Advertisment

ଅସୁରକ୍ଷିତ ପାଲଟିଛି ବ୍ୟାଙ୍କ ଓ ଏଟିଏମ୍

ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍‌ରେ ପଶି ବୁଲାଇଦେଉଛନ୍ତି କଳାକନା।

author-image
Pramod Behera
ATM Loot case

ATM Loot case

ଭୁବନେଶ୍ୱର : ପ୍ରତ୍ୟେକ ବ୍ୟକ୍ତି ବିଶ୍ୱାସ କରନ୍ତି ସେମାନଙ୍କ ଉପାର୍ଜିତ ଟଙ୍କା ବ୍ୟାଙ୍କରେ ସୁରକ୍ଷିତ ରହିବ। କିନ୍ତୁ ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍‌ରେ ପଶି ବୁଲାଇଦେଉଛନ୍ତି କଳାକନା। ଭଦ୍ରକରେ ଟଙ୍କା ଲୋଡ୍ ପାଇଁ ଏଟିଏମ୍ ଯାଇଥିବା ଘରୋଇ ସଂସ୍ଥା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨୯ ଲକ୍ଷ ଲୁଟ୍ ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି। ଘଟଣାକୁ ୨୪ ଘଣ୍ଟା ପୂରିଥିଲେ ବି ଲୁଟେରାଙ୍କୁ ଧରିପାରିନି ପୋଲିସ। କେବଳ ଭଦ୍ରକ କାହିଁକି, ଲକଡାଉନ୍ ଭିତରେ ରାଜ୍ୟବ୍ୟାପି ମାଳ ମାଳ ଲୁଟ୍ ଘଟଣା କାରଣରୁ ଏବେ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।

Advertisment

ସୂଚନା ମୁତାବକ ଭଦ୍ରକର ଏକ ଏଟିଏମରୁ ୨୯ ଲକ୍ଷ ଲୁଟ୍ ହୋଇଥିବେ ବି ଏଯାଏ ଲୁଟେରାଙ୍କ ପତା ମିଳିନି। ATMରେ ଲାଗିଥିବା ସିସିଟିଭିରେ କିନ୍ତୁ ରହିଯାଇଛି ଲୁଟ୍‌ର LIVE ଚିତ୍ର ଆଉ ଦୁର୍ବୃତ୍ତଙ୍କ ଚେହେରା। ଶୁକ୍ରବାର ସଂଧ୍ୟା ୭ଟା ୨୦ ମିନିଟ୍‌ରେ ଘରୋଇ ସଂସ୍ଥା ସିଏମ୍ଏସ୍‌ର ସିକ୍ୟୁରିଟି ଗାର୍ଡଙ୍କ ସମେତ ୪ କର୍ମଚାରୀ ଆସିଥିଲେ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରେ ୨୯ ଲକ୍ଷ ଟଙ୍କା ଭର୍ତ୍ତି କରିବାକୁ। ସେହି ସମୟରେ ବନ୍ଧୁକ ଧରି ପହଞ୍ଚିଲା ଜଣେ ଲୁଟେରା। ଏଟିଏମ୍ ସଟର୍ ସାମ୍ନାରେ ଥିବା ସିକ୍ୟୁରିଟି ଗାର୍ଡକୁ ବନ୍ଧୁକ ଦେଖାଇ ପଶିଥିଲା ଏଟିଏମ୍ ଭିତରେ। ସେଠାରେ ବି ବନ୍ଧୁକ ଦେଖାଇ ଦୁର୍ବୃତ୍ତ ନେଇ ଯାଇଥିଲା ୨୯ ଲକ୍ଷ ଟଙ୍କା ଥିବା ଟ୍ରଙ୍କ। ଅନ୍ୟ ସହଯୋଗୀ ଏଟିଏମ୍ ବାହାରେ ଜଗିରହିଥିଲେ ମଧ୍ୟ କିଛି କରିପାରି ନ ଥିଲେ। ଏହି ଘଟଣାରେ ପୋଲିସ ଘରୋଇ ସଂସ୍ଥା CMS କର୍ମଚାରୀଙ୍କୁ ଧରି ପଚରାଉଚରା କରୁଛି।

ରାଜ୍ୟରେ ଏଭଳି ଲୁଟ୍‌ପାଟ୍ ନୂଆ ନୁହେଁ। ପ୍ରକାଶଥାଉ ଯେ ଗତ ଅକ୍ଟୋବର ୧୧ରେ ଢେଙ୍କାନାଳ ପୋଲିସ ଲୁଟେରାଙ୍କୁ ଧରିଥିଲା। ସେମାନଙ୍କ ଠାରୁ ମିଳିଥିଲା କୋଟିଏରୁ ଅଧିକ ଟଙ୍କା। ସେହିପରି ୯ ସେପ୍ଟେମ୍ବର, ୨୦୨୧ରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଟଳା ଏସ୍‌ବିଆାଇ ଶାଖାରେ ଖେଳଣା ବନ୍ଧୁକ ଦେଖାଇ ଦୁର୍ବୁତ୍ତ ଲୁଟିନେଇଥିଲେ ୮ ଲକ୍ଷରୁ ଅଧିକ ଟଙ୍କା। ଏପରିକି ସୁନା ବି ନେଇଯାଇଥିଲେ। ଶେଷରେ ବିଲ ଭିତରେ ଲୁଟେରାଙ୍କୁ ମାଡ଼ିବସିଥିଲେ ସ୍ଥାନୀୟ ଯୁବକ।

Advertisment

ଆଉ ଏକ ଘଟଣା ହେଉଛି ୧୮ ଅଗଷ୍ଟ, ୨୦୨୧ର। ବ୍ରହ୍ମପୁରରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା କର୍ମଚାରୀ ହିଁ ରଚିଥିଲେ ଲୁଟ୍ ନାଟକ। ତାଙ୍କଠୁ ମିଳିଥିଲା ୨୪ ଲକ୍ଷ। ୧୧ ସେପ୍ଟେମ୍ବର, ୨୦୨୦ରେ ଇଲେକ୍ଟ୍ରି କଟରରେ ଭୁବନେଶ୍ୱର କିଟ୍ ଛକ ନିକଟ ଏକ ଏଟିଏମ୍ କାଟି ୨୭ ଲକ୍ଷ ଲୁଟିନେଇଥିଲେ ଅନ୍ତଃରାଜ୍ୟ ଲୁଟେରା। ହେଲେ ଦୁଇ ଲୁଟେରା ଧରାପଡ଼ିଲେ ସତ, କିନ୍ତୁ ମିଳି ନ ଥିଲା ଟଙ୍କା। ବ୍ୟାଙ୍କ ହେଉ କି ଏଟିଏମ୍, ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସୁଥିଲେ ବି ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆସୁ ନ ଥିବାରୁ ବିଭିନ୍ନ ମହଲରେ ଦେଖାଦେଇଛି ଉଦ୍‌ବେଗ।

Odisha News Odisha
Advertisment
Advertisment