/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754196028.jpg)
Balanga Victim
ଦିଲ୍ଲୀ ଏମ୍ସରେ ଗତରାତିରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା। ଆଜି ସକାଳେ ଆରମ୍ଭ ହୋଇଛି ତାଙ୍କ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା। ପୋଷ୍ଟମର୍ଟମ ପରେ ମୃତଦେହକୁ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି।
ଗତ ୧୯ ତାରିଖରେ ବଳଙ୍ଗା ଅଞ୍ଚଳରେ ଗାଁ ନଦୀ ବନ୍ଧରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । କୁହାଯାଉଥିଲା ତାଙ୍କୁ ୩ ଯୁବକ ନିଆଁ ଲଗାଇ ଦେଇଥିଲେ। ଏହାପରେ ଗୁରୁତର ଥିବାରୁ ଜୁଲାଇ ୧୯ ତାରିଖରେ ଚିକିତ୍ସା ପାଇଁ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଥିଲେ। ଜୁଲାଇ ୨୦ରେ ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ଏମସରୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ତାଙ୍କ ଚିକିତ୍ସା ନିମନ୍ତେ ସ୍ପେଶାଲ ମେଡିକାଲ ଟିମ୍ ଗଠିତ ହେଉଥିଲା। ଦୁଇ ଥର ତାଙ୍କର ସ୍କିନ୍ ଗ୍ରାଫ୍ଟିଂ ଅସ୍ତ୍ରୋପଚାର ବି ହୋଇଥିଲା। ଧୀରେ ଧୀରେ ସେ ସୁସ୍ଥ ହୋଇ ଆସିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ବହୁ ସାଂସଦ ଦିଲ୍ଲୀ ଏମ୍ସରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପିଲାଟି ସୁସ୍ଥ ହୋଇଥିବା ଜାଣି ରାଜ୍ୟବାସୀ ବି ଆଶ୍ବସ୍ତ ହେଉଥିଲେ।
ମାତ୍ର ହଠାତ୍ ସବୁ କିଛି ଓଲଟିଗଲା। ଆଉ ବହୁ ଚେଷ୍ଠା ସତ୍ତ୍ବେ ଗତ ରାତିରେ ପୀଡ଼ିତା ଆଖି ବୁଜିଲେ। ଆଜି ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀର ଓଡ଼ିଶା ଆସିବ । ଆଉ ନିଜ ଜନ୍ମମାଟିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଏଥିନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
ଗାଁକୁ ଝିଅର ମରଶରୀର ଆଜି ଫେରିବ । ତେଣୁ ତା’ ପାଇଁ ସମାଧୀ ଖୋଳିଲେଣି ପରିବାର ଓ ସମ୍ପର୍କୀୟ । ଗାଁରେ ବି ପୋଲିସ୍ କଡ଼ା ପଇଁତରା ମାରୁଛି। କୌଣସି ଅଘଟଣ ଆଶଙ୍କାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଏହି ଘଟଣାକୁ ରାଜନୀତିରୁ ଦୂରେଇ ରଖିବାକୁ ପୀଡ଼ିତାଙ୍କ ପରିବାର କୋହଭରା କଣ୍ଠରେ ନିବେଦନ କରିଛନ୍ତି। ରାଜ୍ୟ ସରକାରଙ୍କ ସମେତ ଡାକ୍ତରମାନେ ବି ପୀଡ଼ିତାଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ଝିଅ ଆମ ଭାଗ୍ୟରେ ନ ଥିଲା ବୋଲି କୋହଭରା କଣ୍ଠରେ ପରିବାର ଲୋକେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)