ସାମ୍ନାକୁ ଆସିଲା ସିମ୍‌ ବକ୍ସ ମାଷ୍ଟର ମାଇଣ୍ଡର ଫଟୋ, ଢାକାରେ ରହି କରୁଥିଲା ଅପରେଟ୍‌

ବାଂଲାଦେଶରେ ରିମୋଟ୍, ଭୁବନେଶ୍ୱର ଓ ରାଞ୍ଚିରେ କଣ୍ଟ୍ରୋଲ । ସ୍ମାର୍ଟ ସୁଇଚ ଧରି ସିମ୍‌ ବକ୍ସ ଚଳାଉଥିଲା ଅସାଦ୍ଦୁର । NIA ସହ CBI ଓ ଇଣ୍ଟରପୋଲ କରିବ ତଦନ୍ତ ।

Sim Box

ସାମ୍ନାକୁ ଆସିଲା ସିମ୍ ବକ୍ସ ମାଷ୍ଟର ମାଇଣ୍ଡ ଅସାଦ୍ଦୁର ଜମାନର ଫଟୋ । ତାକୁ ଧରିବା ପାଇଁ ସିବିଆଇ ଓ ଇଣ୍ଟରପୋଲର ସହାୟତା ନେବ କମିଶନରେଟ ପୋଲିସ । ସଫ୍ଟୱେର କମ୍ପାନୀ କରି ସ୍ମାର୍ଟ ସୁଇଚ ସହାୟତାରେ ସେ କିଭଳି ଚଳାଇଥିଲା ଆତଙ୍କୀ କାରବାର, ତା ଉପରେ ଖୋଳତାଡ଼ କରିବ ପୋଲିସ । ସେପଟେ ରାଜୁ ମଣ୍ଡଳକୁ ପୁଣି ଥରେ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କଲା ପୋଲିସ ।

ବାଂଲାଦେଶରେ ରିମୋଟ୍, ଭୁବନେଶ୍ୱର ଓ ରାଞ୍ଚିରେ କଣ୍ଟ୍ରୋଲ । ସ୍ମାର୍ଟ ସୁଇଚ ଧରି ସିମ୍‌ ବକ୍ସ ଚଳାଉଥିଲା ଅସାଦ୍ଦୁର । NIA ସହ CBI ଓ ଇଣ୍ଟରପୋଲ କରିବ ତଦନ୍ତ । କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ମାଷ୍ଟର ମାଇଣ୍ଡ ଅସାଦ୍ଦୁର ଜମାନର ଫଟୋ । ତାକୁ ଧରିବା ପାଇଁ ସିବିଆଇ ଓ ଇଣ୍ଟରପୋଲର ସାହାଯ୍ୟ ନେବ ପୋଲିସ । ତେବେ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ବାଂଲାଦେଶ ଢାକାରେ ରହି ସେ ଚଳାଉଥିଲା ଆତଙ୍କୀ ନେଟୱର୍କ । ଆସାଦୁର୍ ବାଂଲାଦେଶରେ ଆଇକନ୍ ଟେକ୍ନୋଲୋଜି ନାଁରେ ଏକ ସଫ୍ଟୱେର କମ୍ପାନୀ ଖୋଲିଥିଲା । ଏଥିରେ ସ୍ମାର୍ଟ ସୁଇଚ୍‌ ଜରିଆରେ ଚଳାଇଥିଲା ସ୍ମାର୍ଟ ଅପରେସନ । ସ୍ମାର୍ଟ ସୁଇଚ ଜରିଆରେ ଆସାଦୁର ଢାକାରେ ବସି ଭୁବନେଶ୍ବର ଓ ରାଞ୍ଚି ସିମ୍‌ ବକ୍ସ ସେଣ୍ଟରକୁ ଅପରେଟ କରୁଥିଲା ।

ସେପଟେ ଅଭିଯୁକ୍ତ ରାଜୁ ମଣ୍ଡଳର ୫ ଦିନିଆ ରିମାଣ୍ଡ ସରିଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ପେଶାଲ ଟିମ୍‌ ହାତରେ ଲାଗିଛି । ପୋଲିସ ହାତରେ ସିମ୍ ବକ୍ସରେ ବ୍ୟବହୃତ ସିମ୍ କାର୍ଡର ସିଡିଆରର ବି ସାଙ୍ଘାତିକ ତଥ୍ୟ ପାଇଛି ତଦନକାରୀ ଟିମ୍ । ଏହା ଭିତରେ ରାଜୁ ମଣ୍ଡଳକୁ NIA ଜେରା କରିବା ପରେ ସାମ୍ନାକୁ ଆସିଛି Sim Box ସହ ଆତଙ୍କୀ ଲିଙ୍କ୍‌ ।

ଭୁବନେଶ୍ୱର, କଟକ ଓ ରାଞ୍ଚିରୁ ଏପର୍ଯ୍ୟନ୍ତ ୧୭ଟି ସିମ୍‌ ବକ୍ସ ସହ ପୁଳା ପୁଳା ଆକ୍ଟିଭେଟେଡ୍‌ ଓ ପ୍ରି ଆକ୍ଟିଭେଟେଡ୍‌ ସିମ୍‌ ଜବତ କରିଛି ପୋଲିସ । ସିମ୍‌ ବକ୍ସ ରାକେଟ୍ ପାଇଁ କେଉଁଠୁ ଓ କିଏ ଯୋଗାଉଥିଲା ପୁଳା ପୁଳା ସିମକାର୍ଡ ? କେମିତି ଜେନେରେଟ୍ କରାଯାଉଥିଲା ନମ୍ବର ? ସିମ୍‌ ବକ୍ସ କ୍ରାଇମ୍ ପାଇଁ ଏଜେଣ୍ଟମାନଙ୍କୁ ପ୍ରଲୋଭନ ପଛରେ କିଏ କିଏ ସାମିଲ ? ଏ ସବୁର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍ ।