• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଜୀବନ ଦେଇ ନିଜର ଇଜ୍ଜତ ରକ୍ଷା କଲେ ଯୁବତୀ । ରାକ୍ଷସ ରୂପୀ ମାଲିକ ଏବଂ ତାଙ୍କ ସାଙ୍ଗମାନଙ୍କଠାରୁ ରକ୍ଷା ପାଇବା ପାଇଁ ଏକ ବିୟର ବାର୍ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନୃତ୍ୟଶିଳ୍ପୀ । ମୃତ ନୃତ୍ୟଶିଳ୍ପୀ ଜଣକ ବୁଦ୍ଧ ବିହାରର ବାସିନ୍ଦା ରାଖୀ ବୋଲି ଜଣାପଡିଛି । ନୃତ୍ୟଶିଳ୍ପୀଙ୍କ ଭଉଣୀଙ୍କ ଅଭିଯୋଗ ଉପରେ ପୋଲିସ ବାର ମାଲିକ ବିଜୟ ଏବଂ ତାଙ୍କ ସାଙ୍ଗମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରୋହିଣୀ ସେକ୍ଟର ୯ର ନର୍ଥ ଏକ୍ସ ସ୍ଥିତ ବିୟର ବାରରେ ଶନିବାର ରାତିରେ ଏକ ଘରୋଇ ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ବୃତ୍ତିଗତ ନୃତ୍ୟଶିଳ୍ପୀ ନିଶା ଏବଂ ତାଙ୍କ ସାନ ଭଉଣୀ ରାକ୍ଷୀଙ୍କ ଡ୍ୟାନ୍ସ କରିବା ପାଇଁ ଡକାଇଯାଇଥିଲା ।

ବାରର ମାଲିକ ବିଜୟ ଉଭୟଙ୍କୁ ଡାନ୍ସ କରିବା ପାଇଁ ଡାକିଥିଲେ । ପେଟପାଟଣା ପାଇଁ ଏହି ବୃତ୍ତିକୁ ଆପଣାଇଥିବା ଦୁଇ ଭଉଣୀ ସଠିକ୍ ସମୟରେ ଡାନ୍ସ କରିବା ପାଇଁ ପହଞ୍ଚିଯାଇଥିଲେ । ବାର୍‌ରେ ପହଞ୍ଚିବା ପରେ ଉଭୟଙ୍କ ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ପାର୍ଟିରେ ନଚାଇଥିଲେ ବାର୍ ମାଲିକ ଓ ତାଙ୍କ ସାଙ୍ଗମାନେ । ଏହା ପରେ ଉଭୟେ ରବିବାର ସକାଳ ପ୍ରାୟ ୪.୩୦ ସମୟରେ ଘରକୁ ଯିବା ପାଇଁ ବାହାରିଥିଲେ । ଏହି ସମୟରେ ବାର୍ ମାଲିକ ବିଜୟ ଏବଂ ତାଙ୍କ ସାଙ୍ଗମାନେ ରାକ୍ଷୀଙ୍କୁ ଅଟକାଇ ପୁଣି ନାଚିବାକୁ କହିଥିଲେ । ହେଲେ ରାକ୍ଷୀ ଏଥିପାଇଁ ମନା କରିଦେଇଥିଲେ । ଫଳରେ ନିଶାରେ ଚୁର ବାରମାଲିକ ଉଭୟଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ତେବେ ରାକ୍ଷୀ ସେଠାରୁ ପଳାଇବାକୁ ଚାହୁଁଥିବା ସମୟରେ ସେମାନେ ତାଙ୍କ ଇଜ୍ଜତ ଲୁଟିବାକୁ ଚେଷ୍ଟା କରିଥିଲେ ।

ଆଉ ଏଥିରେ ବିବ୍ରତ ହୋଇ ରାକ୍ଷୀ ନିଜର ଇଜ୍ଜତ ବଞ୍ଚାଇବାକୁ ଯାଇ ବାରର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ । ଏପରି ହେବା ପରେ ବାର୍ ମାଲିକଙ୍କ ନିଶା ଉତୁରି ଯାଇଥିଲା । ତିନି ମହଲା ଉପରୁ ଖସି ପଡ଼ି ଗୁରୁତର ଆହତ ହୋଇଥିବା ରାକ୍ଷୀ, ନିଶା ଏବଂ ଅନ୍ୟ ଜଣେ ନୃତ୍ୟଶିଳ୍ପୀଙ୍କୁ ଆମ୍ବେଦକର ଡାକ୍ତରଖାନାରେ ଛାଡି ଫେରାର ମାରିଥିଲେ । ତେବେ ସେତେବେଳକୁ ବିଳମ୍ବ ହୋଇସାରିଥିଲା । ରାକ୍ଷୀଙ୍କୁ ଡାକ୍ତରଖାନାରେ ମୃତ ବୋଲି ଘୋଷଣା କରିଥିଲେ ଡାକ୍ତର । ପୋଷ୍ଟମର୍ଟମ ପରେ ପୋଲିସ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରିଛି । ବର୍ତ୍ତମାନ ପୋଲିସ ବାର ମାଲିକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । ଏହା ସହିତ ବାରର ସିସିଟିଭି କ୍ୟାମେରାର ଫୁଟେଜ ଏବଂ ଏହାର ଆଖପାଖ କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଉଛି ।

ରାକ୍ଷୀଙ୍କ ମୃତ୍ୟୁ ହୋଇଥିବା ବାର୍ ପ୍ରଶାନ୍ତ ବିହାର ଅଞ୍ଚଳରେ ଅବସ୍ଥିତ । ସନ୍ଧ୍ୟା ହେବା ମାତ୍ରେ ସେଠାରେ ବ୍ୟକ୍ତିଗତ ପାର୍ଟି ଆରମ୍ଭ ହୁଏ । ନୃତ୍ୟଶିଳ୍ପୀମାନେ ଏଥିରେ ଆସନ୍ତି, ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚନ୍ତି । ମଦ୍ୟପ ଲୋକମାନେ ସେଠାରେ ଝିଅମାନଙ୍କ ପଛରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି । ଆଉ ବାର୍ ମାଲିକମାନେ ଅନେକ ଟଙ୍କା ରୋଜଗାର କରନ୍ତି । ତେବେ ସେଠାରେ ଥିବା ବାର୍‌ ଗୁଡ଼ିକ ବିନା ଲାଇସେନ୍ସରେ ଚାଲୁଛି ବୋଲି ଜଣାପଡ଼ିଛି ।