Advertisment

Bhubaneswar: ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ ଭୁବନେଶ୍ୱରରେ ଆସାମ ପୋଲିସ

ଭୁବନେଶ୍ୱରରେ ଆସାମ ପୋଲିସର ମୋଷ୍ଟ ୱାଣ୍ଟେଡ୍। ଧରିବା ପାଇଁ ଓଡ଼ିଶା ଆସି ଘର ତାଲା ଭାଙ୍ଗିଲା ଆସାମ ପୋଲିସ। ହେଲେ ଖାଲି ହାତରେ ଫେରିଲା।

author-image
Debadatta Aryashrestha
Assam Police Raid

Assam Police Raid

ଇନଫୋନସିଟି ଥାନା ନନ୍ଦନବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟର ଫ୍ଲାଟରୁ ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ ତାଲା ଭାଙ୍ଗିଲା ଆସାମ ପୋଲିସ। କିନ୍ତୁ ଫେରିବାକୁ ପଡ଼ିଲା ଖାଲି ହାତରେ। ତେବେ ଭୁବନେଶ୍ବରରେ ଆସାମ ପୋଲିସର ଏଭଳି ଆକ୍ସନକୁ ନେଇ ଖୋଳତାଡ଼ ପରେ, ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଫିଟିଛି ସଂପୃକ୍ତ ମୋଷ୍ଟ ୱାଣ୍ଟେଡର ମହା ଗୁମର। ଓଡ଼ିଆଙ୍କୁ ଚୂନ ଲଗାଇଦେଲେ ଆଉ ଜଣେ ଓଡ଼ିଆ। ସେହି ଅଭିଯୁକ୍ତକୁ ଧରିବା ପାଇଁ ଭୁବନେଶ୍ବରରେ ଆସାମ୍ ପୋଲିସର ହଲାପଟା।

Advertisment

ସମୟ ଦିନ ପ୍ରାୟ ୧୧ଟା। ସ୍ଥାନ ଇନଫୋସିଟି ନନ୍ଦନବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟ। ଭୁବନେଶ୍ୱର କମିଶନରେଟ୍ ପୋଲିସ ସହାୟତାରେ ଠିକଣା ଜାଗାରେ ପହଞ୍ଚିଥିଲା ଆସାମ ପୋଲିସ। ଆସାମ ପୋଲିସର କହିବା କଥା, ଏ ହେଉଛି ସେହି ଫ୍ଲାଟ୍, ଯେଉଁଠି ରହୁଥିଲେ ବହୁ କୋଟି ଟଙ୍କାର ଠକେଇ ମାଷ୍ଟରମାଇଣ୍ଡ। ଯାହାଙ୍କ ନାଁ ସମୀର ପଟ୍ଟନାୟକ। ତାଙ୍କୁ ଧରିବା ପାଇଁ ଆସାମ ପୋଲିସ ପହଞ୍ଚିଥିଲା ସତ, କିନ୍ତୁ ବନ୍ଦ ଥିଲା ଭିତର ପଟୁ। ଶେଷରେ କାର୍ପେଣ୍ଟର ସହାୟତାରେ ଭଙ୍ଗାଯାଇଥିଲା ଗେଟ୍। ଶେଷରେ ନିରାଶ ହେବାକୁ ପଡ଼ିଲା ଆସାମ ପୋଲିସକୁ। କାରଣ ଘରେ ନଥିଲେ ଅଭିଯୁକ୍ତ ସମୀର। କିଛି ସମୟ ଧରି ଚାଲିଲା ହାଇଡ୍ରାମା। ଘରେ ରହୁଥିବା ଜଣେ ମହିଳା ପୋଲିସର ଗତିବିଧିକୁ ଭିଡ଼ିଓ ରେକର୍ଡିଂ କରିଥିଲେ। କିନ୍ତୁ କାହିଁକି ସେ ଗେଟ୍ ଖୋଲୁନଥିଲେ ବୋଲି ପଚାରିବାରୁ କହିଥିଲେ, ପୋଲିସ ତାଲା ଭାଙ୍ଗି ପଶିବାର କାରଣ ମୁଁ ଜାଣିନି। ମୁଁ ଏହି ଘରେ ଏକୁଟିଆ ରହୁଥିବାରୁ ଗେଟ୍ ଖୋଲିବାକୁ ପୁଅ ମନା କରିଥିଲା। ତେଣୁ ତାଲା ଖୋଲିଲି ନାହିଁ।

ଆସାମ ପୋଲିସର କହିବା କଥା, ଏକ ଠକେଇ ମାମଲାର ମୋଷ୍ଟ ୱାଣ୍ଟେଡ୍ ହେଉଛନ୍ତି ସମୀର ପଟ୍ଟନାୟକ। ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଦୁଷ୍ମନ୍ତ ମୁଦୁଲି ନାମକ ଜଣେ ବ୍ୟକ୍ତି। ସମୀର ପଟ୍ଟନାୟକ, ଦୁଷ୍ମନ୍ତ ମୁଦୁଲି, ସୁନୀଲ୍ ସାହୁ ଏବଂ ନିରୂପ ଚୌଧୁରୀ। ଏହି ୪ ଓଡ଼ିଆ ଆସାମରେ ଚଳାଇଥିଲେ କୋଇଲା ଖଣି ବେପାର। କିନ୍ତୁ ସେହି ବ୍ୟାବସାୟିକ ସାମ୍ରାଜ୍ୟରେ ସମୀର ଖେଳିଥିଲେ ଫ୍ରଡ୍ ଗେମ୍। ୭ରୁ ୮ କୋଟି ଟଙ୍କା ବିନିଯୋଗ କରିଥିବା ଦୁଷ୍ମନ୍ତଙ୍କୁ ଲଗାଇଥିଲେ ୩ କୋଟିର ଚୂନ। ସୁନୀଲ୍ ଏବଂ ନିରୂପଙ୍କ ଜରିଆରେ ଟଙ୍କା ହଡ଼ପ କରି ଗତ ଫେବ୍ରୁଆରୀରୁ ସମୀର ଖସି ପଳାଇ ଆସିଥିଲେ ଓଡ଼ିଶା। ଏ ସଂପର୍କରେ ଆସାମ ଶିବସାଗର ଜିଲ୍ଲା ବିହୁବୋର୍ ଥାନାରେ ଗତ ଅଗଷ୍ଟରେ ଦୁଷ୍ମନ୍ତଙ୍କ ଏତଲା ପରେ ପୋଲିସ ମାମଲା ରୁଜୁ କରି ନୋଟିସ୍ କରିଥିଲା ୩ ଜଣଙ୍କୁ। କିନ୍ତୁ ହାଜର ହେଲେନି କେହି। ଶେଷରେ କୋର୍ଟଙ୍କ NBW ନିର୍ଦ୍ଦେଶକ୍ରମେ ଆସାମ ପୋଲିସ ଆଜି ଭୁବନେଶ୍ବରରେ ଛାପା ମାରିଛି। ନିରୂପଙ୍କୁ ଆସାମ ପୋଲିସ ଧରିଥିବାବେଳେ ସମୀର ଓ ବ୍ୟବସାୟୀ ସୁନୀଲ ସାହୁଙ୍କ ମିଳିନି ପତ୍ତା।

Advertisment

ସମୀର ପଟ୍ଟନାୟକ ଯେ ଜଣେ ଅଭ୍ୟାସଗତ ଠକ, ବିଭିନ୍ନ ଥାନାରେ ଥିବା ରେକର୍ଡରୁ ସ୍ପଷ୍ଟ ହୋଇଛି। ପୂର୍ବରୁ ତାଙ୍କ ନାଁରେ ଭୁବନେଶ୍ୱରର ବଡ଼ଗଡ଼, ନନ୍ଦନକାନନ, କ୍ୟାପିଟାଲ, ଚନ୍ଦ୍ରଶେଖରପୁର, କଟକର ମଙ୍ଗଳାବାଗ, ଜଗତସିଂହପୁରର ବିରିଡି ଏବଂ ତିର୍ତ୍ତୋଲ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ଏକ ଠକେଇ ମାମଲାରେ ଥରେ ଗିରଫ ହୋଇ ହାଇକୋର୍ଟରୁ ଜାମିନ ବି ପାଇଥିଲେ। କିନ୍ତୁ ଜାମିନ ପାଇଁ ଜାଲ୍ ଜମିପଟ୍ଟା ଏବଂ ଜାଲ୍ ଜାମିନଦାର ମାମଲାରେ ଭୁବନେଶ୍ବର କୋର୍ଟଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଡ଼ଗଡ଼ ପୋଲିସ ପୁଣି ଗିରଫ କରିଥିଲା ତାଙ୍କୁ। ଏବେ କିଛିଦିନ ପୂର୍ବରୁ ସେ ଜାମିନରେ ଆସିଥିବାବେଳେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଛି ଆସାମ ପୋଲିସ। ତେବେ ଏ ସଂପର୍କରେ ସମୀର, ସୁନୀଲ କିମ୍ବା ନିରୂପଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Bhubaneswar Crime News Odisha Crime Assam Police Police Raid
Advertisment
Advertisment