ଦ୍ଦିଷ୍ଟ ଅଭିଯୋଗ ନଥିଲେ, କେବଳ ସାମାନ୍ୟ ନାଁକୁ ଆଧାର କରି ତାଙ୍କୁ ମାମଲା ସହ ଯୋଡ଼ିବା ତୁରନ୍ତ ବନ୍ଦ ହେବା ଦରକାର । ବୈବାହିକ କଳହରୁ ପାରିବାରିକ ବିବାଦ ଉପୁଜିଲେ ସ୍ୱାମୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଏଥିରେ ଛନ୍ଦିଦେବା କିଛି ନୂଆ କଥା ନୁହେଁ ବୋଲି ନିଜ ନ୍ୟାୟିକ ଅଭିଜ୍ଞତାକୁ ଆଧାର କରି କହିଛନ୍ତି ଖଣ୍ଡପୀଠ ।

ଏଭଳି କ୍ଷେତ୍ରରେ ଆଇନର ଦୁରୁପଯୋଗ ଦ୍ୱାରା ନିରୀହ ମାନେ ଯେପରି ଅଯଥାରେ ହଇରାଣ ନହୁଅନ୍ତି, ସେଦିଗରେ କୋର୍ଟମାନେ ମଧ୍ୟ ସତର୍କ ହେବା ଦରକାର ବୋଲି ସଚେତନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଏହାର ଅର୍ଥ ନୁହେଁ ଯେ, ନିର୍ଯାତିତା ମହିଳା ମାନେ ନିରବ ରହିବେ ଏବଂ କୌଣସି ଅଭିଯୋଗ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ କୋର୍ଟ । NCRB ତଥ୍ୟ କହୁଛି- ଗତ ୨ ଦଶନ୍ଧିରେ ଦେଶରେ ପ୍ରତି ୧୦ଟି ଆତ୍ମହତ୍ୟା ମଧ୍ୟରୁ ୬ରୁ ୭ ଜଣ ହେଉଛନ୍ତି ପୁରୁଷ, ଯାହାକି ନିଜେ ଜୀବନ ହାରୁଥିବା ମହିଳାଙ୍କ ସଂଖ୍ୟା ତୁଳନାରେ ଯଥେଷ୍ଟ ଅଧିକ ।

ଅଧିକ ପଢ଼ନ୍ତୁ: ଆଇ.ଜିଙ୍କ ବଡ଼ ବୟାନ: ଅନଲାଇନ ଗେମ୍‌ରୁ ଅପରାଧୀ ପାଲଟିଯାଉଛନ୍ତି ଯୁବପିଢ଼ି !

OTV is now on Whatsapp

Join and get latest news update delivered to you via whatsapp

Join Now